ପଶ୍ଚିମ ଓଡ଼ିଶାରେ ବନ୍ୟା ମୁକାବିଲା:ମୁଖ୍ୟ ଶାସନ ସଚିବ, ଏସ୍ଆର୍ସିଙ୍କୁ ଭେଟିଲା ବିଜେପି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପଶ୍ଚିମ ଓଡ଼ିଶାର ବଲାଙ୍ଗିର, ସୋନପୁର,କଳାହାଣ୍ଡି, କନ୍ଧମାଳ, ବରଗଡ଼ ଆଦି ଜିଲ୍ଲାରେ ଗତ ୩ ଦିନର ପ୍ରବଳ ବର୍ଷା ପରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା ପରିସ୍ଥିତିର ମୁକାବିଲା କରିବା ସହ ପ୍ରଭାବିତ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣିବା ଓ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ତୁରନ୍ତ ରିଲିଫ ପହଞ୍ଚାଇବାକୁ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି ।
ଶ୍ରୀମତୀ ସିଂହଦେଓ କହିଛନ୍ତି, ଏବେ ସୃଷ୍ଟି ହୋଇଥିବା ବନ୍ୟାରେ ପାଖାପାଖି ୫୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ପ୍ରବଳ ବର୍ଷା କାରଣରୁ ହରିଶଂକରଠାରେ ମାଟି ଅତଡ଼ା ଧସିଯିବା କାରଣରୁ ବ୍ୟାପକ କ୍ଷତି ହୋଇଛି । ବହୁ ଲୋକ ଏବେବି ପାଣି ଘେରରେ ଅଛନ୍ତି । ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାର ଆବଶ୍ୟକତା ଅଛି । ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାଗୁଡ଼ିକୁ ତୁରନ୍ତ ଯନ୍ତ୍ରଚାଳିତ ଡଙ୍ଗା ଯୋଗାଇ ଦିଆଯାଉ । ସେହିପରି ବିପନ୍ନମାନଙ୍କ ନିକଟରେ ରିଲିଫ ଖାଦ୍ୟ ପହଞ୍ଚାଇବା ସହ ବନ୍ୟା ପରବର୍ତ୍ତୀ ସମୟରେ ସୃଷ୍ଟି ହେଉଥିବା ସ୍ୱାସ୍ଥ୍ୟ ସମସ୍ୟାକୁ ମୁକାବିଲା କରିବାକୁ ତୁରନ୍ତ ଡାକ୍ତରୀ ଦଳ ପହଞ୍ଚିବା ଜରୁରି । ଏସ୍ଡିଆର୍ଏଫ ଟିମ୍ ପଠାଇ ରିଲିଫ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନ ପଦକ୍ଷେପ ନିଅନ୍ତୁ ।
ପ୍ରତିନିଧି ଦଳ ସଚିବାଳୟ ଯାଇ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଏ ସଂପର୍କରେ ଦାବିପତ୍ର ପ୍ରଦାନ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ଏହି ପ୍ରତିନିଧି ଦଳରେ ଦଳର ବରିଷ୍ଠ ନେତା ମନମୋହନ ସାମଲ ଓ କନକ ବର୍ଦ୍ଧନ ସିଂହଦେଓ, ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons