ପବିତ୍ର ଇଦ୍-ଉଲ-ଜୁହା ପାଳିତ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନ୍ୟୁଜ୍): ତ୍ୟାଗ ଓ ବଳିଦାନର ପର୍ବ ହେଉଛି ଉଦ୍-ଉଲ-ଜୁହା । ଏହି ପର୍ବ ସମଗ୍ର ବିଶ୍ୱରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଥିବା ବେଳେ ଭଦ୍ରକରେ ମଧ୍ୟ ଅନୁରୂପ ଢ଼ଙ୍ଗରେ ପାଳନ ହୋଇଛି । ଆଲ୍ଲାଙ୍କ ନିକଟରେ ନିଜକୁ ସମର୍ପଣ ଓ ଉତ୍ସର୍ଗୀକୃତ ମନୋଭାବ ନେଇ ଆଜି ନିଷ୍ଠାର ସହ ଏହି ପର୍ବକୁ ପାଳନ କରିଥିଲେ ସମସ୍ତ ମୁସଲମାନ ଧର୍ମାବଲମ୍ବୀ । ଏହି ଉପଲକ୍ଷେ ଭଦ୍ରକ ପୌରାଞ୍ଚଳ କଦମବେଢ଼ାସ୍ଥିତ ଇଦ୍ଗା ପଡ଼ିଆଠାରେ ହଜାର ହଜାର ସଂଖ୍ୟାରେ ଇସଲାମ ଧର୍ମାବଲମ୍ବୀ ଏକତ୍ରିତ ହୋଇ ସମୂହ ନମାଜ ପାଠରେ ଭାଗ ନେଇଥିଲେ । ନମାଜ ପାଠ ପରେ ସମସ୍ତେ ପରସ୍ପରକୁ ଇଦ୍ ଶୁଭେଚ୍ଛା ଜଣାଇ ନିଜ ନିଜ ଘରକୁ ଫେରିଥିଲେ । କେବଳ ଇଦ୍ଗାହ ପଡ଼ିଆ ନୁହେଁ, ପୁରୁଣାବଜାରର ଜୁମା ମସ୍ଜିଦ, କଣ୍ଟାବଣିଆ, ନଙ୍ଗାମହଲା ସମେତ ସହରର ସମସ୍ତ ମସଜିଦରେ ମଧ୍ୟ ନମାଜ ପାଠ ହୋଇଥିଲା । ଆଜିର ପବିତ୍ର ଦିବସ ପାଇଁ ସହରର ସମସ୍ତ ମସଜିଦକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜା ଯାଇଥିଲା । ପୁରୁଣାବଜାରସ୍ଥିତ ମଦିନା ମଇଦାନ ଅହେମଦିଆ ମସ୍ଜିଦରେ ଇଦ୍-ଉଲ-ଜୁହା ଆନନ୍ଦ ଉଲ୍ଲାସର ସହ ପାଳନ ହୋଇଛି । ଏହି ଅବସରରେ ମୁଖ୍ୟ ପ୍ରଚାରକ ମୌଲାନା ସେକ୍ ଇସାକ୍ ଖୁଦ୍ବାରେ କହିଥିଲେ ଯେ ଇଦ୍-ଉଲ-ଜୁହା ଇସ୍ଲାମିକ ସମାଜରେ ବଳିଦାନ ଦିବସ ରୂପେ ସୁପରିଚିତ । ଉକ୍ତ ଦିବସରେ ଇସ୍ଲାମ ଧର୍ମର ଅନୁଗତମାନେ ମହାପୁରୁଷ ହଜରତ ଇବ୍ରାହିମ୍ଙ୍କ ବଳିଦାନକୁ ସ୍ମରଣ କରି ଏହି ପର୍ବ ପାଳନ କରିଥା’ନ୍ତି । ଯେହେତୁ ଇଦ୍ର ଅର୍ଥ ଖୁସି । ସମାଜରେ ବାସ୍ତବିକ ଖୁସି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ପ୍ରତିଷ୍ଠା ନିମନ୍ତେ ଆମ ସଭିଙ୍କୁ ତ୍ୟାଗ ଓ ବଳିଦାନ କରିବା ନିତାନ୍ତ ଆବଶ୍ୟକ ଅଛି । ଯଦି ପ୍ରତ୍ୟେକ ମନୁଷ୍ୟ ଉପରୋକ୍ତ ବଳିଦାନ ପାଇଁ ଆଗଭର ହୁଏ, ତେବେ ସମାଜରେ ଶାନ୍ତି ଓ ଭାତୃତ୍ୱ ଭାବ ପ୍ରତିଷ୍ଠା ହୋଇ ପାରିବ ବୋଲି ସେ ପ୍ରକାଶ କରିଥିଲେ । ଏହା ପରେ ବିଶ୍ୱ ଶାନ୍ତି ଓ ଭ୍ରାତୃଭାବ ପାଇଁ ନିରବ ପ୍ରାର୍ଥନା କରା ଯାଇଥିଲା । ଇଦ୍ଗାହ ପଡ଼ିଆରେ ବହୁ ସଂଖ୍ୟକ ହିନ୍ଦୁ ସଂପ୍ରଦାୟର ବ୍ୟକ୍ତି ଏବଂ ରାଜନେତାମାନେ ପହଞ୍ଚି ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭକାମନା ଜଣାଇଥିଲେ । ଏହି ଅବସରରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ, ସାଂସଦ ପ୍ରତିନିଧି ତଥା ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ଦଳିତ ନେତା ରାଜେନ୍ଦ୍ର ଯେନା, ବହୁ ସଂଖ୍ୟକ ପ୍ରାକ୍ତନ କାଉନସିଲରଙ୍କ ସହ ବହୁ ବ୍ୟକ୍ତି ଉପସ୍ଥିତ ରହି ଇସ୍ଲାମ ଧର୍ମାବଲମ୍ବୀମାନଙ୍କୁ ଶୁଭେଛା ଜଣାଇଥିଲେ । ଅନୁରୂପ ଜିଲ୍ଲାପାଳ ଜ୍ଞାନ ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମାଭକ୍ତ ମିଶ୍ର, ଉପଜିଲ୍ଲାପାଳ ପିତାମ୍ବର ସାମଲଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ମଧ୍ୟ ମୁସଲମାନ ଧର୍ମାବଲମ୍ବୀଙ୍କୁ ଏହି ଅବସରରେ ଶୁଭେଛା ଜଣାଇଛନ୍ତି । ଆଜି ଇଦ-ଉଲ-ଜୁହା ପାଳନ ଅବସରରେ ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏସପି ରାଜେଶ ପଣ୍ଡିତଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବହୁ ସଂଖ୍ୟକ ପୁଲିସ ଅଧିକାରୀ, ୧୭ପ୍ଲାଟୁନ ଓଏସଏଏଫ, ଏଏସଏପି, ଆଇବିଆର ଯବାନ ସହରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନମାନଙ୍କରେ ମୁତୟନ ରହି ସହରର ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons