ପରୀ ହତ୍ୟା ମାମଲା: ମାଳିସାହି କଲେଜରେ ଏସଆଇଟି ଟିମ୍

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନୁ୍ୟଜ): ନୟାଗଡ଼ ଜିଲ୍ଲା ଯଦୁପୁର ଗାଁର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କଲେଜ ଛାତ୍ର ନାବାଳାକ ନା ସାବାଳକ ସେ ନେଇ ପ୍ରମାଣ ଯୋଗାଡ଼ରେ ଲାଗିଛି ଏସ୍ଆଇଟି । ଆଜି ହଠାତ୍ ଏସ୍ଆଇଟିର ଏକ ଦୁଇ ଜଣିଆ ଟିମ୍ ଅଭିଯୁକ୍ତ ପଢୁଥିବା କଲେଜରେ ପହଞ୍ଚି ତାର ଜନ୍ମ ତାରିଖ ସମ୍ପର୍କରେ ଖୋଳତାଡ଼ କରିଛନ୍ତି । ଏଥି ସହ ଅଭିଯୁକ୍ତ ସେହି କଲେଜରେ ପ୍ରକୃତରେ ପଢ଼ୁଥିଲା କି ନାହିଁ ସେ ସମ୍ପର୍କରେ ମଧ୍ୟ ଯାଞ୍ଚ କରିଥିଲେ ।
ଗତ ୨୦ ତାରିଖରେ ଅଭିଯୁକ୍ତ କଲେଜ ଛାତ୍ରକୁ ଏସ୍ଆଇଟି ଯଦୁପୁରରୁ ଗିରଫ କରି ୨୧ତାରିଖରେ ପୋକ୍ସୋ କୋର୍ଟରେ ହାଜର କରାଇଥିଲା । ସେତେବେଳେ ଏସ୍ଆଇଟି ଓସିଫିକେସନ୍ ସାର୍ଟିଫିକେଟ ବଳରେ ଅଭିଯୁକ୍ତକୁ ସାବାଳକ ଦର୍ଶାଇଥିଲା । ଅଭିଯୁକ୍ତର ଓକିଲ କୋର୍ଟରେ ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ୍ ସାର୍ଟିଫିକେଟ ଦାଖଲ କରି ଅଭିଯୁକ୍ତର ଜନ୍ମ ତାରିଖ ୨୦୦୩ ମସିହା ଫେବ୍ରୁଆରୀ ୬ତାରିଖ ବୋଲି ଯୁକ୍ତି ଦର୍ଶାଇଥିଲେ । ସମସ୍ତ କାଗଜପତ୍ର ତର୍ଜମା କରି କୋର୍ଟ ଅଭିଯୁକ୍ତ ଜଣେ ନାବାଳକ ବୋଲି ରାୟ ଶୁଣାଇଥିଲେ । ଉକ୍ତ ଦିନ କୋର୍ଟଙ୍କ ନିଦେ୍ର୍ଧଶ କ୍ରମେ ଅଭିଯୁକ୍ତକୁ ଜୁଭେନାଇଲ ବୋର୍ଡରେ ହାଜର କରାଯାଇଥିଲା । ସେହି ଦିନଠାରୁ ଅଭିଯୁକ୍ତ ନୟାଗଡ଼ ଜେଲ୍ ବଦଳରେ ଅନୁଗୁଳସ୍ଥିତ ବାଳସୁଧାର ଗୃହରେ ରହିଆସୁଛି ।
ଏବେ ଏସ୍ଆଇଟି ଅଭିଯୁକ୍ତର ଜନ୍ମ ତାରିଖ ସମ୍ପର୍କରେ ସତ୍ୟାସତ୍ୟ ସଂଗ୍ରହ କରିବାରେ ଲାଗିଛି । ମଙ୍ଗଳବାର ମଧ୍ୟାହ୍ନରେ ଏସ୍ଆଇଟି ଟିମ୍ ଅଭିଯୁକ୍ତ ପଢୁଥିବା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଳିସାହି ଗତିଶ୍ୱର ଡିଗ୍ରୀ କଲେଜରେ ପହଞ୍ଚି ଥିଲା । ଅଭିଯୁକ୍ତ ଏହି କଲେଜର ଯୁକ୍ତ ତିନି ପ୍ରଥମ ବର୍ଷ କଳା ଛାତ୍ର ହୋଇଥିବାରୁ ନାମ ଲେଖା ରେଜିଷ୍ଟରରୁ ଜନ୍ମ ତାରିଖ ଯାଞ୍ଚ କରିବା ପାଇଁ କ୍ରାଇମ୍ ବ୍ରାଞ୍ଚ୍ ଏସ୍ପି ଆର୍. କେ ଦୋରା ଓ ଇନ୍ସ୍ପେକ୍ଟର ନରେନ୍ଦ୍ର କୁମାର ବେହେରା କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର କରଙ୍କୁ ଭେଟିଥିଲେ । ସମସ୍ତ କାଗଜପତ୍ର ତନାଘନା ପରେ ଏସ୍ଆଇଟି ଅଭିଯୁକ୍ତର ଜନ୍ମ ତାରିଖର ନକଲ ସାଥୀରେ ନେଇ ଫେରିଛି । ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ କଲେଜରୁ ଏସ୍ଆଇଟି ହାତରେ ପଡିଥିବା ପ୍ରମାଣରେ ଅଭିଯୁକ୍ତର ଜନ୍ମ ତାରିଖ ୨୦୦୩ ଫେବ୍ରୁଆରୀ ୬ ତାରିଖ ରହିଛି । ଅଭିଯୁକ୍ତର ଓକିଲ କୋର୍ଟରେ ଦାଖଲ କରିଥିବା ଜନ୍ମ ପ୍ରମାଣପତ୍ର ସହ ଏହି ପ୍ରମାଣପତ୍ର ଖାପ ଖାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons