ମୁମ୍ବାଇ: ଏନ୍ସିପି ମୁଖ୍ୟ ଶରଦ ପାୱାର ଆଜି ପାକିସ୍ତାନକୁ ପ୍ରଶଂସା କରିଛନ୍ତି । କହିଛନ୍ତି ସେ ପାକିସ୍ତାନ ଗସ୍ତରେ ଯାଇଥିଲା ବେଳେ ସେଠାରେ ତାଙ୍କୁ ଭଲ ଆତିଥେୟତା ମିଳିଥିଲା ଏବଂ ସେଠାକାର ଲୋକେ ବେଶ୍ ଖୁସିରେ ଅଛନ୍ତି । କେବଳ ଏତିକି ନୁହେଁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ନିଜର ରାଜନୈତିକ ଫାଇଦା ହାସଲ କରିବା ଲାଗି ପାକିସ୍ତାନ ବିରୋଧରେ ମିଥ୍ୟା ପ୍ରଚାର କରୁଥିବା ପାୱାର ଅଭିଯୋଗ କରିଛନ୍ତି ।
ମୁମ୍ବାଇରେ ଦଳର ସଂଖ୍ୟାଲଘୁ ସେଲ୍ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ପାୱାର କହିଛନ୍ତି ଯେ ପାକିସ୍ତାନ ଲୋକମାନେ ବହୁ ଅଭାବ ଅସୁବିଧାରେ ରହିଛନ୍ତି ଓ ସେମାନେ ସୁଖୀ ନାହାନ୍ତି ବୋଲି ଭାରତରେ ଯାହା କୁହାଯାଉଛି ତାହା ଠିକ୍ ନୁହେଁ । ପାକିସ୍ତାନର ପ୍ରକୃତ ଅବସ୍ଥା ସମ୍ପର୍କରେ ନଜାଣି କେବଳ ରାଜନୈତିକ ଫାଇଦା ହାସଲ ଉଦେ୍ଧଶ୍ୟରେ ଏଭଳି ଅପପ୍ରଚାର କରାଯାଉଛି । ଅତୀତରେ ସେ ଅନେକଥର ପାକିସ୍ତାନ ଯାଇଛନ୍ତି । ସେଠାରେ ତାଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରାଯାଇଛି । ପାକିସ୍ତାନୀମାନେ ବିଶ୍ୱାସ କରନ୍ତି ଯେ ସେମାନେ ସିନା ଭାରତରେ ରହୁଥିବା ନିଜ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଇପାରୁନାହାନ୍ତି, କିନ୍ତୁ ଭାରତରୁ ଆସିଥିବା ଅତିଥିମାନଙ୍କୁ ସେମାନେ ନିଜର ସମ୍ପର୍କୀୟ ଭାବେ ବିବେଚନା କରିଥାନ୍ତି । ପାକିସ୍ତାନର ସାଧାରଣ ଜନତା ଭାରତ ସହିତ ଆଦୌ ଯୁଦ୍ଧ ଚାହାନ୍ତି ନାହିଁ । ସେ ବିସିସିଆଇ ମୁଖ୍ୟ ଥିଲା ବେଳେ ଭାରତୀୟ କ୍ରିକେଟ ଟିମ୍ର ନେତୃତ୍ୱ ନେଇ ପାକିସ୍ତାନ ଯାଇଥିଲେ । କିନ୍ତୁ ବର୍ତ୍ତମାନ ଆମ ଦେଶରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି କରାଯାଇଛି । ସଂଖ୍ୟା ବହୁଳ ଲୋକମାନେ ସମାଜରେ ଏକ ଅସମାନତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ସେଥିପାଇଁ ସଂଖ୍ୟାଲଘୁଙ୍କ ବିରୋଧରେ ଅସହିଷ୍ଣୁତା ଘଟଣା ଦେଶରେ ବଢ଼ି ଚାଲିଛି । ଦେଶ ବିକାଶରେ ସାମ୍ପ୍ରଦାୟିକ ସଦ୍ଭାବର ପ୍ରମୁଖ ଭୂମିକା ରହିଛି । କିନ୍ତୁ ଦେଶରେ ବର୍ତ୍ତମାନ ଶାସନ କ୍ଷମତାରେ ଥିବା ଲୋକମାନେ ସେହି କଥା ଭାବୁନାହାନ୍ତି ବୋଲି ପାୱାର କହିଛନ୍ତି ।
Comments are closed, but trackbacks and pingbacks are open.