ପରୀକ୍ଷା କମିଛି, ପଜିଟିଭ୍ ହାର ବଢୁଛି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶୁକ୍ରବାର ରାଜ୍ୟରେ ପରୀକ୍ଷା ହୋଇଛି ୩୬୧୧ ନମୁନା । ଏଥିରୁ ଶନିବାର ପଜିଟିଭ୍ ବାହାରିଛି ୧୭୩ । ଅର୍ଥାତ ଗୋଟିଏ ଦିନର ପଜିଟିଭ୍ ହାର ହେଉଛି ୫ଧ । ଗତକାଲି ସୁଦ୍ଧା ଏହି ପଜିଟିଭ ହାର ରାଜ୍ୟରେ ଥିଲା ୧.୬ଧ । ଏହା ଭିତରେ ପଜିଟିଭ୍ ହାର ଦିନକୁ ଦିନ ବଢ଼ିଛି । କିନ୍ତୁ ନମୁନା ପରୀକ୍ଷା ସଂଖ୍ୟା କମି କମି ଚାଲିଛି ।
ଦୁଇ ସପ୍ତାହ ତଳେ ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ସାଢେ଼ ୫ ହଜାର ଟପିଥିଲା । ସେତେବେଳେ ସବୁଦିନ ପରୀକ୍ଷା ୫ ହଜାର ଉପରେ ରହୁଥିଲା । ପଜିଟିଭ୍ ସଂଖ୍ୟା କିନ୍ତୁ ଶହେ ତଳେ ରହୁଥିଲା । ପଜିଟିଭ୍ ହାର ସେତେବେଳେ ଦେଢ଼ ପ୍ରତିଶତ ପାଖାପାଖି ରହୁଥିଲା । ଏବେ କିନ୍ତୁ ପଜିଟିଭ୍ ସଂଖ୍ୟା ବଢିଥିଲେ ମଧ୍ୟ ନମୁନା ପରୀକ୍ଷା କମିଛି ।
ରାଜ୍ୟ ସରକାର ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢ଼ାଇ ୧୭ କରିଛନ୍ତି । ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ, ଏମ୍ସ, ଆର୍ଏମ୍ଆରସି, ଆଇଏଲ୍ଏ ସହ ଘରୋଇ ହସ୍ପିଟାଲକୁ ମଧ୍ୟ ଟେଷ୍ଟିଂ ଅନୁମତି ମିଳିଛି । ଏବେ ରାଜ୍ୟରେ ସବୁଦିନ ରାଜ୍ୟରେ ୭ ହଜାର ନମୁନା ପରୀକ୍ଷା ହୋଇ ପାରିବ । କ୍ଷମତା ବଢ଼ିଛି ସତ, ହେଲେ ପରୀକ୍ଷା ବଢ଼ିବ କ’ଣ? ଏବେ କମିଛି ।
ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ କହିବା କଥା ହେଲା, ଆଇସିଏମ୍ଆର୍ ଗାଇଡ଼ଲାଇନ ବଦଳିଛି । ଏବେ ଖାଲି ଲକ୍ଷଣ ଥିବା ଅର୍ଥାତ ଥଣ୍ଡା, ଜ୍ୱର ଓ ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବା ବ୍ୟକ୍ତିର ହିଁ ନମୁନାର ପରୀକ୍ଷା ହେଉଛି । ଆଇସିଏମ୍ଆର୍ ଗାଇଡ଼ଲାଇନ୍ ଅନୁସାରେ ପରୀକ୍ଷା ହେଉଥିବାରୁ ପରୀକ୍ଷା ସଂଖ୍ୟା କମିଛି ।
ରାଜ୍ୟରେ ଏବେ କେବଳ ଲକ୍ଷଣ ଥିବା ବ୍ୟକ୍ତିଙ୍କ ନମୁନା ସଂଗ୍ରହ ଯୋଗୁ ପରୀକ୍ଷା ହାର କମିଥିବା ସ୍ୱାସ୍ଥ୍ୟ ବିଭାଗ ସଫେଇ ରଖୁଥିବା ବେଳେ ଦେଶରେ କିନ୍ତୁ ପରୀକ୍ଷା ସଂଖ୍ୟା ବଢି ବଢି ଚାଲିଛି । ମେ ୨୫ରେ ଦେଶରେ ୯୨,୫୨୮ ଟି ନମୁନା ପରୀକ୍ଷା ହୋଇଥିବା ବେଳେ ଓଡ଼ିଶାରେ ଏ ସଂଖ୍ୟା ଥିଲା ୩୯୪୨ । ୨୬ ତାରିଖରେ ଦେଶରେ ୧,୧୬୦୪୧ ନମୁନା ପରୀକ୍ଷା ହୋଇଥିବା ବେଳେ ଓଡ଼ିଶାରେ ସଂଖ୍ୟା ୩୮୧୯ କୁ ଖସିଥିଲା । ୨୭ ତାରିଖରେ ଦେଶରେ ୧,୧୯,୯୭୬ ନମୁନା ପରୀକ୍ଷା ହୋଇଥିବା ବେଳେ ରାଜ୍ୟରେ ସଂଖ୍ୟା ୪,୬୭୯ ହୋଇଥିଲା । ପରେ କିନ୍ତୁ ପୁଣି କମିଥିଲା ସଂଖ୍ୟା । ୨୮ ତାରିଖରେ ୧,୨୧,୭୦୨ ପରୀକ୍ଷା ହୋଇଥିବା ବେଳେ ସଂଖ୍ୟା ୩,୦୩୭କୁ ଖସି ଆସିଥିଲା ।
ଗୋଟିଏ ପଟେ ଗାଇଡଲାଇନରେ ସଂଶୋଧନ ପରେ ଦେଶରେ ନମୁନା ପରୀକ୍ଷା ସଂଖ୍ୟା ବଢୁଛି । ହେଲେ ରାଜ୍ୟରେ ଏ ସଂଖ୍ୟା କମି ଚାଲିଛି । ରାଜ୍ୟରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ଥିଲେ ଲକ୍ଷଣ ବିହୀନ । ସେତେବେଳେ ଲକ୍ଷଣ ବିହୀନ ଆକ୍ରାନ୍ତଙ୍କ ପରୀକ୍ଷା ହେଉଥିଲା । ପରୀକ୍ଷା ତୁଳନାରେ କିନ୍ତୁ ପଜିଟିଭ୍ ହାର କମ୍ ଥିଲା । ଏବେ କିନ୍ତୁ କେବଳ ଲକ୍ଷଣ ଥିବା ବ୍ୟକ୍ତିଙ୍କ ନମୁନା ପରୀକ୍ଷା ହେଉଛି । ନମୁନା ପରୀକ୍ଷା ସଂଖ୍ୟା କମୁଥିବାରୁ ଯେତିକି ବାହାରୁଛନ୍ତି । ତାଠୁ ବେଶି ଲୁଚି ଯାଉଥିବାର ମଧ୍ୟ ଆଶଙ୍କା ବଢ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons