ପଲିଥିନ୍ ଢଙ୍କା ଖପର ତଳେ ଦୟନୀୟ ଜୀବନ

Get real time updates directly on you device, subscribe now.

ଚନ୍ଦାହାଣ୍ଡି,(ବି.ବି.ନୁ୍ୟଜ୍): ବଖୁରିଏ ମାଟି ଘର । ଉପରେ ପଡ଼ିଛି କେଇଖଣ୍ଡ ଖପର । ତାହା ବି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ପଲିଥିନ୍ ଢାଙ୍କି ଏହାରି ତଳେ ମୁଣ୍ଡ ଗୁଞ୍ଜିଛନ୍ତି ଗୋଟିଏ ପରିବାରର ୩ ପ୍ରାଣୀକୁଟୁମ୍ବ । ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ବହୁବାର ପ୍ରଶାସନ ପାଖରେ ନେହୁରା ହୋଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ପରିବାରର ଦୁଃଖ ଦୂର କରିବାରେ ସମର୍ଥ ହୋଇନି ପ୍ରଶାସନ । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ପାଟଖଲିଆ ପଞ୍ଚାୟତ ଅନ୍ତର୍ଗତ ଧୁରୁଆପଡା ହରିଜନସାହିର ରୂପସିଂ ସୁନାନୀ ।
ଅତ୍ୟନ୍ତ ଗରିବ ପରିବାର । ବାପାମାଆ ବଞ୍ଚିଥିବା ସମୟରେ ପାଠପଢ଼ାରେ ଡୋରି ବାନ୍ଧିଥିଲେ ରୂପସିଂ । ଶ୍ରମିକ ଭାବେ କାମ କରି ପରିବାର ଚଳାଇ ଆସୁଥିଲେ । ବାପାମାଆଙ୍କ ମୃତୁ୍ୟ ପରେ ଭଙ୍ଗା ଘର ଖଣ୍ଡିକରେ ରହି ଆସୁଛନ୍ତି । ସ୍ତ୍ରୀ ଓ କୁନି ଝିଅଟିଏ ସହ ଦୟନୀୟ ଜୀବନ ବିତାଉଛନ୍ତି । ଉଭୟ ସ୍ୱାମୀ-ସ୍ତ୍ରୀ କୁଲି ମଜୁରି ଲାଗି ଜୀବନ ବିତାଉଥିଲେ । ଡାକ୍ତରଙ୍କ ଦୟାରେ ଏବେ ରୂପସିଂଙ୍କୁ ଚନ୍ଦାହାଣ୍ଡି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଲ୍ ଆଣ୍ଡ ଟି କମ୍ପାନି ଦ୍ୱାରା ଝାଡୁଦାର ଭାବେ ନିଯୁକ୍ତି ଦିିଆଯାଇଛି । ମାସକୁ ମିଳୁଛି ୩ ହଜାର ଟଙ୍କା । ସେଥିରେ ସମସ୍ତ ଖର୍ଚ୍ଚ ତୁଲାଇବାକୁ ପଡୁଛି । ମୁଣ୍ଡ ଗୁଞ୍ଜିବା ଲାଗି ଘର ଖଣ୍ଡିଏ ତିଆରି କରିପାରୁନାହାନ୍ତି । ଆଜିର ମହରଗ ଦୁନିଆରେ ୩ ହଜାର ଟଙ୍କାରେ ୩ ପ୍ରାଣୀ ଚଳିବା କଷ୍ଟକର ହୋଇପଡିଛି ।
ବର୍ଷା ଦିନେ ରୂପସିଂଙ୍କ ପରିବାରକୁ ରାତି ଉଜାଗର ରହିବାକୁ ପଡୁଛି । ଘର ଭିତରେ ଜମି ରହୁଛି ବର୍ଷା ପାଣି । ଗତ ବର୍ଷା ସମୟରେ ପଲିଥିନ୍ ଖଣ୍ଡିଏ ପାଇଁ ପ୍ରଶାସନ ପାଖରେ ଗୁହାରି କରିଥିଲେ । ନମିଳିବାରୁ ବାଧ୍ୟ ହୋଇ ପଲିଥିନ୍ ଖଣ୍ଡିଏ କିଣି ଭଙ୍ଗା ଖପର ଉପରେ ଘୋଡାଇଛନ୍ତି । ଦଲକାଏ ପବନ ବହିଲେ ଛାତିରେ ଛନକା ପଶୁଛି । ଘର ଖଣ୍ଡିଏ ପାଇଁ ବହୁବାର ପଲ୍ଲିସଭାଠାରୁ ଆରମ୍ଭ କରି ସାଂସଦ ଏବଂ ବିଧାୟକଙ୍କ ପାଖରେ ଗୁହାରି କରିଛନ୍ତି । କିନ୍ତୁ କେହି ହେଲେ ଦୁଃଖ ବୁଝିନାହାନ୍ତି । ଆଗକୁ ଆସୁଛି ଖରା ଓ ତା’ପରେ ବର୍ଷା ଦିନ । ରୂପସିଂଙ୍କ ଛାତି ଧଡ୍ଧଡ୍ ହେଉଛି । କୌଣସି ଅଘଟଣ ଘଟିବା ପୂର୍ବରୁ ବ୍ଲକ୍ ପ୍ରଶାସନ ତୁରନ୍ତ ରୂପସିଂଙ୍କୁ ଆବାସ ଯୋଜନାରେ ଘରଟିଏ ଯୋଗାଇବାକୁ ଦାବି ହୋଇଛି ।
ଏ ସମ୍ପର୍କରେ ଆମେ ବିଡିଓ ଦେବେନ୍ଦ୍ର ବଳଙ୍କ ସହ ଯୋଗାଯୋଗ କରିଥିଲୁ । ସେ କହିଛନ୍ତି, ଧୁରୁଆପଡା ଗାଁକୁ ଯାଇ ରୂପସିଂଙ୍କ ପରିବାରକୁ ଭେଟିବେ । ଯଥାଶୀଘ୍ର ଘରଟିଏ ଯୋଗାଇବା ଦିଗରେ ପଦକ୍ଷେପ ନେବେ । ଏବେ ଦେଖିବାର କଥା, ରୂପସିଂଙ୍କୁ ଘର ଯୋଗାଇବାରେ ବ୍ଲକ୍ ପ୍ରଶାସନ କେବେ ସଫଳ ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons