ପଥୁରିଆ ରାସ୍ତା ସମତଳ କଲେ ଗ୍ରାମବାସୀ

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): ପ୍ରଶାସନ ଶୁଣିଲାନି । ଶେଷରେ ଗାଁ ଲୋକେ ନିଜ ଉଦ୍ୟମରେ ରାସ୍ତା ସମତଳ କଲେ । ହାତରେ କୋଡି, କୋଦାଳ ଧରି ଦୀର୍ଘ ୪ ଦିନ ପରିଶ୍ରମ କରି ସଫଳ ହେଲେ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ସର୍ଗିପାଣି ଗାଁରେ ଏହା ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ସର୍ଗିପାଣି ଗାଁ ସଦର ପଞ୍ଚାୟତ ଚକଲାପଦରଠାରୁ ୮ କିମି ଦୂରରେ ରହିଛି । ଚକଲାପଦରକୁ ଯିବାକୁ ହେଲେ ସର୍ଗିପାଣି ଗାଁ ଲୋକେ ଦୁଇଟି ଛୋଟ ଓ ଅନ୍ୟ ଗୋଟିଏ ଏପରି ୩ ଟି ପାହାଡ ପାର୍କରି ୪ କିମି ଅଙ୍କାବଙ୍କା ଜଙ୍ଗଲିଆ ରାସ୍ତାରେ ଫୁଲଝରିଗାଁକୁ ଆସିଥାନ୍ତି । ଏଠାରୁ ପୁଣି ୨ କିମି କଂଗ୍ରା ଗାଁରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସଡକ ଧରିଥାନ୍ତି । ସର୍ଗିପାଣି ଗାଁ ଲୋକଙ୍କ ପାଇଁ ଫୁଲଝରିଗାଁ ପର୍ଯ୍ୟନ୍ତ ଦୀର୍ଘ ୪ କିମି ରାସ୍ତା ମରଣଯନ୍ତା ହୋଇଥିଲା । ଲୋକଙ୍କୁ ପଥୁରିଆ ଅଙ୍କାବଙ୍କା ଜଙ୍ଗଲିଆ ରାସ୍ତାରେ ଚାଲିଚାଲି ଯିବାକୁ ପଡୁଥିଲା । ଗାଁକୁ ରାସ୍ତା କରିବାକୁ ଲୋକେ ବାରମ୍ବାର ସ୍ଥାନୀୟ ନେତାଙ୍କୁ ଜଣାଇଥିଲେ । କିନ୍ତୁ କିଛି ଲାଭ ମିଳୁ ନଥିଲା । ଶେଷରେ ଲୋକେ ନିଜ ଉଦ୍ୟମରେ ପଥୁରିଆ ରାସ୍ତାକୁ ସମତଳ କରିବାକୁ ସ୍ଥିର କରିଥିଲେ । ନିଷ୍ପତ୍ତି ଅନୁସାରେ, ଗତ ୪ ଦିନ ହେଲା ଲୋକେ ହାତରେ କୋଡି, ଫାଉଡା ଧରି କାମ ଆରମ୍ଭ କରିଥିଲେ ।
ଗାଁର ଲଚ୍ଛନ ସାନ୍ତା, ସୁବାସ ସାନ୍ତା, ନୀଳକଣ୍ଠ ସାନ୍ତା ଓ ଦେବକୀ ସାନ୍ତା ପ୍ରମୁଖ କହିଛନ୍ତି, ଏହି ଗାଁରେ ୨୫ ଘର ଆଦିବାସୀ କନ୍ଧ ପରିବାର ରହୁଛନ୍ତି । ରାସ୍ତା ନିର୍ମାଣ ପାଇଁ ସର୍ଗିପାଣି ଓ ଫୁଲଝରିଗାଁ ଲୋକେ ଶ୍ରମଦାନ କରିଛନ୍ତି । କାମ ସମ୍ପୂର୍ଣ୍ଣ କରିବାକୁ ଆଉ ଦିନେ ଅବା ଦୁଇଦିନ ଲାଗିବ । ସରକାର ରାସ୍ତା ପାଇଁ ମନରେଗା ଯୋଜନାରେ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଏଠାରେ ଦୁଇ ଗାଁର ଲୋକ ବିନା ମଜୁରିରେ ଶ୍ରମଦାନ କରି ସରକାରୀ ବାବୁଙ୍କୁ ଚେତାଇ ଦେଇଛନ୍ତି । ଏ ସମ୍ପର୍କରେ ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଦୁରୁଆ କହିଛନ୍ତି, ସର୍ଗିପାଣି ଗାଁ ପାଇଁ ମନରେଗା ଯୋଜନାରେ ରାସ୍ତାକାମ ରଖାଯାଇଛି । ରାସ୍ତାକାମ କରିଥିବା ବ୍ୟକ୍ତିଙ୍କୁ ମନରେଗା ଯୋଜନାରେ ମଜୁରି ଦେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କଠାରୁ ବୁଝିବା ପରେ ପଦକ୍ଷେପ ନିଆଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons