ଭୁବନେଶ୍ୱର(ବି.ବି.ବୁ୍ୟରୋ): ସତର୍କ ଘଣ୍ଟି ବାଜି ସାରିଲାଣି । ଓଡ଼ିଶା ଆଉ ବେଶି ଦୂର ନୁହେଁ । ଛତିଶଗଡ଼, ମଧ୍ୟପ୍ରଦେଶରେ ଘୁରି ବୁଲୁଛନ୍ତି ପଙ୍ଗପାଳ ଦଳ । ପାଗ ସାଥ୍ ଦେଲେ ଖୁବଶୀଘ୍ର ଓଡ଼ିଶା ଆସିପାରନ୍ତି ଏହି ଉଡ଼ନ୍ତା ଆତଙ୍କୀ । ବିଶେଷଜ୍ଞଙ୍କ କହିବାନୁଯାୟୀ ଜୁନ୍ ୧୦ ତାରିଖ ସୁଦ୍ଧା ଓଡ଼ିଶାକୁ ଆସିପାରନ୍ତି ପଲପଲ ପଙ୍ଗପାଳ । ଯୁଆଡେ଼ ଯିବେ, ଫସଲକୁ ଚରିଯିବେ । ଜୁଲାଇ ପର୍ଯ୍ୟନ୍ତ ପଙ୍ଗପାଳ ଓଡ଼ିଶାରେ ବିପର୍ଯ୍ୟୟ ଭିଆଇପାରେ । ପଙ୍ଗପାଳଙ୍କୁ ଘଉଡ଼ାଇବା ପାଇଁ ଅଗ୍ନିଶମ ବିଭାଗକୁ ଦାୟିତ୍ୱ ଦିଆଯାଇଥିବା ଶୁଣିବାକୁ ମିଳିଛି ।
ଜାତୀୟ ଧାନ ଗବେଷଣା ପ୍ରତିÂାନ (ଏନ୍ଆର୍ଆର୍ଆଇ)ର କୀଟନାଶକ ବୈଜ୍ଞାନିକ ଡକ୍ଟର ଏସ୍.ଡି.ମହାପାତ୍ର କହିଛନ୍ତି, ଛତିଶଗଡ଼ରେ ପହଞ୍ଚି ସାରିଲେଣି ପଙ୍ଗପାଳ । ଯଦିଓ ଗତକାଲି ଆସିଥିବା ପଙ୍ଗପାଳ ଦଳ ଛୋଟ ଥିଲା, ଆଗକୁ ବଡ଼ ଦଳ ଆସିବେ । ଓଡ଼ିଶାକୁ ପଙ୍ଗପାଳର ପ୍ରକୋପ ଛତିଶଗଡ଼ର ମୁକାବିଲା ଶୈଳୀ ଉପରେ ନିର୍ଭର କରୁଛି । ଯଦି ଛତିଶଗଡ଼ ପଙ୍ଗପାଳକୁ ନିୟନ୍ତ୍ରଣ କରିବାରେ ସଫଳ ହୁଏ, ତେବେ ଓଡ଼ିଶାକୁ ବିପଦ କମ୍ । ଯାହା କଲେ ବି ପଙ୍ଗପାଳକୁ ସମ୍ପୂର୍ଣ୍ଣ ନିପାତ କରିବା କାଠିକର ପାଠ । ଯେଉଁଥିପାଇଁ ରାଜସ୍ଥାନ ସରକାର ବ୍ୟାପକ ରାସାୟନିକ ସ୍ପେ୍ର କରିବା ସତ୍ତେ୍ୱ ସବୁ ପଙ୍ଗପାଳ ମରୁନାହାନ୍ତି । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ପ୍ରବେଶ କରିବାରେ ଲାଗିଛନ୍ତି । ଛତିଶଗଡ଼ ଉପରେ ଓଡ଼ିଶାର ନଜର ରହିଛି । ତଥାପି ଜୁନ୍ ୧୦ ଭିତରେ ପଙ୍ଗପାଳ ଦଳ ଓଡ଼ିଶାରେ ପ୍ରବେଶ କରିଯିବେ । ଜୁନ୍ ମାସରେ ପଙ୍ଗପାଳରେ ପ୍ରକୋପ ଅଧିକ ରହିପାରେ ଓଡ଼ିଶାରେ । ମୌସୁମୀ ପୂରା ସକ୍ରିୟ ରହିଲେ, ପଙ୍ଗପାଳ ଦଳ ଓଡ଼ିଶା ଛାଡ଼ି ପୁଣି ପଶ୍ଚିମା ମୁହାଁ ହେବେ । ଆଉ ରାଜସ୍ଥାନ ଆଡ଼କୁ ଫେରିବେ । ବର୍ଷା ହେଲେ ପଙ୍ଗପାଳ ବଂଶବିସ୍ତାର କରେ । ଏହାର ଅଣ୍ଡା ଦେବା ସମୟ ଆରମ୍ଭ ହୋଇଯାଏ । ପଙ୍ଗପାଳ ସାଧାରଣତଃ ବାଲିରେ ହିଁ ଅଣ୍ଡା ଦେଇଥାନ୍ତି । ଓଡ଼ିଶାରେ ଏତେ ବିସ୍ତୀର୍ଣ୍ଣ ବାଲି ମିଳିନପାରେ । ଘାସ ଥିବା ବାଲି ଜମିରେ ସେମାନେ ଅଣ୍ଡା ଦେବାକୁ ପସନ୍ଦ କରନ୍ତି ନାହିଁ । ମୌସୁମୀ ଆସିଲେ ଓଡ଼ିଶାରେ ନଦୀଗୁଡ଼ିକ ଫୁଲିବା ଆରମ୍ଭ କରିବେ । ଏମିତିରେ ନଈ ବାଲିରେ ଅଣ୍ଡା ଦେଲେ ବି ତାହା ଭାସି ନଷ୍ଟ ହୋଇଯିବା ସମ୍ଭାବନା ଅଛି । ପଙ୍ଗପାଳ ନଈ ବାଲି ନ ବାଛି ରାଜସ୍ଥାନର ମରୁବାଲିକୁ ଅଣ୍ଡା ଦେବା ପାଇଁ ଉପଯୁକ୍ତ ମନେ କରିବେ । ଏହାସତ୍ତେ୍ୱ ବି ଯଦି ନଈ ବାଲିରେ ପଙ୍ଗପାଳ ଅଣ୍ଡା ଦିଅନ୍ତି, ଏବଂ ତାହା ସୁରକ୍ଷିତ ରହିଯାଏ, ତେବେ ପରିସ୍ଥିତି ଚିନ୍ତାଜନକ ହେବ । ଯଦି ଓଡ଼ିଶାରେ ଥରେ ପଙ୍ଗପାଳ ବଂଶବିସ୍ତାର କରିବେ, ତେବେ ବ୍ୟାପକ ଫସଲକୁ ଚରି ବରବାଦ କରିଦେବେ । ତେଣୁ ଜୁଲାଇ ପର୍ଯ୍ୟନ୍ତ ବିପଦ ରହିଛି । ଏ ନେଇ ସତର୍କ ରହିବାକୁ ପଡ଼ିବ ।
କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ପଙ୍ଗପାଳ ଆସିବା ସମ୍ଭାବନାକୁ ଏଡ଼ାଇ ହେବନି । କାରଣ ପଙ୍ଗପାଳ ପ୍ରବେଶ କରିବାକୁ ଓଡ଼ିଶାରେ ପାଗ ଅନୁକୂଳ ରହିଛି । ଯେଉଁଥିପାଇଁ ରାଜ୍ୟକୁ ସତର୍କ କରାଯାଇଛି । ଜୁନ୍ ୧୮ ସୁଦ୍ଧା ପଙ୍ଗପାଳ ଓଡ଼ିଶା ଆସିବାର ସମ୍ଭାବନା ଅଛି ।
