ଅସ୍ତରଙ୍ଗ, (ବି.ବି.ନ୍ୟୁଜ୍): ପରକୀୟା ପ୍ରୀତି ସନ୍ଦେହରେ ଘଟିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ । ତା’ଠାରୁ ଆହୁରି ଭୟଙ୍କର ହୋଇଛି ହତ୍ୟା ପରେ ସ୍ତ୍ରୀର ମୁଣ୍ଡ କାଟିଦେଇଛି ସ୍ୱାମୀ । ଏହାପରେ କଟାମୁଣ୍ଡକୁ ଏକ ବ୍ୟାଗ୍ରେ ପୂରାଇ ୮ କି.ମି. ସାଇକେଲ୍ରେ ଯାଇ ଥାନାରେ ଆତ୍ମସମର୍ପଣ କରିଛି । ରବିବାର ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଛୁରିଅନା ପଞ୍ଚାୟତର ରାଇବେରୁଆଁ ଗ୍ରାମରେ ଘଟିଛି ଏହି ହୃଦୟବିଦାରକ ଘଟଣା । ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଏହି ହତ୍ୟାକାଣ୍ଡ ଅସ୍ତରଙ୍ଗ ଓ କାକଟପୁର ବ୍ଲକ୍ ସମେତ ସମଗ୍ର ପୁରୀ ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ରାଇବେରୁଆଁ ଗ୍ରାମର ହାଡ଼ିବନ୍ଧୁ ବେହୁରାଙ୍କ ପୁଅ ଗଣେଶ ବେହୁରା ୨୦୧୨ ଜୁନ୍ ମାସରେ କାକଟପୁର ବ୍ଲକ ଅଧିନ ଓଳଙ୍ଗର ଗ୍ରାମର ଶିଖର ସାହୁଙ୍କ ଝିଅ ଅନ୍ନପୂର୍ଣ୍ଣାଙ୍କୁ ବିବାହ କରିଥିଲେ । ଗଣେଶ ଚେନ୍ନାଇରେ ରହୁଥିବାରୁ ବିବାହ ପରେ ସ୍ତ୍ରୀକୁ ନିଜ ସହ ଚେନ୍ନାଇ ନେଇଯାଇଥିଲେ । ଚେନ୍ନାଇରେ ସେ ଚଳାଇଥିବା ଗ୍ରୋସରୀ ଦୋକାନରେ ଅନ୍ନପୂର୍ଣ୍ଣାଙ୍କୁ ନିୟୋଜିତ କରାଇଥିଲେ । ଗଣେଶର କହିବା ଅନୁଯାୟୀ ସେଠାରେ ରହିବା ସମୟରେ କେନ୍ଦ୍ରାପଡ଼ା ଅଞ୍ଚଳର ଜଣେ ଯୁବକଙ୍କ ସହିତ ତାଙ୍କର ଚିହ୍ନା ପରିଚୟ ହୋଇ ସମ୍ପର୍କ ଗଢ଼ିଉଠିଥିଲା । ଗଣେଶର ଅନୁପସ୍ଥିତିରେ ସେହି ଯୁବକ ତାଙ୍କ ଘରକୁ ଯିବା ଆସିବା କରୁଥିଲେ । ଏହା ଗଣେଶ ନଜରରେ ପଡ଼ିଥିଲା । ସେ ଉକ୍ତ ଯୁବକକୁ ନ ଆସିବା ପାଇଁ ବାରଣ କରିବା ସହ ସ୍ତ୍ରୀକୁ ଡାକି ତାଗିଦ୍ ମଧ୍ୟ କରିଥିଲେ । କିନ୍ତୁ ବାରମ୍ବାର ବାରଣ ସତ୍ତେ୍ୱ ଉକ୍ତ ଯୁବକ ତାଙ୍କ ଘରକୁ ଆସି ଅନ୍ନପୂର୍ଣ୍ଣାଙ୍କ ସହ ସମ୍ପର୍କ ରଖିଥିଲେ । ଏହାକୁ ନେଇ ଗଣେଶ ବିଭିନ୍ନ ସମୟରେ ସ୍ତ୍ରୀଙ୍କୁ ମାରଧର କରିଥିଲେ । ଅନ୍ନପୂର୍ଣ୍ଣା ଅସୁସ୍ଥ ଥିବାରୁ ତାଙ୍କୁ ଚେନ୍ନାଇର ଏକ ମେଡିକାଲ୍ରେ ଭର୍ତ୍ତି କରି ଗତ ଜୁଲାଇ ୨୪ ତାରିଖରେ ଏକୁଟିଆ ନିଜ ଗ୍ରାମକୁ ପଳାଇ ଆସିଥିଲେ ଗଣେଶ ।\nସେପଟେ ଅନ୍ନପୂର୍ଣ୍ଣା ସୁସ୍ଥ ହେବା ପରେ ନିଜ ବାପଘରକୁ ଏ ବିଷୟରେ ଜଣାଇଥିଲେ । ଖବର ପାଇବା ମାତ୍ରେ ଭାଇ ପ୍ରଶାନ୍ତ ସାହୁ ଚେନ୍ନାଇରେ ପହଞ୍ଚି ଭଉଣୀଙ୍କୁ ନିଜ ଗ୍ରାମ ଓଳଙ୍ଗରକୁ ଆଣିଥିଲେ । ଅନ୍ନପୂର୍ଣ୍ଣା ଓଳଙ୍ଗରରେ ଥିବା ସମୟରେ ଗଣେଶ ସେଠାରେ ପହଞ୍ଚି ‘ମୋ ସ୍ତ୍ରୀକୁ ମୁଁ ନେବି’ କହି ବାରମ୍ବାର ଶ୍ୱଶୁର ଘରେ ଝଗଡ଼ା କରୁଥିଲେ । ଶେଷରେ ଅଗଷ୍ଟ ୧୯ ତାରିଖରେ ଅସ୍ତରଙ୍ଗ ନିକଟସ୍ଥ ଉକୁଳେଇ ଠାକୁରାଣୀଙ୍କ ପୀଠରେ ଉଭୟ ପକ୍ଷ ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଅନ୍ନପୂର୍ଣ୍ଣାଙ୍କୁ ଆଉ ମାରଧର କିମ୍ବା ଗାଳିଗୁଲଜ କରିବ ନାହିଁ ବୋଲି ଗଣେଶ ଲିଖିତ ଚୁକ୍ତି କରିଥିଲେ । ସେହି ଅନୁଯାୟୀ ଗତ ୨୧ ତାରିଖରେ ଅନ୍ନପୂର୍ଣ୍ଣା ଶାଶୁଘର ରାଇବେରୁଆଁ ଗ୍ରାମକୁ ଫେରିଥିଲେ । ହେଲେ କାଳର ଗତି ଥିଲା ବିଚିତ୍ର । ଅନ୍ନପୂର୍ଣ୍ଣାଙ୍କ ପରକୀୟା ପ୍ରୀତି ସନ୍ଦେହରେ ପୂର୍ବରୁ କ୍ରୋଧିତ ଥିବା ଗଣେଶ ତାଙ୍କୁ ହତ୍ୟା କରିବା ପାଇଁ ସୁଚିନ୍ତିତ ଯୋଜନା କରିଥିଲେ । ଗତ ରବିବାର ବର୍ଷାରାତିରେ ଘରେ ସମସ୍ତେ ଶୋଇଯିବା ପରେ ଗଣେଶ ଉଠିଥିଲେ । ରାତ୍ର ୧୧ଟା ସମୟରେ ସେ ଅନ୍ନପୂର୍ଣ୍ଣାଙ୍କ ଡାହାଣ ପଟ ଛାତିକୁ ଶାବଳରେ ଭୁସି ହତ୍ୟା କରିଥିଲେ । ଏହାପରେ ଏକ ତୀକ୍ଷ୍ଣ ଅସ୍ତ୍ର ସାହାଯ୍ୟରେ ମୃତଦେହର ବେକ ଠାରୁ ମୁଣ୍ଡକୁ ଅଲଗା କରିଥିଲେ । ମୁଣ୍ଡକୁ ଏକ ବ୍ୟାଗ୍ରେ ଭର୍ତ୍ତି କରି ସାଇକେଲରେ ୮ କି.ମି. ବାଟ ଅତିକ୍ରମ କରି ରାତ୍ର ୧୨ ଘଟିକା ସମୟରେ ଅସ୍ତରଙ୍ଗ ଥାନାରେ ଆତ୍ମସମର୍ପଣ କରିଥିଲେ ।ହତ୍ୟା ଘଟଣା ପ୍ରଚାରିତ ହେବା ପରେ ଅସ୍ତରଙ୍ଗ ତହସିଲଦାର ଅଶୋକ କୁମାର ସ୍ୱାଇଁ, ପୁରୀରୁ ସାଇଣ୍ଟିଫିକ୍ ଟିମ୍, ଅସ୍ତରଙ୍ଗ ଥାନା ଆଇଆଇସି ଶରତ ଚନ୍ଦ୍ର ନାୟକ, ଓଆଇସି ସନାତନ ଖୁଣ୍ଟିଆ, ଛୁରିଅନା ସରପଞ୍ଚ ବିଦୁଲତା ବିଶ୍ୱାଳ, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ ପହଞ୍ଚିଥିଲେ । ପୁଲିସ ଘଟଣାର ପ୍ରାଥମିକ ତଦନ୍ତ କରିବା ସହ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ହୋଇଥିବା କଟୁରି, ଶାବଳ ଆଦି ମାରଣାସ୍ତ୍ର ଜବତ କରିଛି । ଅନ୍ୟପକ୍ଷରେ ଭଉଣୀର ହତ୍ୟାକାଣ୍ଡରେ ଶାଶୂଘରର ସମ୍ପୃକ୍ତି ଅଭିଯୋଗ ଆଣି ପ୍ରଶାନ୍ତ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲାରେ ସେ ଅନ୍ନପୂର୍ଣ୍ଣାଙ୍କ ଶ୍ୱଶୁର ହାଡ଼ିବନ୍ଧୁ ବେହୁରା, ଶାଶୁ କାଞ୍ଚନ ବେହୁରା, ଜାପାନ ବେହୁରା, ହସନ ବେହୁରା, ମିତା ବେହୁରା ଏବଂ ଟୁନି ବେହୁରାଙ୍କ ନାମ ଉଲ୍ଲେଖ କରିଛନ୍ତି । ଏମାନେ ସମସ୍ତେ ମିଶି ମୋ ଭଉଣୀକୁ ଯୌତୁକ ପାଇଁ ମାରି ଦେଇଥିବା ପ୍ରଶାନ୍ତ ଏତଲାରେ ଅଭିଯୋଗ କରିଛନ୍ତି । ଏହାପରେ ଗଣେଶର ପରିବାରର ସାତ ଜଣ ସଦସ୍ୟ ଅନ୍ନପୂର୍ଣ୍ଣାଙ୍କ ଦେଢ଼ବର୍ଷର ପୁଅକୁ ଧରି ଫେରାର ହୋଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଅସ୍ତରଙ୍ଗ ଥାନାର ତଦନ୍ତକାରୀ ଅଧିକାରୀଙ୍କୁ ପଚାରିବାରେ ସେ କହିଥିଲେ ଯେ, ଅଭିଯୁକ୍ତ ପ୍ରଶାନ୍ତ ବିରୋଧରେ ଆଇପିସିର ୪୯୮ ଏ, ୩୦୪ ବି , ୩୦୨ , ୩୪ ଧାରା ସହ ଯୌତୁକ ନିର୍ଯାତନା ଧାରା ଲଗାଯାଇ ଏକ ମାମଲା (ନଂ- ୮୨/୨୦୧୯) ରୁଜୁ କରାଯାଇଛି । ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଆସାମୀମାନଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ମିଳିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମୁଖ୍ୟ ଅଭିଯୁକ୍ତ ଗଣେଶଙ୍କ ଡାକ୍ତରୀ ମାଇନା ପରେ ମଙ୍ଗଳବାର ନିମାପଡ଼ା କୋର୍ଟଚାଲାଣ କରାଯିବ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି ।
Comments are closed, but trackbacks and pingbacks are open.