ପଶ୍ଚିମ ଓଡ଼ିଶା ବିକାଶରେ ହେବ ସହାୟକ

Get real time updates directly on you device, subscribe now.

ବଲାଙ୍ଗୀର,(ବି.ବି.ନୁ୍ୟଜ୍): ବଲାଙ୍ଗୀର ଉପକଣ୍ଠସ୍ଥ ବରକାନୀଠାରେ ବିପିସିଏଲ ପକ୍ଷରୁ ସ୍ଥାପିତ ଏଲପିଜି ବଟଲିଂ ପ୍ଲାଣ୍ଟକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ରାଷ୍ଟ୍ର ଉଦେ୍ଧଶ୍ୟରେ ଲୋକାର୍ପଣ କରିଛନ୍ତି । ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଡ. ଅରୁଣ ସାହୁ, ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ସମେତ ବିପିସିଏଲ ଅଧିକାରୀଗଣ ଉପସ୍ଥିତ ଥିଲେ ।

ଏହି ପ୍ଲାଣ୍ଟ ଉପରାଷ୍ଟ୍ରପତି ଏମ.ଭେଙ୍କୟା ନାଇଡୁଙ୍କ ଦ୍ୱାରା ରାଷ୍ଟ୍ର ଉଦେ୍ଧଶ୍ୟରେ ସମର୍ପିତ ହେବାର କାର୍ଯ୍ୟକ୍ରମ ରହିଥିଲା । ମାତ୍ର ପାଗ ଖରାପ ଯୋଗୁଁ ସେ ରାୟପୁର ପର୍ଯ୍ୟନ୍ତ ଆସି ସେଠାରୁ ଫେରିଯାଇଥିଲେ । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ସୁଇଚ ଟିପି ବଟ୍ଲିଂ ପ୍ଲାଣ୍ଟକୁ ଦେଶ ଉଦେ୍ଧଶ୍ୟରେ ଲୋକାର୍ପଣ କରିବା ସହ ପ୍ରଧାନମନ୍ତ୍ରୀଙ୍କ ତରଫରୁ ଗ୍ରହଣ କରାଯାଇଥିବା ଏହି ପଦକ୍ଷେପ ଅଞ୍ଚଳର ସମସ୍ତ ପ୍ରକାର ବିକାଶ ପାଇଁ ସହାୟକ ହେବ ବୋଲି କହିଥିଲେ । ଏହି ଅବସରରେ ଉପରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରେରିତ ଅଡିଓ ବାର୍ତ୍ତା ଶୁଣା ଯାଇଥିଲା । ୧୯ ମାସ ମଧ୍ୟରେ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ ଶେଷ କରିଥିବାରୁ ସେ ଭାରତ ପେଟ୍ରୋଲିୟମ କର୍ତ୍ତୃପକ୍ଷଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ସମାରୋହରେ ଉଦ୍ବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ, ୨୦୧୪ ସୁଦ୍ଧା ଦେଶରେ ମାତ୍ର ୧୩.୨୦ କୋଟି ଏଲପିଜି ଉପଭୋକ୍ତା ଥିଲେ । ଯାହା ଏବେ ୨୭ କୋଟିରୁ ଊଦ୍ଧ୍ୱର୍ରେ ପହଞ୍ଚିପାରିଛି । ଓଡ଼ିଶାରେ ଏହି ସଂଖ୍ୟା ୮୦ ଲକ୍ଷରୁ ଊଦ୍ଧ୍ୱର୍ରେ ପହଞ୍ଚିଛି । ଏହି ନୂତନ ପ୍ଲାଣ୍ଟ ଦ୍ୱାରା ପଶ୍ଚିମ ଓଡ଼ିଶାର ୧୪ଟି ଜିଲ୍ଲାର ଲୋକେ ଲାଭାନ୍ୱିତ ହେବେ । ଏ ଅଞ୍ଚଳର ପ୍ରାୟ ୧୫୦ରୁ ଊଦ୍ଧ୍ୱର୍ ଟ୍ରକ ସିଲିଣ୍ଡର ନେବା ଆଣିବା କାର୍ଯ୍ୟରେ ନିୟୋଜିତ ହେବ । ଯଦ୍ୱାରା ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବେ ୫୦୦ରୁ ଊଦ୍ଧ୍ୱର୍ ନିଯୁକ୍ତି ସୃଷ୍ଟି ହୋଇ ଏ ଅଞ୍ଚଳରେ ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ । ପୂର୍ବରୁ ଖୋର୍ଦ୍ଧାଠାରେ ବିପିସିଏଲର ଏକ ବଟ୍ଲିଂ ପ୍ଲାଣ୍ଟ ରହିଛି । ଏହା ରାଜ୍ୟର ଦ୍ୱିତୀୟ ପ୍ଲାଣ୍ଟ ।

ଏହି ପ୍ଲାଣ୍ଟଟି ୨୦୨୦ ଜାନୁଆରୀ ସୁଦ୍ଧା କାର୍ଯ୍ୟକ୍ଷମ ହେବା ପରେ ୧୪ଟି ଜିଲ୍ଲାର ଉପଭୋକ୍ତାଙ୍କୁ ଏଲପିଜି ସିଲିଣ୍ଡର ଯୋଗାଇବ । ୨୩ ଏକର ଜମିରେ ନିର୍ମାଣ ହୋଇଥିବା ଏହି ପ୍ଲାଣ୍ଟରୁ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର ଉତ୍ପାଦନ କରିବାର କ୍ଷମତା ରହିଛି । ୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ଲାଣ୍ଟରେ ୨୪ଟି ବୈଦୁ୍ୟତିକ କାରୌସେଲ ଷ୍ଟେସନ, ୧୮୫୩ କିଲୋଲିଟର କ୍ଷମତା ବିଶିଷ୍ଟ ପାଣିଟାଙ୍କି, ଗ୍ୟାସ ଭର୍ତ୍ତି କରାଯାଉଥିବା ସ୍ଥାନ ସମେତ ଭର୍ତ୍ତି ସିଲିଣ୍ଡର ରହିବା ସ୍ଥାନ ଏବଂ ୮ଟି ବେ-ଟ୍ୟାଙ୍କ ଲରୀ ଡିକ୍ୟାଣ୍ଟେନେସନ ଗ୍ୟାଣ୍ଟି୍ର ଭଳି ସୁବିଧା ରହିଥିବା କୁହାଯାଇଛି । ଏହି ପ୍ରକଳ୍ପ ଉଦ୍ଘାଟନ ଦ୍ୱାରା ଏଅଞ୍ଚଳର ବିକାଶରେ ଆଉ ଏକ ଫର୍ଦ୍ଧ ଯୋଡ଼ି ହୋଇଗଲା ବୋଲି ବିଧାୟକ ନରସିଂହ ମିଶ୍ର କହିଥିଲେ ।
ଜୁନ ୨୦୧୪ରେ ରାଜ୍ୟରେ ୨୦.୨୨ ଲକ୍ଷ ଥିଲା ଉପଭୋକ୍ତାଙ୍କ ସଂଖ୍ୟା । ୨୦୧୯ରେ ଏ ସଂଖ୍ୟା ୮୮.୧୦ ଲକ୍ଷରେ ପହଞ୍ଚିଛି । ଇତିମଧ୍ୟରେ ଉପଭୋକ୍ତାଙ୍କ ସଂଖ୍ୟାରେ ୩୩୫.୭୧ ପ୍ରତିଶତ ବୃଦ୍ଧି ଘଟିଛି । ଗତବର୍ଷ ଓଡ଼ିଶାରେ ଏଲପିଜିର ଆବଶ୍ୟକତା ୪୫୪.୩ ଟିଏମଟିି (ହଜାର ମେଟ୍ରିକ ଟନ୍) ଥିବାବେଳେ ୨୦୨୦ ସୁଦ୍ଧା ୬୧୦ ଟିଏମଟି (ହଜାର ମେଟ୍ରିକ ଟନ୍)ରେ ପହଞ୍ଚିବ ବୋଲି ଆଶା କରାଯାଉଛି । ରାଜ୍ୟରେ ଏଲପିଜି ବ୍ୟବହାରରେ ହାରାହାରି ୬୧.୩ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ବିତରକଙ୍କ ସଂଖ୍ୟା ଜୁନ ୨୦୧୪ରେ ୩୬୭ରୁ ବୃଦ୍ଧି ଘଟି ୨୦୧୯ ସୁଦ୍ଧା ୯୩୨ ରେ ପହଞ୍ଚିଛି । ୨୦୧୪ରେ ବଲାଙ୍ଗୀରରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ୦.୪ ଲକ୍ଷ ଥିଲା । ୨୦୧୯ରେ ଏହା ବୃଦ୍ଧି ପାଇ ୩.୬୨ଲକ୍ଷରେ ପହଞ୍ଚିଛି । ଯାହାକି ଗତ ୫ବର୍ଷ ମଧ୍ୟରେ ଉପଭୋକ୍ତାଙ୍କ ସଂଖ୍ୟାରେ ୮୦୪.୨୨ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ୨୦୧୪ରେ ବଲାଙ୍ଗୀର ଜିଲ୍ଲାରେ ୧୮ ଜଣ ବିତରକ ଥିବା ବେଳେ ଗତ ୪ ବର୍ଷରେ ୨୦ ଜଣ ନୂତନ ବିତରକ ଯୋଡି ହେବା ସହ ୨୦୧୯ ରେ ଏହି ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଯାହାକି ପ୍ରାୟ ୧୧୧ ପ୍ରତିଶତ ବୃଦ୍ଧି ପାଇଛି ।
ପ୍ରକାଶ ଯେ, ୨୦୧୮ ମସିହା ମେ ୨୧ ତାରିଖରେ ତକ୍ରାଳୀନ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ପ୍ରଧାନ, କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ୍, ତକ୍ରାଳୀନ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ଉପସ୍ଥତିରେ ଏହି ବଟ୍ଲିଂ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons