ପଶ୍ଚିମବଙ୍ଗକୁ ବାତ୍ୟା ପାଇଁ କେନ୍ଦ୍ର ଦେଲା ୧ହଜାର କୋଟି

Get real time updates directly on you device, subscribe now.

କୋଲକାତା: ବାତ୍ୟା ଅମ୍ଫାନ୍ ଦ୍ୱାରା କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗ ପାଇଁ ଆଜି (ଶୁକ୍ରବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଏହା ବାତ୍ୟା ପାଇଁ ଅଗ୍ରୀମ ସହାୟତା ବୋଲି ମୋଦି କହିଛନ୍ତି । ଆଗକୁ କ୍ଷୟକ୍ଷତି ଆକଳନ କରିବା ପରେ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ଆଜି ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବା ପରେ ମୋଦି ଏହି ଆର୍ଥିକ ସହାୟତା ସମ୍ପର୍କରେ ଘୋଷଣା କରିଛନ୍ତି । ଆଜି ପ୍ରାୟ ୨ ଘଣ୍ଟା ଧରି ବାତ୍ୟା ଅମ୍ଫାନ୍ ଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳକୁ ମୋଦି ହେଲିକପ୍ଟର ଦ୍ୱାରା ବୁଲି ଦେଖିଥିଲେ । ତାଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ରହିଥିଲେ । ସର୍ଭେ କରିବା ପରେ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଉତ୍ତର ୨୪ ପ୍ରଗଣାର ବଶିରହାଟ ନିକଟରେ ମୋଦି ସାମ୍ବାଦିକମାନଙ୍କୁ ସମ୍ବୋଧନ କରିଥିଲେ । ସେ କହିଛନ୍ତି, ବାତ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାର ଅଗ୍ରୀମ ଭାବେ ପଶ୍ଚିମବଙ୍ଗ ସରକାରଙ୍କ ପାଇଁ ୧ ହଜାର କୋଟି ଟଙ୍କାର ଅର୍ଥ ଘୋଷଣା କରୁଛନ୍ତି । ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କ ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ରହିଛନ୍ତି । ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାରର ସହଯୋଗ କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ରହିଛନ୍ତି । ପଶ୍ଚିମବଙ୍ଗବାସୀଙ୍କ ସହ ପୂରା ଦେଶ ରହିଛି ବୋଲି ସେ କହିଛନ୍ତି । ବାତ୍ୟା ଅମ୍ଫାନରେ ୮୦ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ମୃତକଙ୍କ ପରିବାରକୁ କେନ୍ଦ୍ରୀୟ ପାଣ୍ଠିରୁ ୨ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଯୋଗାଇ ଦିଆଯିବ । କ୍ଷୟକ୍ଷତିର ଆକଳନ ପାଇଁ ଖୁବ୍ଶୀଘ୍ର କେନ୍ଦ୍ରୀୟ ଟିମ୍ ପଶ୍ଚିମବଙ୍ଗ ଆସିବେ । ସେମାନେ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦେବା ପରେ ଭାରତ ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବେ । ଏହି ଦୁର୍ଦ୍ଧିନରେ ଭାରତ ସରକାର ରାଜ୍ୟ ସହ କାନ୍ଧରେ କାନ୍ଧ ମିଳାଇ କାମ କରିବେ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଦେଇଛନ୍ତି । ଆମେ ସ୍ଥିତିକୁ ଆଉ ଥରେ ସମୀକ୍ଷା କରିବୁ । ମୁଁ ଆଜି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଜଗଦୀପ ଧନଖାରଙ୍କ ସହ ଆକାଶ ମାର୍ଗରୁ ସ୍ଥିତି ସମୀକ୍ଷା କରିଛି । ମୁଁ ପଶ୍ଚିମବଙ୍ଗବାସୀଙ୍କୁ କହିବାକୁ ଚାହେଁ ଯେ ରାଜ୍ୟକୁ ପୁଣିଥରେ ଗଢ଼ି ତୋଳିବା ପାଇଁ କେନ୍ଦ୍ର ସରକାର ମମତା ସରକାରଙ୍କ ସହ ମିଶି ସବୁ କିଛି କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ମୋଦି କହିଛନ୍ତି, ଗତବର୍ଷ ମେ ମାସରେ ଆଉ ଏକ ବାତ୍ୟା ହୋଇଥିଲା । ଏହା ଓଡ଼ିଶାରେ ବ୍ୟାପକ କ୍ଷତି ଘଟାଇଥିଲା । ଆମେ ତା ବି ମୁକାବିଲା କରିଥିଲୁ । ପୁଣି ବର୍ଷକ ପରେଆୁ ବାତ୍ୟା ଆମ ଉପକୂଳ ଅଞ୍ଚଳକୁ ପ୍ରଭାବିତ କରିଛି । ପଶ୍ଚିମବଙ୍ଗ ଏହାଦ୍ୱାରା ଗଭୀର ଭାବେ କ୍ଷତି ସହିଛି । ମୋଦିଙ୍କ ଏହି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons