ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ମତ ବିନିମୟ କରିଛନ୍ତି । ଏହି ଅବସରରେ ସେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପଚରାଯାଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ । ଦିଲ୍ଲୀରୁ ଜମ୍ମୁ-କାଶ୍ମୀର ଓ ଉତ୍ତରାଖଣ୍ଡରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିଥିଲେ । କାର୍ଯ୍ୟକ୍ରମ ଶେଷରେ ପ୍ରଧାନମନ୍ତ୍ରୀ ପିଲାଙ୍କ ଠାରୁ ବିଦାୟ ନେବା ବେଳେ ଭାବବିହ୍ୱଳ ହୋଇପଡ଼ିଥିଲେ । ସେମାନଙ୍କୁ କହିଥିଲେ ଭାରତ ସ୍ୱାଧୀନତା ଲାଭର ୧୦୦ ବର୍ଷ ପୂର୍ତ୍ତି ପାଳନ କରିବା ବେଳକୁ ଅର୍ଥାତ ଆଜକୁ ୩୦-୪୦ ବର୍ଷ ପରେ ଆପଣମାନେ ସଫଳତାର ଶୀର୍ଷରେ ପହଞ୍ଚôଥିବେ । ସେତେବେଳକୁ ଯଦି ସେ ଜୀବିତ ଥିବେ ତେବେ ନିଶ୍ଚିତ ସେମାନଙ୍କ ସହ ମିଶିବେ ଏବଂ ୨୦୨୦ କଥା ନିଶ୍ଚିତ ଭାବେ ମନେ ପକାଇବେ ।
ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଆୟୋଜିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କୁ ମୋଦି ଉଦ୍ବୋଧନ ଦେଇଥିଲେ । କହିଥିଲେ ଛାତ୍ରଛାତ୍ରୀମାନେ ପରୀକ୍ଷା ବେଳେ ଚାପଗ୍ରସ୍ତ ହେବା ଉଚିତ ନୁହେଁ । କେବଳ କାଗଜ ଭିତରେ କିଛି ନଥାଏ । ପରୀକ୍ଷାର ନମ୍ବର କେବଳ ଜୀବନ ନୁହେଁ । ଏହା ବାଦ୍ ଆଉ ଏକ ଜୀବନ ରହିଛି । ତାକୁ ହିଁ ଆପଣଙ୍କୁ ଜୀଇଁବାକୁ ପଡିବ । ଛାତ୍ରଛାତ୍ରୀ କିଛି ହେବାକୁ ନୁହେଁ, କିଛି କରିବାକୁ ସ୍ୱପ୍ନ ଦେଖିବା ଉଚିତ । ଏଥିରେ ସଫଳତା ମିଳିବ । ରାତି ଅପେକ୍ଷା ଭୋରରୁ ପଢ଼ିବା ଉଚିତ । ରାତିରେ ପଢ଼ିବା ସମୟରେ ଦିନବେଳରେ କରିଥିବା ସବୁ କାର୍ଯ୍ୟ ମନକୁ ଚାଲିଆସେ । ତେଣୁ ରାତିରେ ଶୋଇ ଭୋର ସମୟରେ ଉଠିବା ବେଳେ ମନ ସ୍ଥିର ରହିଥାଏ । ସେହି ସମୟରେ ପଢ଼ିବା ଦ୍ୱାରା ଭଲ ଫଳ ମିଳେ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବୈଷୟିକ କୌଶଳ ଉପରେ କେବଳ ଜ୍ଞାନ ହାସଲ କଲେ ହେବ ନାହିଁ । ଏହାକୁ ନିଜର ତଥା ସମାଜର ହିତ ପାଇଁ ପ୍ରୟୋଗ କରିବାକୁ ପଡିବ । ଟେକ୍ନୋଲୋଜିକୁ ଜୀବନର ସାଥୀ କର, କିନ୍ତୁ ଜୀବନର ଅଂଶ ହେବାକୁ ଦିଅନାହିଁ । ସେହିଭଳି ପାଠପଢ଼ା ନେଇ ପିଲାଙ୍କ ଉପରେ ଚାପ ନପକାଇବାକୁ ମୋଦି ଅଭିଭାବକ ଓ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି । କହିଛନ୍ତି ପିଲା ଛୋଟ ହୋଇଥିଲା ବେଳେ ପିତାମାତା ତାକୁ ଉତ୍ସାହିତ କରୁଥିଲେ । କିନ୍ତୁ ପିଲାମାନେ ବଡ଼ ହେଲା ପରେ ମଧ୍ୟ ସେମାନଙ୍କୁ ଉତ୍ସାହିତ କରାଯିବା ଉଚିତ । ପିଲାଙ୍କ ଉପରେ କୌଣସି ଚାପ ପକାଯିବା ଉଚିତ ନୁହେଁ । ଯେଉଁଥିରେ ପିଲାମାନେ ନିଜକୁ ସହଜ ଅନୁଭବ କରନ୍ତି ସେହି ବିଷୟରେ କଥାବାର୍ତ୍ତା କରିବା ଦରକାର । ଖେଳକୁଦ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ ମଧ୍ୟ ପିଲାଙ୍କ ଉପରେ ଚାପ ପକାଯିବା ଉଚିତ ନୁହେଁ ।
ଚନ୍ଦ୍ରଯାନ-୨ ଅଭିଯାନ କଥା ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହ ବିଫଳତା ହିଁ ସଫଳତାର ଶିଡ଼ି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଫଳତାରୁ ହିଁ ସଫଳତାର ଶିକ୍ଷା ମିଳେ । କୌଣସି କ୍ଷେତ୍ରରେ ଯଦି ଆପଣ ବିଫଳ ହୋଇଗଲେ ତେବେ ତାହାର ଅର୍ଥ ହେଉଛି ଆପଣ ସଫଳତାର ଆଗକୁ ବଢ଼ିଲେ । ଯଦି ଆପଣ ସେହିଠାରେ ଅଟକି ଯିବେ ତେବେ ଯେତେ ଚେଷ୍ଟା କଲେ ମଧ୍ୟ ଉଠିବା କଷ୍ଟକର ହୋଇପଡିବ । ସେହିଭଳି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ପ୍ରତ୍ୟେକ ପିଲା ସୁପର ପଲିଟିସିଆନ ଅଟନ୍ତି । ଘରେ କାହାଠାରୁ କେଉଁ କାମ କରାଇବାକୁ ପଡେ ତାହା ସେମାନେ ଭଲ ଭାବେ ଜାଣିଥାନ୍ତି ।
Comments are closed, but trackbacks and pingbacks are open.