ପରପାରିରେ ଟ୍ରାଜେଡି କିଙ୍ଗ୍

Get real time updates directly on you device, subscribe now.

ମୁମ୍ବାଇ: ପରଲୋକରେ ଟ୍ରାଜେଡି କିଙ୍ଗ୍ । ଭାରତୀୟ ସିନେମା ଜଗତର ସର୍ବଶ୍ରେÂ ସମ୍ମାନ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ, ସର୍ବକାଳୀନ ଲୋକପ୍ରିୟ ଫିଲ୍ମ ‘ମୁଗଲ-ଏ-ଆଜମ୍’ର ନାୟକ ତଥା ବର୍ଷୀୟାନ୍ ବଲିଉଡ୍ ଅଭିନେତା ଦିଲ୍ଲୀପ କୁମାର ଆଉ ନାହାନ୍ତି । ବୁଧବାର ସକାଳ ୭.୩୦ ମିନିଟ୍ରେ ସବୁଦିନ ପାଇଁ ଦୁନିଆକୁ ଅଲ୍ବିଦା କହିଛନ୍ତି । ମୃତୁ୍ୟ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । ତାଙ୍କ ଦେହାନ୍ତ ସହ ହିନ୍ଦୀ ସିନେମାର ଏକ ଯୁଗର ଅନ୍ତ ଘଟିଛି ।
ଦୀର୍ଘ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିଲା । ତାଙ୍କୁ ଅନେକ ଥର ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା । ଗତ ମାସକ ମଧ୍ୟରେ ସେ ଦୁଇଥର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଶେଷଥର ପାଇଁ ଶ୍ୱାସକ୍ରିୟାରେ ସମସ୍ୟା ହେବାରୁ ଦିଲ୍ଲୀପ କୁମାରଙ୍କୁ ଜୁନ୍ ୨୯ ତାରିଖରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏହାପରେ ତାଙ୍କ ପାର୍ଥିବ ଶରୀରକୁ ପାଲିହିଲ୍ସ୍ଥିତ ଘରକୁ ଅଣାଯାଇଥିଲା । ସେଠାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ, ଏନ୍ସିପି ମୁଖ୍ୟ ଶରଦ ପାୱାର, ଅଭିନେତା ଶାହରୁଖ୍ ଖାନ୍, ଧର୍ମେନ୍ଦ୍ର, ଅନୁପମ ଖେର, କରଣ ଜୋହର, ବିଦ୍ୟା ବାଲାନଙ୍କ ପରି ଅନେକ ସେଲିବ୍ରିଟି ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ଜୁହୁସ୍ଥିତ ଶ୍ମଶାନରେ ସନ୍ଧ୍ୟା ୫ଟାରେ ତାଙ୍କୁ ସୁପୁର୍ଦ-ଏ-ଖାକ୍ କରାଯାଇଥିଲା । ପତ୍ନୀ ସାୟରା ବାନୋ ଶେଷ ସମୟ ପର୍ଯ୍ୟନ୍ତ ତାଙ୍କ ସହ ରହିଥିଲେ । ଏମିତି କି ଜୁହୁ ଶ୍ମଶାନ ପର୍ଯ୍ୟନ୍ତ ଯାଇ ତାଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ । ମହାରାଷ୍ଟ୍ର ସରକାର ତାଙ୍କୁ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ବିଦାୟ ଦେଇଛନ୍ତି ।
ଦିଲ୍ଲୀପ କୁମାରଙ୍କ ପ୍ରକୃତ ନାମ ଥିଲା ମହମ୍ମଦ ୟୁସୁଫ୍୍ ଖାନ୍ । ୧୯୨୨ ଡିସେମ୍ବର ୧୧ରେ ବ୍ରିଟିଶ ଇଣ୍ଡିଆର ପେଶାୱର(ବର୍ତ୍ତମାନ ପାକିସ୍ତାନ)ରେ ତାଙ୍କର ଜନ୍ମ ହୋଇଥିଲା । ସେ ନାସିକରେ ପାଠପଢ଼ା ସମାପ୍ତ କରିଥିଲେ । ମାତ୍ର ୨୨ ବର୍ଷର ହୋଇଥିବା ବେଳେ ତାଙ୍କୁ ପ୍ରଥମ ଫିଲ୍ମ ‘ଜ୍ୱାର-ଭଟ୍ଟା’ ମିଳିଥିଲା । ତାହା କିନ୍ତୁ ସେତେ ସଫଳ ହୋଇପାରି ନ ଥିଲା । ଦ୍ୱିତୀୟ ଫିଲ୍ମ ‘ପ୍ରତିମା’ ବି ଫ୍ଲପ୍ ହୋଇଥିଲା । ଏହାପରେ ତାଙ୍କ ଅଭିନୟକୁ ନେଇ ସମାଲୋଚନା କରାଯାଇଥିଲା । ତେଣୁ ସେ ଅଭିନୟକୁ ଗୁରୁତ୍ୱ ଦେବା ଆରମ୍ଭ କଲେ । ତାଙ୍କର ତୃତୀୟ ଫିଲ୍ମ ‘ମିଲନ୍’ ବକ୍ସ ଅଫିସ୍ରେ ହିଟ୍ ହେଲା । ସେହି ବର୍ଷ ତାଙ୍କର ଚତୁର୍ଥ ଫିଲ୍ମ ‘ଜୁଗ୍ନୁ’ ରିଲିଜ୍ ହେବା ସହ ବକ୍ସ ଅଫିସ୍ରେ ଭଲ ରେକର୍ଡ କଲା । ସେବେଠାରୁ ସେ ଆଉ ପଛକୁ ଚାହିଁନାହାନ୍ତି । ‘ଶହିଦ୍’, ‘ମେଲା’, ‘ନଦିୟା କେ ପାର୍’, ‘ବାବୁଲ’, ‘ଫୁଟପାଥ୍’, ‘ଦେବଦାସ’, ‘ନୟା ଦୌର’, ‘ମୁଗଲ-ଏ-ଆଜମ୍’, ‘ଗଙ୍ଗା-ଯମୁନା’, ‘ରାମ ଔର ଶ୍ୟାମ୍’, ‘ବିଧାତା’, ‘ସୌଦାଗର’, ‘କର୍ମା’ ପ୍ରଭୃତି ତାଙ୍କର ଉଲ୍ଲେଖନୀୟ ଫିଲ୍ମ ମଧ୍ୟରୁ ଅନ୍ୟତମ । ୧୯୯୮ ମସିହାରେ ତାଙ୍କର ଶେଷ ଫିଲ୍ମ ‘କିଲ୍ଲା’ ରିଲିଜ୍ ହୋଇଥିଲା ।
ଅଭିନୟ ପ୍ରତି ସମର୍ପିତ ଏହି ପ୍ରତିଭାଙ୍କୁ ମିଳିଥିବା ପୁରସ୍କାର ଓ ସମ୍ମାନର ତାଲିକା ଖୁବ୍ ଲମ୍ବା । ତାଙ୍କୁ ଭାରତୀୟ ସିନେମା ଜଗତର ସର୍ବଶ୍ରେÂ ସମ୍ମାନ ଦାଦା ସାହେବ ଫାଲ୍କେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହାଛଡ଼ା ପଦ୍ମବିଭୂଷଣ, ପଦ୍ମଭୂଷଣ ସମ୍ମାନ ବି ମିଳିଥିଲା । ପାକିସ୍ତାନ ସରକାର ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ ‘ନିଶାନ୍ ଏ ଇମ୍ତିଆଜ୍’ ପ୍ରଦାନ କରିଥିଲେ । ସର୍ବଶ୍ରେÂ ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ପାଇବାରେ ଦିଲ୍ଲୀପ କୁମାର ପ୍ରଥମ ଅଭିନେତା ଥିଲେ । ନିଜର ଫିଲ୍ମ କ୍ୟାରିୟର ମଧ୍ୟରେ ସେ ୧୦ ଥର ଏହି ପୁରସ୍କାର ଜିତିଥିଲେ । ୨୦୦୦-୨୦୦୬ ମସିହା ଯାଏ ରାଜ୍ୟସଭାର ସାଂସଦ ବି ଥିଲେ । ଫିଲ୍ମ ଜଗତକୁ ତାଙ୍କର ଜୀବନବ୍ୟାପୀ ଅବଦାନ ପାଇଁ ୨୦୦୬ରେ ଦିଲ୍ଲୀପଙ୍କୁ ସ୍ୱତନ୍ତ୍ର ପୁରସ୍କାର ବି ମିଳିଥିଲା ।
ସେ ନିଜଠାରୁ ୨୨ ବର୍ଷ ସାନ ସାୟରା ବାନୋଙ୍କୁ ବିବାହ କରିଥିଲେ । କିଛି ବର୍ଷ ପରେ ଅନ୍ୟଜଣେ ପାକିସ୍ତାନୀ ମହିଳା ଅସମାଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିନ୍ତୁ ୨ ବର୍ଷ ପରେ ଅସମାଙ୍କୁ ତଲାକ ଦେଇ ସେ ପୁଣିଥରେ ସାୟରାଙ୍କ ପାଖକୁ ଫେରିଆସିଥିଲେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଦିଲ୍ଲୀପ କୁମାରଙ୍କ ସମସ୍ତ ପ୍ରକାର ଯତ୍ନ ସାୟରା ହିଁ ନେଉଥିଲେ । ଏହି ଦମ୍ପତିଙ୍କର କୌଣସି ସନ୍ତାନସନ୍ତତି ନାହାନ୍ତି । ଏହା ପୂର୍ବରୁ ଗତବର୍ଷ କରୋନା ଯୋଗୁ ତାଙ୍କ ଦୁଇ ଭାଇଙ୍କର ପରଲୋକ ହୋଇଥିଲା ।
ଦିଲ୍ଲୀପ କୁମାରଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରସାମ୍ରାଜ୍ଞୀ ଲତା ମଙ୍ଗେସକର, ଅଭିନେତା ଧର୍ମେନ୍ଦ୍ର, ଅମିତାଭ ବଚ୍ଚନ ଓ ଅନେକ ବଲିଉଡ୍ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି । ଦିଲ୍ଲୀପଙ୍କ ପତ୍ନୀ ସାୟରା ବାନୋଙ୍କ ସହ ଫୋନ୍ରେ କଥା ହୋଇ ପ୍ରଧାନମନ୍ତ୍ରୀ ଶୋକ ତଥା ସମବେଦନା ବ୍ୟକ୍ତ କରିଛନ୍ତି । ଏଥିସହ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ଦିଲ୍ଲୀପ କୁମାରଜୀ ସିନେମା ଲିଜେଣ୍ଡ ଭାବେ ସବୁବେଳେ ମନେ ରହିବେ । ତାଙ୍କର ବିୟୋଗ ଆମ ସାଂସ୍କୃତିକ ଦୁନିଆ ପାଇଁ ଏକ ଅପୂରଣୀୟ କ୍ଷତି ।’

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons