ଜଗତସିଂହପୁର,(ବି.ବି.ନୁ୍ୟଜ୍): ନାଉଗାଁ ପରେ ଆଜି ଜଗତସିଂହପୁର ସହର ଉପକଣ୍ଠ ପଲ୍ଲୀ ପଞ୍ଚାୟତରେ ଫୁଟିଛି ବୋମା । ବୋମାମାଡ଼ରେ ଉକ୍ତ ଅଞ୍ଚଳର ଯୁବକ ପ୍ରଭାତ ଗାଆଣ(୨୬) ଆହତ ହୋଇଛନ୍ତି । ଆହତ ପ୍ରଭାତଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ବୋମାମାଡ଼ କରାଯାଇଥିବା ସନେ୍ଦହ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚô ତନାଘନା ଚଳାଇବା ସହ ବୋମାମାଡ଼ର ପ୍ରକୃତ କାରଣ ଏବଂ କେଉଁମାନଙ୍କର ଏଥିରେ ସଂପୃକ୍ତି ରହିଛି ତାହା ଜାଣିବାକୁ ପ୍ରୟାସ ଜାରି ରଖିଛି ।
ମିଳିଥିବା ଖବର ମୁତାବକ, ସୋମବାର ରାତିରେ ପଲ୍ଲୀର ପ୍ରଭାତ ଗାଆଣ ପଞ୍ଚାୟତର ତ୍ରିବେଣୀ ପୋଖରୀ ନିକଟରେ ବସିଥିଲେ । ଏହି ସମୟରେ ଏକ ଆପାଚି ବାଇକ୍ରେ ଦୁଇ ଜଣ ଯୁବକ ଆସି ବୋମାମାଡ଼ କରିଥିଲେ । ଅନ୍ଧାର ହୋଇଥିବାରୁ ବୋମାମାଡ଼ କିଏ କରିଥିଲେ ତାହା ଜାଣିବା ସମ୍ଭବପର ହୋଇନଥିଲା । ତେବେ ଅନଗଡ଼ର ହାପୁ ବୋମା ଫିଙ୍ଗିଥିବା ନେଇ ଆହତ ପ୍ରଭାତ ଗଣମାଧ୍ୟମକୁ ଜଣାଇଛନ୍ତି । ଅପରପକ୍ଷେ ଆହତଙ୍କ ପରିବାରବର୍ଗଙ୍କ କହିବା କଥା, କିଛି ଦିନ ତଳେ ପ୍ରଭାତଙ୍କ ମୋବାଇଲକୁ ଖରାପ ମେସେଜ୍ ଛାଡ଼ିଥିଲା ହାପୁ । ଏହାକୁ ନେଇ ହାପୁ ସହ ପ୍ରଭାତଙ୍କର ବଚସା ହୋଇଥିଲା । ଏମିତିକି ଦୁଇ ଜଣଙ୍କ ଭିତରେ ଧସ୍ତାଧସ୍ତି ହେବାରୁ ହାପୁଙ୍କ ନାକ ଫାଟି ଯାଇଥିଲା । ପରେ ସେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ଏହି ଘଟଣାର ଆପୋସ ସମାଧାନ ପାଇଁ ଉଦ୍ୟମ ହୋଇଥିଲେ ସୁଦ୍ଧା ହାପୁ ରାଜି ହୋଇ ନଥିଲା । ଯାହାଫଳରେ ପୂର୍ବ ରାଗ ରଖି ହାପୁ ଏଭଳି ଆକ୍ରମଣ କରିଥିବା ପରିବାର ବର୍ଗ କହିଛନ୍ତି । ପୁଲିସ କିନ୍ତୁ ବୋମାମାଡ଼ ପଛରେ ପ୍ରେମ ସଂପର୍କ ଥାଇପାରେ ବୋଲି ସନେ୍ଦହ କରୁଛି । ଏପଟେ ବୋମାମାଡ଼ ସ୍ଥଳରୁ ନିଶା ଦ୍ରବ୍ୟର ଟୁକୁଡ଼ା ପଡ଼ିଥିବା ପୁଲିସ ଦେଖିଛି । ହେଲେ ବୋମାମାଡ଼ ପରେ ପୂରା ଅଞ୍ଚଳ ଜନଶୂନ୍ୟ ହୋଇପଡ଼ିଥିବାରୁ ପୁଲିସକୁ ଅଧିକ କିଛି ସୁରାକ୍ ମିଳିପାରି ନାହିଁ । ତଥାପି ଆହତ ପ୍ରଭାତଙ୍କର ବୟାନ ଅନୁସାରେ ପୁଲିସ ହାପୁ ଓ ତାର ସହଯୋଗୀଙ୍କ ସନ୍ଧାନ ଲଗାଇବାକୁ ଉଦ୍ୟମ ଜାରି ରଖିଥିବା ଖବର ମିଳିଛି । ଗତକାଲି ଏହିଭଳି କିଛି କାରଣକୁ ନେଇ ନାଉଗାଁ ଥାନା ଅଞ୍ଚଳରେ ବୋମା ଫିଙ୍ଗା ଯାଇଥିଲା । ଏହା ପଛରେ ମଧ୍ୟ ପ୍ରେମ ସଂପର୍କ ରହିଥିବାର ଗନ୍ଧ ବାହାରିଥିଲା । ତେବେ ବୋମା ଫିଙ୍ଗିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ । ପୁଲିସ କେତେଜଣଙ୍କୁ କାବୁ କରିଥିବା ବେଳେ ଆହତ ଯୁବକଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା । ଲକ୍ଡାଉନ୍ ବେଳେ ପୁଲିସର ପାଟ୍ରୋଲିଂ କଡ଼ାକଡ଼ି ରହୁଥିବା ବେଳେ ଏତେ ପରିମାଣର ବୋମା କେଉଁଠୁ ଆସୁଛି ଏବଂ କିଏ ପ୍ରସ୍ତୁତ କରି ଯୋଗାଣ କରୁଛି ତାହା ଜାଣିହେଉ ନାହିଁ ।


Comments are closed, but trackbacks and pingbacks are open.