ଜୟପୁର: କୋଭିଡ ନେଇଯାଇଛି ଗୋଟିଏ ପରିବାରର ୩ ଜଣଙ୍କ ଜୀବନ । କୁମୁଲିପୁଟ ଡାଙ୍ଗରାରେ ଏଭଳି ଦୁଃଖଦ ଘଟଣା ପରେ ପହଞ୍ଚିଛି ପ୍ରଶାସନ । ପରିବାର ଲୋକଙ୍କୁ ସବବେଦନା ଜଣାଇଛି । ଏଥିସହ ସରକାରୀ ଯୋଜନାରେ ଯାହାକିଛି ରହିଛି, ସହାୟତା କରିବା ଲାଗି ଉଦ୍ୟମ ଆରମ୍ଭ କରିଛି ।
ସୂଚନାଥାଉକି, ଜୟପୁର କୋଭିଡ୍ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଡାଙ୍ଗରାର ଦୁଇ ଭାଇ କୈଳାସ ନାୟକ(୩୯)ଙ୍କ ଗତ ଶୁକ୍ରବାର ଏବଂ ଖଗେଶ୍ୱର ନାୟକ(୩୫)ଙ୍କ ଶନିବାର ମୃତୁ୍ୟ ହୋଇଥିଲା । ଏହାପରେ ରବିବାର ହୋମ୍ ଆଇସୋଲେସନରେ ଥିବା ସେମାନଙ୍କ ବାପା ନରହରି ନାୟକଙ୍କ ପ୍ରାଣ ଚାଲି ଯାଇଥିଲା । ତିନି ଦିନରେ ଗୋଟିଏ ପରିବାରର ୩ ଜଣଙ୍କ ମୃତୁ୍ୟ ପରେ ଶୋକରେ ବୁଡ଼ି ରହିଛି ପୂରା ପରିବାର । ଏହା ଜାଣିବା ପରେ ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶ ଏବଂ ବିଡିଓ ସୁରଜ ପ;ନାୟକ ଡାଙ୍ଗରାରେ ପହଞ୍ଚିଥିଲେ । ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଥିଲେ । ବଡ଼ପୁଅ କୈଳାସଙ୍କ ଦୁଇ ପୁଅଙ୍କୁ କିପରି ସରକାରଙ୍କ ନୂତନ ଯୋଜନା ‘ଆଶୀର୍ବାଦ’ରେ ସାମିଲ କରାଯିବ, ସେ ସମ୍ପର୍କରେ ଗ୍ରାମବାସୀ ଓ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ମୃତୁ୍ୟ ପ୍ରମାଣପତ୍ର ଆବଶ୍ୟକ ଥିବାରୁ ତୁରନ୍ତ ସଂଗ୍ରହ କରିବାକୁ ସରପଞ୍ଚ ତ୍ରିନାଥ ମୁଦୁଲିଙ୍କୁ ନିଦେ୍ର୍ଧଶ ଦେଇଛନ୍ତି ବିଡିଓ । ମୃତୁ୍ୟ ପ୍ରମାଣପତ୍ର ସଂଗ୍ରହ ପରେ ବିଧବା ଭତ୍ତା ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବ ବୋଲି ଉଭୟ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।
ବିଡିଓ ଏବଂ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ କହିଛନ୍ତି, ଆଜି ସେମାନେ ମୃତକଙ୍କ ଘରକୁ ଯାଇଥିଲେ । ମୃତ ଖଗେଶ୍ୱରଙ୍କ ପୁଅଝିଅ ନଥିବା ବେଳେ କୈଳାସଙ୍କ ଦୁଇ ପୁଅ ଅଛନ୍ତି । ଜଣେ ନବମ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟ ଜଣେ ଯୁକ୍ତ ୨ ଦ୍ୱିତୀୟବର୍ଷର ଛାତ୍ର । ସରକାରଙ୍କ ନୂତନ ଯୋଜନା ଅନୁସାରେ ଦୁଇଶିଶୁଙ୍କୁ ଆଶୀର୍ବାଦ ଯୋଜନାରେ ସାମିଲ କରାଯାଇ ମାସିକ ୧୫ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇଦିଆଯିବ । ଏଥିପାଇଁ ମୃତୁ୍ୟ ପ୍ରମାଣପତ୍ର ଆବଶ୍ୟକ ପଡୁଥିବାରୁ ଜୟପୁର ପୌରସଂସ୍ଥାରେ ଆବେଦନ କରି ସଂଗ୍ରହ କରିବାକୁ ସରପଞ୍ଚଙ୍କୁ କୁହାଯାଇଛି । ଏଥିସହ ସରକାରଙ୍କ ବିଭିନ୍ନ ଯୋଜନା ସହ ଦୁଇ ବିଧବାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦେବାର ବ୍ୟବସ୍ଥା କରାଯିବ । ହରିହର ଚାକିରି କରି ଅବସର ନେଇଥିବାରୁ ତାଙ୍କ ବିଧବା ସ୍ତ୍ରୀ ପେନସନ ପାଇବେ । ଏଥିପାଇଁ ତାଙ୍କୁ ବିଧବା ଭତ୍ତା ଦିଆଯାଇପାରିବ ନାହିଁ ।
ରିପୋର୍ଟ: ସତ୍ୟ ନାରାୟଣ ସାହୁ
Comments are closed, but trackbacks and pingbacks are open.