ଡକ୍ଟର ପଶୁପାଳକ କହିଛନ୍ତି, ପଙ୍ଗପାଳର ଗତିବିଧି ଓ ଅଭିବୃଦ୍ଧି ସମ୍ପୂର୍ଣ୍ଣ ପାଣିପାଗ ଭିତ୍ତିକ । ବର୍ତ୍ତମାନ ନିସର୍ଗ ବାତ୍ୟା ଯୋଗୁ ମଧ୍ୟପ୍ରଦେଶରୁ ରାଜସ୍ଥାନକୁ ପବନ ବହିବ । ତେଣୁ ପଙ୍ଗପାଳ ଫେରିପାରନ୍ତି । ହେଲେ ବାତ୍ୟା ଯିବା ପରେ ୬ରୁ ପୁଣି ପଶ୍ଚିମା ପବନ ବହିବ । ଏହା ଫଳରେ ପଙ୍ଗପାଳ ରାଜସ୍ଥାନରୁ ମଧ୍ୟପ୍ରଦେଶ ମୁହାଁଇବା ସହ ଆଗକୁ ବଢ଼ିବେ । ହେଲେ ୭ତାରିଖବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପ ରୂପ ନେଇପାରେ । ଏହା ପ୍ରଭାବରେ ପୁଣି ଓଲଟା ପବନ ବହିବ । ତେଣୁ ପଙ୍ଗପାଳ ଆଗକୁ ନ ଆସି ପଛକୁ ଫେରିବେ । ହେଲେ ୧୩ରୁ ପବନ ଦିଗ ବଦଳିବ । ପଶ୍ଚିମରୁ ପୁଣି ଆଗକୁ ବଢ଼ିବେ ପଙ୍ଗପାଳ । ଏଭଳି ଆଗପଛ ହୋଇ ପଙ୍ଗପାଳ ୧୮ ସୁଦ୍ଧା ଓଡ଼ିଶା ଆସିଯିବେ ।
ଜୁନ୍ରେ ବର୍ଷା ହେବ । ବର୍ଷା ଚାଷ ପାଇଁ ଯେତିକି ଅନୁକୂଳ, ପଙ୍ଗପାଳ ପାଇଁ ମଧ୍ୟ ଅନୁକୂଳ । ବର୍ତ୍ତମାନ ଚାଷ ଜମିରେ ବେଶି ଫସଲ ନାହିଁ । ପନିପରିବାକୁ ବହୁ ମାତ୍ରାରେ ଚରିଯିବେ ପଙ୍ଗପାଳ ପଲ । ମାତ୍ର ଆଗକୁ ଧାନ ତଳି ଲାଗିବ । ସେ ସମୟରେ ପଙ୍ଗପାଳ ଧାନ ତଳିକୁ ନଷ୍ଟ କରିପାରନ୍ତି । କପା, ବାଦାମ ଫସଲ ମଧ୍ୟ ନଷ୍ଟ ହୋଇପାରେ । ତେଣୁ ଜୁଲାଇରେ ପଙ୍ଗପାଳ ବେଶି କ୍ଷତି କରିପାରନ୍ତି । ଯଦି ଏମିତି ସ୍ଥିତି ଆସେ, ତେବେ କ’ଣ କରିବାକୁ ହେବ, ସେ ନେଇ ଏବେଠାରୁ ଯୋଜନା ପ୍ରସ୍ତୁତ ହେବା ଦରକାର ।
ଡକ୍ଟର ପଶୁପାଳକଙ୍କ କହିବାନୁଯାୟୀ ଗୋଟିଏ ପଙ୍ଗପାଳ ଦଳ ୫ରୁ ୭ କିମି ପର୍ଯ୍ୟନ୍ତ ଆକାଶରେ ବ୍ୟାପିଥାଆନ୍ତି । ସେମାନଙ୍କ ସଂଖ୍ୟା କୋଟି କୋଟି । ଗୋଟିଏ ପଙ୍ଗପାଳର ଓଜନ ପ୍ରାୟ ୨ ଗ୍ରାମ । ହେଲେ ଶହଶହ କିଲୋମିଟର ଦିନକୁ ଉଡ଼ୁଥିବାରୁ ଏମାନେ ପ୍ରବଳ ଫସଲ ଖାଇଯାଆନ୍ତି । ସବୁବେଳେ ଭରପୂର ପେଟ ଖାଆନ୍ତି ପଙ୍ଗପାଳ । ଥରେ ଏମାନେ ଓଡ଼ିଶା ଆସିଲେ ବ୍ୟାପକ ଫସଲକୁ ଖାଇ ନଷ୍ଟ କରିଦେବେ । ଏଥିପାଇଁ ବର୍ତ୍ତମାନ କଡ଼ା ନଜର ରଖିବା ସହ ପ୍ରସ୍ତୁତି କରିବାକୁ ପଡ଼ିବ । ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ହେବ । ଯେଉଁ ରାଜ୍ୟଗୁଡ଼ିକ ପଙ୍ଗପାଳ ଉପଦ୍ରବର ଶିକାର ହୋଇଛନ୍ତି, ସେମାନଙ୍କଠାରୁ ଅନୁଭୂତି ଶିକ୍ଷା ନେବାକୁ ପଡ଼ିବ । ଜୁନ୍ରେ କ’ଣ କରିବାକୁ ହେବ ଓ ଜୁଲାଇରେ କ’ଣ କରିବା, ସେ ନେଇ ଯୋଜନା କରିବାକୁ ହେବ । ସୀମାବର୍ତ୍ତୀ ଜିଲ୍ଲାର ପ୍ରତି ପଞ୍ଚାୟତ ସ୍ତରରେ ନଜର ରଖିବାକୁ ପଡ଼ିବ ।
ସେ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଅଧିକ ତାପମାତ୍ରା ଓ ବାରମ୍ବାର ବାତ୍ୟା ସୃଷ୍ଟି ହେବା ଯୋଗୁ ପଙ୍ଗପାଳ ବଂଶ ବୃଦ୍ଧି ହେବା ସହ ବିପଦ ବଢ଼ୁଛି । ୨୦୧୮ରେ ଆଫ୍ରିକାରେ ଦୁଇଟି ବାତ୍ୟା ଆସିଥିଲା । ଏହା ପ୍ରଭାବରେ ପ୍ରବଳ ବର୍ଷା ହେଲା । ଏହା ସହାୟତାରେ ୨୦୧୮ରୁ ୨୦୧୯ ଭିତରେ ପଙ୍ଗପାଳ ୩ଟି ପିଢ଼ିକୁ ବଢ଼ାଇ ଦେଲେ । ଗୋଟିଏ ଦଳ ପଶ୍ଚିମ ଆଫ୍ରିକା ମୁହାଁଇଲା । ଅନ୍ୟ ଦଳଟି ଆରବ ଦେଇ ଇରାନକୁ ଗଲା । ୨୦୧୯ରେ ଇରାନରେ ବାତ୍ୟା ହେଲା । ଏଥିରେ ପୁଣି ପଙ୍ଗପାଳ ବଂଶ ବଢ଼ିଲା । ୨୦୨୦ ଜାନୁଆରୀରେ ପଙ୍ଗପାଳ ଇରାନ୍ରୁ କୋଟି କୋଟି ସଂଖ୍ୟାରେ ରାଜସ୍ଥାନରେ ଆସି ପହଞ୍ଚିଗଲେ । ରାଜସ୍ଥାନରୁ କ୍ରମଶଃ ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଯାଉଛନ୍ତି । ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଆଗକୁ ପଙ୍ଗପାଳ ଉପଦ୍ରବ ବଢ଼ିବ । ଆସନ୍ତାବର୍ଷ ମଧ୍ୟ ଏହି ସଙ୍କଟ ଦେଖା ଦେଇପାରେ ।
Comments are closed, but trackbacks and pingbacks are open.