ପଜିଟିଭ, ନେଗେଟିଭ, ପଜିଟିଭ ଓ ମୃତୁ୍ୟ

Get real time updates directly on you device, subscribe now.

କୋଲକାତା: ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ହସ୍ପିଟାଲ କର୍ତ୍ତୃପକ୍ଷ କହିଲେ କରୋନା ପଜିଟିଭ୍, ପରେ କହିଲେ ନେଗେଟିଭ୍, ତା ପରେ କହିଲେ ପଜିଟିଭ୍ ଓ ଶେଷରେ ସମ୍ପୃକ୍ତ ବ୍ୟକ୍ତିଙ୍କର ମୃତୁ୍ୟ ଘଟିଛି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କୋଲକାତାରେ । ଗତ ସପ୍ତାହରେ ଓମ୍ ପ୍ରକାଶ ନାମକ ଜଣେ ୬୮ ବର୍ଷୀୟ ବ୍ୟକ୍ତି ଜ୍ୱର ଓ ଥଣ୍ଡା ଅନୁଭବ କରିଥିଲେ । ତାଙ୍କ ପୁଅ ରାଜ ଗୁପ୍ତା ପିତାଙ୍କୁ ନେଇ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏମ୍.ଆାର ବାଙ୍ଗୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା । ତାଙ୍କର ପରୀକ୍ଷା ରିପୋର୍ଟ କରୋନା ପଜିଟିଭ ଆସିଥିବା ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ । ଫଳରେ ପିତାଙ୍କୁ ହସ୍ପିଟାଲରେ ଆଡମିଶନ କରାଇ ରାଜ ଗୁପ୍ତା ଘରକୁ ଫେରିଥିଲେ । କିନ୍ତୁ ୪ ଦିନ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ରାଜ ଗୁପ୍ତାଙ୍କୁ ଫୋନ୍ କରି ତୁମ ପିତାଙ୍କର ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି, ତେଣୁ ତୁମେ ଆସି ପିତାଙ୍କୁ ହସ୍ପିଟାଲରୁ ନେଇଯାଅ ବୋଲି କହିଥିଲେ । ଲକ୍ଡାଉନ ଯୋଗୁ ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ପିତାଙ୍କୁ ଆଣିବା ଲାଗି ରାଜ ଗୁପ୍ତା ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଶେଷରେ କୋଲକାତା ବାହାରେ ସୋଦେପୁରରେ ରହୁଥିବା ଜଣେ ବନ୍ଧୁଙ୍କ ସହାୟତାରେ ଏକ ଗାଡି ଯୋଗାଡ କରି ପିତାଙ୍କୁ ଘରକୁ ନେଇ ଆସିଥିଲେ । ତେବେ ତା ପରଦିନ ସନ୍ଧ୍ୟାରେ ହସ୍ପିଟାଲ କର୍ତ୍ତୃପକ୍ଷ ପୁଣି ତାଙ୍କୁ ଫୋନ୍ କରି କହିଥିଲେ ଯେ ତୁମ ପିତାଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ୍ ରହିଛି । କିନ୍ତୁ ଭୁଲ୍ରେ ତୁମକୁ ନେଗେଟିଭ୍ କୁହାଯାଇଥିଲା । ତେଣୁ ବ୍ୟସ୍ତ ହେବାର କିଛି ନାହିଁ । ଆମେ ଏକ ଆମ୍ବୁଲାନ୍ସ ପଠାଇଛୁ । ଆମ୍ବୁଲାନ୍ସ ବାଟରେ ରହିଛି । ଖୁବଶୀଘ୍ର ତୁମ ଘରେ ପହଞ୍ଚôବ ଓ ସେଠାରୁ ତୁମ ପିତାଙ୍କୁ ନେଇ ଆସିବ । କିଛି ସମୟ ପରେ ଆମ୍ବୁଲାନ୍ସ ପହଞ୍ଚô ଓମ୍ ପ୍ରକାଶଙ୍କୁ ଧରି ହସ୍ପିଟାଲକୁ ଆଣିଥିଲା । ତେବେ ସେ ହସ୍ପିଟାଲରେ ଆଡମିଟ୍ ହେବାର ୧୨ ଘଣ୍ଟା ପରେ ତାଙ୍କର ମୃତୁ୍ୟ ଘଟିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ରାଜ ଗୁପ୍ତାଙ୍କୁ ସୂଚନା ଦେଇଥିଲେ । ହସ୍ପିଟାଲର ଏଭଳି କାର୍ଯ୍ୟ ବିରୋଧରେ ରାଜ ଗୁପ୍ତା ଅଭିଯୋଗ କରିଛନ୍ତି । ଏଥିସହିତ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ତାଙ୍କ ପିତାଙ୍କର ମୃତୁ୍ୟ ଘଟିଥିବା ଅଭିଯୋଗ କରିବା ସହ କ୍ଷତିପୂରଣ ଦାବି କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons