
ଦଶମନ୍ତପୁର,(ବି.ବି.ନୁ୍ୟଜ): ବ୍ୟକ୍ତିଗତ ଜମିରେ ରାସ୍ତା ନିର୍ମାଣ କରିବା ଏବେ ପ୍ରଶାସନକୁ ଅଡୁଆରେ ପକାଇଛି । ରାସ୍ତା ନିର୍ମାଣକୁ ବିରୋଧ କରି ପଥର ପକାଇ ରାସ୍ତା ଅବରୋଧ କରିଛନ୍ତି ଜମି ମାଲିକ ଓ ଦୁଇଖଣ୍ଡ ଗ୍ରାମବାସୀ । ଆଜି ପ୍ରଶାସନ ଗାଁରେ ପହଞ୍ଚି ଜମିମାଲିକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୁ ପଥର ହଟାଇଛନ୍ତି ଜମି ମାଲିକ ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କିଛି ମାସ ତଳେ ତଦନ୍ତ ନକରି ବ୍ଲକ୍ ପ୍ରଶାସନ ପକ୍ଷରୁ ବାଣୁଆଗୁଡା ଓ ମାଣ୍ଡିଆଗୁଡା ଗାଁକୁ ରାସ୍ତା ନିର୍ମାଣ କରିଥିଲା । ଯାହାକି ଏହି ରାସ୍ତା କୁନୁ ବାଣୁଆଙ୍କ ବ୍ୟକ୍ତିଗତ ଜମିରେ ରହିଥିଲା । ଏବେ ଘର ନିର୍ମାଣ କରିବା ଲାଗି କୁନୁ ଗତ ୩ ତାରିଖରେ ଡିମାର୍କେସନ୍ କରିବା ଲାଗି ତହସିଲ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ । ନୀଳଗୁଣ୍ଡିପଦାର ପ୍ଲଟ୍ ନମ୍ବର ୬୭ ତାଙ୍କ ଜେଜେମାଆ ଡମୁଣି ବାଣୁଆଙ୍କ ନାଁରେ ରହିଛି । ପୂର୍ବପୁରୁଷର ଏହି ଜମିରେ ଘର ତିଆରି କରିବା ଲାଗି ଜମି ମାଲିକ କୁନୁ ଫାଉଣ୍ଡେସନ୍ ପାଇଁ ଗାତ ଖୋଳିଥିଲେ । ତେବେ ୬୭ ପ୍ଲଟ୍ ନିକଟରେ ସରକାରୀ ଜମି ଯାଉଥିବାରୁ ତଦନ୍ତ ପରେ ତହସିଲ ପକ୍ଷରୁ ତାଙ୍କୁ ଘର ନିର୍ମାଣ କରିବା ଲାଗି ବାରଣ କରାଯାଇଥିଲା । ହେଲେ ତାଙ୍କ ଜେଜେମାଆଙ୍କ ନାଁରେ ଥିବା ବ୍ୟକ୍ତିଗତ ଜମିରେ ପ୍ରଶାସନ କିପରି ରାସ୍ତା ନିର୍ମାଣ କଲା ବୋଲି ପ୍ରଶ୍ନ କରିଥିଲେ କୁନୁ । ଘର ନିର୍ମାଣ ଆଗରୁ ଗତ ୩ ତାରିଖରେ ସେ ତହସିଲ କାର୍ଯ୍ୟାଳୟରେ ଡିମାର୍କେସନ୍ କରିବା ଲାଗି ଆବେଦନ କରିଥିଲେ । ସେତେବେଳେ ତହସିଲର କର୍ମଚାରୀ ଏହାକୁ ଗୁରୁତ୍ୱ ଦେଇନଥିଲେ । ଏହାକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ସୋମବାର କୁନୁଙ୍କ ସମେତ ଗ୍ରାମବାସୀ ରାସ୍ତାରେ ପଥର ପକାଇ ଅବରୋଧ କରିଥିଲେ । ଦୁଇଖଣ୍ଡ ଗାଁର ମୁଖ୍ୟରାସ୍ତା ଅବରୋଧ ସମ୍ପର୍କରେ କେତେକ ଗ୍ରମବାସୀ ପ୍ରଶାସନକୁ ଅଭିଯୋଗ କରିଥିଲେ । ସବୁଦିନିଆ ରାସ୍ତା ଅବରୋଧ ଥିବାରୁ ଜରୁରୀ ସମୟରେ ଉଭୟ ଗାଁକୁ ଆମ୍ବୁଲାନ୍ସ ଆସିପାରିବ ନାହିଁ ବୋଲି ଅଭିଯୋଗ କରିଥିଲେ । ଖବରପାଇ ତହସିଲଦାର ଅଜୟ ପ୍ରକାଶ ତିର୍କି, ରାଜସ୍ୱ ନିରୀକ୍ଷକ ଅନୁପ କୁମାର ନାଗ, ଏଏସ୍ଆଇ ବାବୁଲା ପ୍ରଧାନ, ଅମିନ ବିଦ୍ୟାଧର ପ୍ରମୁଖ ମଙ୍ଗଳବାର ଗାଁରେ ପହଞ୍ଚି ଜମି ମାଲିକଙ୍କ ସହ ଆଲୋଚନା କରିଥିଲେ । ତଦନ୍ତ ବେଳେ ପ୍ରଶାସନ ବ୍ୟକ୍ତିଗତ ଜମିରେ ରାସ୍ତା ନିର୍ମାଣ କରିଥିବା ଜାଣିବାକୁ ପାଇଥିଲା । ରାସ୍ତା ଅବରୋଧ ନକରିବା ଲାଗି ଜମି ମାଲିକଙ୍କୁ ଅଧିକାରୀମାନେ ବୁଝାଇଥିଲେ । ଶେଷରେ ବ୍ୟକ୍ତିଗତ ଜମିରେ ଯେତିକି ରାସ୍ତା ଯାଇଛି, ସେତିକି ଜମି ସରକାରୀ ଜମିରୁ ଯୋଗାଇ ଦିଆଯିବ ବୋଲି ପ୍ରଶାସନିକ ଅଧିକାରୀମାନେ ଜମିମାଲିକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ପାଇବା ପରେ ଜମିମାଲିକ ରାସ୍ତାରୁ ପଥର ହଟାଇ ଦେଇଥିଲେ ।
ଜମିମାଲିକ କହିଛନ୍ତି ଯେ, ଭବିଷ୍ୟତରେ ସରକାରୀ ଜମିକୁ ପୁଣିଥରେ ଅଡୁଆ ପରିସ୍ଥିତି ଉପୁଜିବା ଆଶଙ୍କା ରହିଛି । ତେବେ ଲିଖିତ ପ୍ରତିଶ୍ରୁତି ମିଳିବା ଯାଏଁ ଏହି ବିବାଦର ସମାଧାନ ହୋଇପାରିବ ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ସରକାରୀ ଜମିରେ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏବେ ଦେଖିବାର କଥା, ଆଗକୁ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନେଉଛି, ତା’ ଉପରେ ରହିଛି ସମସ୍ତଙ୍କ ନଜର ।


Comments are closed, but trackbacks and pingbacks are open.