
କଟକ,(ବି.ବି.ବୁ୍ୟରୋ): ଜଳରାଶି ଅନ୍ତର୍ଭୁକ୍ତ ରାଜ୍ୟର ପର୍ଯ୍ୟଟନ ସମ୍ଭାବନାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଏହାର ଭିତ୍ତିଭୂମି ବିକାଶ କରାଯାଉଛି । କଟକଠାରେ ମହାନଦୀର ଏହି ମନୋଜ୍ଞ ପରିବେଶରେ ମନୋରଞ୍ଜନ ଓ ଦୁଃସାହସିକ ଜଳକ୍ରୀଡ଼ା ପର୍ଯ୍ୟଟନର ମାନକୁ ବହୁତ ଉଦ୍ଧ୍ୱର୍କୁ ନେବ । ଆଜି କଟକଠାରେ ସିଲଭର୍ ସିଟି ବୋଟ୍ କ୍ଲବ୍କୁ ଉଦ୍ଘାଟନ କରିବା ଅବସରରେ ଏଭଳି ମତବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଭର୍ଚୁଆଲ୍ ପ୍ଲାଟଫର୍ମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ବୋଟ୍ କ୍ଲବ୍ର ଲୋକାର୍ପଣ କରିଛନ୍ତି । ନିଜ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ କହିଲେ, ବାତ୍ୟା ଫୋନି ଦ୍ୱାରା ଏହି ବୋଟ୍ କ୍ଲବ୍ ଯଥେଷ୍ଟ ପ୍ରଭାବିତ ହୋଇଥିଲା । ପରେ ସହରବାସୀଙ୍କ ମନୋରଞ୍ଜନକୁ ଦୃଷ୍ଟି ଦେଇ ରାଜ୍ୟ ସରକାର ଏହାର ବିକାଶ କଥା ଚିନ୍ତା କରିଥିଲେ । ଭିତ୍ତିଭୂମି ବିକାଶ କରାଯାଇ ଫ୍ଲୋଟିଂ ଜେଟି, ଲାଇଫ୍ଗାର୍ଡ, ଟଏଲେଟ୍ କମ୍ପେ୍ଲକ୍ସ, ରେଷ୍ଟୁରାଣ୍ଟ, ପାର୍କିଂ ଓ ପିଲାମାନଙ୍କ ପାଇଁ ଖେଳପଡିଆର ନବୀକରଣ କରାଯାଇଛି । ଆଗକୁ ଏହାର ଆହୁରି ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ଆଜିର ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ କଟକ ତଥା ନିକଟତମ ଜିଲ୍ଲାମାନଙ୍କରେ ଜଳଭିତ୍ତିକ ପର୍ଯ୍ୟଟକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ଏହା ତିଆରି ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ସାଂସଦ ଭର୍ତ୍ତୃହରି ମହତାବ ନିଜ ବକ୍ତବ୍ୟରେ ସାମୁଦ୍ରିକ ସଂଗ୍ରହାଳୟକୁ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱାରୋପ କରିଥିଲାବେଳେ ସାଂସଦ ସୁବାସ ସିଂହ ସିଲଭର ସିଟି କ୍ଲବ୍ରେ ରାତି ରହଣି ପାଇଁ ଅତିରିକ୍ତ ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ପର୍ଯ୍ୟଟନ ବିଭାଗର ଶାସନ ସଚିବ ବିଶାଲ କୁମାର ଦେବ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପର୍ଯ୍ୟଟନ ବିଭାଗର ନିଦେ୍ର୍ଧଶ ସଚିନ ରାମଚନ୍ଦ୍ର ଯାଦବ ଉପସ୍ଥିତ ଥିଲେ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଧନ୍ୟବାଦ ଦେଇଥିଲେ ।
ସୂଚନାଯୋଗ୍ୟ, ଦୁଇ କୋଟି ଟଙ୍କା ବିନିଯୋଗରେ ଏହି କ୍ଲବ୍ର ନବୀକରଣ କରାଯାଇଛି । ଦୁଇଜଣ ଅପରେଟର୍ଙ୍କ ଦ୍ୱାରା ଏହି ଜଳକ୍ରୀଡା କରାଯିବାକୁ ସ୍ଥିରକୃତ କରାଯାଇଛି । ଏବେ ସୁଦ୍ଧା ୧୫ଟି ବୋଟ୍ ଉପଲବ୍ଧ ରହିଛି । ଜେଟ୍ ସ୍କି, ସ୍ପିଡ୍ ବୋଟ୍, ଡେ କ୍ରୁଜ୍, ବାନାନା ବୋଟ୍, ଇନ୍ଫ୍ଲେଟେବଲ୍ ବୋଟ୍, ୱାଟର୍ ସ୍କୁଟର, ଫ୍ଲୋଟିଂ କାଫେ, କାୟାକିଂ, କାନୋଇଂ, ପେଡାଲ୍ ବୋଟ୍, ସ୍କୁବା ଡାଇଭିଂ ଇତ୍ୟାଦି ଅନ୍ତର୍ଭୁକ୍ତ କରାଯାଇଛି । ଆଗକୁ ଆହୁରି ଅଧିକ ଅପରେଟରଙ୍କୁ ନିୟୋଜନ କରିବାକୁ ପଦକ୍ଷେପ ନିଆଯିବ ବୋଲି ସୂଚନା ପ୍ରଦାନ କରାଯାଇଛି ।
Comments are closed, but trackbacks and pingbacks are open.