ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନାକୁ ଭୟ କରନ୍ତୁ ନାହିଁ । ନିଜେ ସତର୍କ ଓ ସଚେତନ ରହନ୍ତୁ । ଆଗୁଆ ପ୍ରସ୍ତୁତି ମଧ୍ୟ କରନ୍ତୁ । ଆମେ ଏ ମହାମାରୀରୁ ମୁକାବିଲା କରିବା । କରୋନା ରୋଗର ସଂକ୍ରମଣକୁ ଆମେ ମିଳିତ ଭାବେ ଏଡ଼ାଇବାରେ ସଫଳ ହେବା ।
ତ୍ରିସ୍ତରୀୟ ପଞ୍ଚାୟତିିରାଜ ପ୍ରତିନିଧିମାନଙ୍କୁ ଚିଠି ଲେଖି ଏମିତି ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରାମାଞ୍ଚଳରେ ହିତାଧିକାରୀମାନଙ୍କୁ ୪ ମାସର ଭତ୍ତା ଏକକାଳୀନ ଠିକଣା ଭାବେ ବଣ୍ଟନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ୩-୬ ବର୍ଷର ଶିଶୁମାନଙ୍କ ସକାଳ ଜଳଖିଆ ଓ ଗରମ ରନ୍ଧା ଖାଦ୍ୟ ପାଇଁ ସମସ୍ତ ଶୁଖିଲା ରାସନ ସାମଗ୍ରୀ ହିତାଧିକାରୀଙ୍କ ଦୁଆରେ ଯୋଗାଇଦେବାକୁ ଅଙ୍ଗନବାଡ଼ି କର୍ମୀମାନଙ୍କୁ ମଧ୍ୟ ନିଦେ୍ର୍ଧଶ ଦେଇଛନ୍ତି ।
ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ପୂର୍ବେ ହାଡ଼ଫୁଟି ପରି ଭୟାନକ ରୋଗ ହେଉଥିଲା । ସେତେବେଳେ ସବୁ ଘରେ ଉଣା ଅଧିକେ ସମସ୍ତେ ହାଡ଼ଫୁଟିରେ ପୀଡ଼ିତ ହେଉଥିଲେ । ଆଜି ହାଡ଼ଫୁଟି ପରି ଆଉ ଏକ ରୋଗ କରୋନା ଆସିଛି । ହାଡ଼ଫୁଟି ପରି କରୋନା ପାଇଁ ମଧ୍ୟ କୌଣସି ଔଷଧ ନାହିଁ । ହାଡ଼ଫୁଟି ଭଳି କରୋନା ହେଉଛି ସଂକ୍ରାମକ ରୋଗ । ତେଣୁ ସଂକ୍ରମଣଠାରୁ ନିଜକୁ ଦୂରେଇ ରଖିବା ହେଉଛି ସବୁଠାରୁ ବଡ଼ ସୁରକ୍ଷା ।
ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି, ମାଆମାନେ ଯେପରି ହାଡ଼ଫୁଟି ପାଇଁ ଆମମାନଙ୍କୁ ୧୪ ଦିନ ଯାଏ ଅଲଗା ଘରେ ରଖି ଆମର ଯତ୍ନ ନେଉଥିଲେ, ଆମକୁ ଏବେ କରୋନା ପାଇଁ ସେହିଭଳି ବ୍ୟବସ୍ଥା କରିବାକୁ ହେବ । ଘରେ ଅଲଗା ରହିବା ହିଁ ସବୁଠାରୁ ଉପଯୁକ୍ତ ଉପଚାର । ଏହାକୁ ଭୟ କରିବା ନାହିଁ । ସତର୍କ ରହି ମୁକାବିଲା କରିବା ।
ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, କରୋନା ପାଇଁ ରାଜ୍ୟ ସରକାର ଆଗୁଆ ବହୁ ପଦକ୍ଷେପ ନେଇଛନ୍ତି । ହିତାଧିକାରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଯୋଜନାରେ ପ୍ରଦାନ କରାଯାଉଥିବା ମାସିକ ଭତ୍ତା ୪ ମାସ ପାଇଁ ହିତାଧିକାରୀଙ୍କୁ ଏକକାଳୀନ ପ୍ରଦାନ କରାଯିବ । ଅଧିକ ଗହଳି ଏଡ଼ାଇବାକୁ ଭତ୍ତା ରାଶିକୁ ହିତାଧିକାରୀମାନଙ୍କ ନିଜ ଗ୍ରାମରେ ହିଁ ପ୍ରଦାନ କରାଯିବ । ଏଥିପାଇଁ ୧୯ରେ ପ୍ରତି ପଞ୍ଚାୟତର ଗ୍ରାମସଭାରେ ଭତ୍ତା ବଣ୍ଟନ ତାରିଖ ଓ କାର୍ଯ୍ୟକ୍ରମ ସ୍ଥିର କରାଯିବ ।
ଆସନ୍ତା ୩୧ ଯାଏ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହୁଥିବାରୁ ଶିଶୁମାନଙ୍କ ଉଦ୍ଧିଷ୍ଟ ସକାଳ ଜଳଖିଆ ଓ ଗରମ ରନ୍ଧା ଖାଦ୍ୟର ରାସନ ସାମଗ୍ରୀ ହିତାଧିକାରୀଙ୍କ ନିକଟରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ପହଞ୍ଚାଇବେ । ପ୍ରତି ଗ୍ରାମରେ ଏଏନଏମ ଓ ଆଶା କର୍ମୀମାନଙ୍କ ପାଖରେ ଅତ୍ୟାବଶ୍ୟକ ଔଷଧ ଓ ଓଆରଏସ ଆଦି ଉପଲବ୍ଧ ରହିବ । ଅତ୍ୟାବଶ୍ୟକ ଏବଂ ଜୀବନ ରକ୍ଷାକାରୀ ଔଷଧ ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ନିରାମୟ କାଉଣ୍ଟରରେ ଉପଲବ୍ଧ କରିବାର ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ପ୍ରତି ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସା ଶିବିର ଖୋଲିବାକୁ ନିଷ୍ପତ୍ତି ହୋଇଛି । ପ୍ରତି ପଞ୍ଚାୟତରେ ୫୦-୧୦୦ ଜଣ ରହିପାରିବା ଭଳି ସୁରକ୍ଷିତ ଘର ଚୟନ କରାଯିବ । ଏଠାରେ ବିଜୁଳି, ପାଣି, ଶୌଚାଳୟ ଓ ବିଜୁଳି ସୁବିଧାକୁ ଦେଖି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲାଯିବ । ଏଥିପାଇଁ ୫ ଲକ୍ଷ ଟଙ୍କାର ଅର୍ଥରାଶି ଅନୁମୋଦନ କରାଯାଇଛି । ପଞ୍ଚାୟତିରାଜ ପ୍ରତିନିଧିମାନେ ଏ ଦିଗରେ ପ୍ରମୁଖ ଭୂମିକା ତୁଲାଇବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।
କରୋନା ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ୩୦ ଜିଲ୍ଲାର ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ଓ ୩୧୪ ବ୍ଲକର ବିଡିଓମାନଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ନିଦେ୍ର୍ଧଶାବଳୀ ଓ ପରାମର୍ଶକୁ ଜନସାଧାରଣ ଯେଭଳି ପାଳନ କରନ୍ତି ସେ ଦିଗରେ ଅଫିସରମାନେ ତ୍ୱରିତ ପଦକ୍ଷେପ ନେବା ଉପରେ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଛନ୍ତି । ଆଗୁଆ ଭତ୍ତା ସହ ରାସନ ସାମଗ୍ରୀ ବଣ୍ଟନ ନେଇ ବ୍ୟବସ୍ଥା କରିବା ଉପରେ ଜୋର ଦିଆଯାଇଛି । ଲୋକମାନେ ସହଯୋଗ କଲେ ଆମେ କରୋନାର ମୁକାବିଲା କରିପାରିବା ବୋଲି ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି ।


Comments are closed, but trackbacks and pingbacks are open.