ବରଗଡ଼,(ବି.ବି.ନୁ୍ୟଜ୍): କୋଭିଡ଼ ମୁକାବିଲା ପାଇଁ ବରଗଡ଼ରୁ ପଶ୍ଚିମବଙ୍ଗକୁ ରେଳରେକ୍ରେ ଯିବା ପାଇଁ ଲୋଡ଼ିଂ ହେଉଥିବା ଚାଉଳ ମଧ୍ୟରୁ ୨୦୦ ବସ୍ତା ଖୁଦମିଶା କଳା ଚାଉଳ ଧରାପଡ଼ିଛି । ଘଟଣାରେ ଟ୍ରାନ୍ସପୋର୍ଟରଙ୍କ କାରସାଦି ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନା ମତେ, ପଶ୍ଚିମବଙ୍ଗର ବଜବଜ୍କୁ ଯିବା ପାଇଁ ବରଗଡ଼ ସାଇଡ଼ିଂରେ ଆଜି ରେଳ ୱାଗନରେ ଚାଉଳ ଲୋଡ଼ିଂ ହେଉଥିଲା । ୪୨ଟି ୱାଗନରେ ଏକାସାଙ୍ଗେ ଲୋଡ଼ିଂ ହେବାକୁ ଥିବାରୁ ରେଳ ଟ୍ରାନ୍ସପୋର୍ଟରଙ୍କ ପକ୍ଷରୁ କେନପାଲି ସହ ଅନ୍ୟ ଗୋଦାମରୁ ଆବଶ୍ୟକ ଚାଉଳ ଯୋଗାଇ ଦିଆଯିବା ପରେ ଲୋଡ଼ିଂ ଆରମ୍ଭ ହୋଇଥିଲା । ସାଇଡ଼ିଂରେ ଉପସ୍ଥିତ ଏଫ୍ସିଆଇ ଅଧିକାରୀ ଆସିଥିବା ମାଲ୍ର ଯାଞ୍ଚ ପରେ ସ୍ୱୀକୃତି ଦେବାରୁ ଲୋଡ଼ିଂ ଆରମ୍ଭ ହୋଇଥିଲା । ସାମାଜିକ ଦୂରତ୍ୱ ରକ୍ଷା କରି ହେମାଲିମାନେ ରେଳରେ ଚାଉଳ ଲୋଡ଼ିଂ କରିଥିଲେ । ହଠାତ ଏକ ନମ୍ବର ବିହୀନ ଟ୍ରକ୍ରେ ଆସିଥିବା ଚାଉଳର ମାନକୁ ନେଇ ସନେ୍ଦହ ବ୍ୟକ୍ତ କରି ଏଫ୍ସିଆଇର ରେଲହେଡ଼ ଇନଚାର୍ଜ ସରୋଜ ଯାଦବ ଏହାକୁ ଯାଞ୍ଚ କରିବା ପରେ ସମ୍ପୂର୍ଣ୍ଣ ଭାବେ ନିମ୍ନ ମାନର ଥିବା ଜାଣିପାରିଥିଲେ । ଉକ୍ତ ଟ୍ରକ୍ରେ ଆସିଥିବା ପ୍ରାୟ ୨ ଶହ ବସ୍ତାରେ ଚାଉଳ କମ୍ ଖୁଦ ଅଧିକ ଥିବା ସମୟରେ କଳା ଓ ନେଳି ପଡ଼ିଥିବା ଚାଉଳର ମାତ୍ର ଅଧିକ ଥିଲା । ଯାହାକି ସମ୍ପୂର୍ଣ୍ଣ ରିଜେକ୍ଟ ମାଲ ବୋଲି ଅବଗତ ହେବା ପରେ ଲୋଡ଼ିଂ ପ୍ରକ୍ରିୟା ବନ୍ଦ କରିଦେଇ ଶ୍ରୀ ଯାଦବ ଉପରିସ୍ଥ ଅଧିକାରୀଙ୍କୁ ଖବର କରିଥିଲେ । ନିମ୍ନମାନର ଚାଉଳ ଥିବା ଜାଣି ଏହାର ନମୁନା ସଂଗ୍ରହ କରି ଉକ୍ତ ଚାଉଳ ବସ୍ତାରେ ନାମ ଉଲ୍ଲେଖିତ ଥିବା ପଦ୍ମପୁରର ସମଲେଶ୍ୱରୀ ରାଇସ୍ ମିଲକୁ ସମନ କରିଥିଲେ ।
ଅନ୍ୟପକ୍ଷରେ ଉକ୍ତ ନମ୍ବର ବିହୀନ ଟ୍ରକ୍ ପୁଣି ଥରେ ଯାଇ ଭଲ ଚାଉଳ ଆଣି ସାଇଡ଼ିଂରେ ରଖି ଡ୍ରାଇଭର ଘଟଣାସ୍ଥଳରୁ ଫେରାର ମାରିବା ପରେ ନିମ୍ନମାନର ଚାଉଳ ଚାଲାଣ ନେଇ ସନେ୍ଦହ ଆହୁରି ବୃଦ୍ଧି ପାଇଥିଲା । ସାଇଡ଼ିଂରେ ପହଞ୍ଚିବା ପରେ ସମଲେଶ୍ୱରୀ ରାଇସ୍ ମିଲ୍ ମାଲିକ ଡୋଲେଶ୍ୱର ନାଗ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ । ଏପ୍ରିଲ ୧୪ରୁ ତାଙ୍କ ଟେଗ ସରିଯାଇଥିବା ବେଳେ ସେହିଦିନଠାରୁ ତାଙ୍କ ମିଲ୍ରୁ ଚାଉଳ କେନ୍ଦପାଲି ଗୋଦାମକୁ ଆସିସାରିଥିବାରୁ ତାଙ୍କ କୌଣସି ଭୂମିକା ନାହିଁ । ତେଣୁ କେନ୍ଦପାଲି ଗୋଦାମରୁ ଚାଉଳ ଉଠାଇଥିବା ଟ୍ରାନ୍ସପୋର୍ଟରଙ୍କ ଭୂମିକା ସନେ୍ଦହଜନକ ବୋଲି କହିବା ସହ ଶ୍ରୀ ନାଗ ତାଙ୍କ ବସ୍ତାର ଚାଉଳକୁ ପରିବର୍ତ୍ତନ କରାଯାଇଛି ବୋଲି ପାଲଟା ଅଭିଯୋଗ କରିଥିଲେ । ବସ୍ତାଗୁଡ଼ିକୁ ୨ ଥର ସିଲେଇ କରାଯାଇଥିବା ବେଳେ ନୀଳରଙ୍ଗର ସୂତା ତାଙ୍କ ନୁହେଁ । ତ୍ରୁଟିପୂର୍ଣ୍ଣ ସିଲେଇରୁ ଚାଉଳ ବଦଳା ଯାଇଥିବା ସ୍ପଷ୍ଟ ହୋଇଯାଉଛି ବୋଲି କହିି ଶ୍ରୀ ନାଗ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଦାବି କରିଥିଲେ ।
ଉପରୋକ୍ତ ଖୁଦ ଚାଉଳ କେଉଁଠାରୁ ଆସିଥିଲା ତାହା ବର୍ତ୍ତମାନ ଯାଏଁ ଜଣା ପଡ଼ି ନଥିବା ସମୟରେ ଖବର ଲେଖାଯିବା ପର୍ଯ୍ୟନ୍ତ ଘଟଣାସ୍ଥଳକୁ ଏଫ୍ସିଆଇର କୌଣସି ବଡ଼ ଅଫିସର ପହଞ୍ଚି ନଥିବାରୁ ସବିଶେଷ ସୂଚନା ମିଳିନାହିଁ । କ୍ୱାଲିଟି ଯାଞ୍ଚ ପରେ କେନ୍ଦପାଲି ଗୋଦାମରେ ଜମା ହୋଇ ଲୋଡ଼ିଂ ପାଇଁ ଆଜି ବାହାରିଥିବା ସମଲେଶ୍ୱରୀ ମିଲର ବସ୍ତାରେ ଖୁଦ ମିଶା ଚାଉଳ କେଉଁଠୁ ଆସିଲା, ନମ୍ବର ବିହୀନ ଟ୍ରକ୍ର ମାଲିକ କିଏ, ଡ୍ରାଇଭର ଜଣକ କାହିଁକି ଫେରାର ହୋଇଗଲେ ଏବଂ ଏହାର ଟ୍ରାନ୍ସପୋର୍ଟର କିଏ, ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଘୂରି ବୁଲୁଛି ।
ସେହିପରି ୱାଗନରେ ଲୋଡ଼ ହୋଇଥିବା ଅନ୍ୟ ଚାଉଳ ବସ୍ତାଗୁଡ଼ିକର ମାନ ଠିକ୍ ରହିଛି କି ସେଥିରେ ମଧ୍ୟ ଖୁଦ ମିଶା ହୋଇଛି ତାହା ଏବେ ଯାଞ୍ଚ୍ର ପରିସରଭୁକ୍ତ ହୋଇଛି । ଏଥିରେ ଏକ ବଡ଼ ଧରଣର ର୍ୟାକେଟ କାମ କରୁଥିବା ନେଇ ଅଭିଯୋଗ କରୁଥିବାରୁ ଘଟଣାଟି ତଦନ୍ତ ସାପେକ୍ଷ ହୋଇପଡ଼ିଛି । ଏନେଇ ସମ୍ବଲପୁର ସ୍ଥିତ ଏଫ୍ସିଆଇ ଜିଏମ୍ ମନଜିତ ସିଂଙ୍କ ସହ ଯୋଗଯୋଗ କରାଗଲା ପରେ ଏଭଳି ଖୁଦ ଚାଲାଣକୁ ସ୍ୱୀକାର କରି ଅନ୍ୟାନ୍ୟ ଚାଉଳ ଠିକ୍ଠାକ୍ ଥିବା ସୂଚନା ଦେଇଥିଲେ । ଏନେଇ ଖୋଳତାଡ଼ ଜାରି ରହିଛି ଏବଂ ଦାୟିତ୍ୱରେ ଥିବା ଟ୍ରାନ୍ସପୋର୍ଟରଙ୍କ ବିରୋଧରେ ଏତଲା ଦିଆଯାଇ କାର୍ଯ୍ୟାନୁÂାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.