ପାକିସ୍ତାନରେ ଭୟଙ୍କର ବିମାନ ଦୁର୍ଘଟଣା

Get real time updates directly on you device, subscribe now.

କରାଚି: ପାକିସ୍ତାନର ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଶୁକ୍ରବାର ଭୟାନକ ଦୁର୍ଘଟଣାର ଶିକାର ହୋଇଛି। ଲାହୋରରୁ କରାଚି ଯାଉଥିବା ଏହି ବିମାନଟି କରାଚି ବିମାନ ବନ୍ଦର ନିକଟରେ ହିଁ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଦୁର୍ଘଟଣାଗସ୍ତ ହୋଇଛି। କୁହାଯାଉଛି ଯେ, ବିମାନରେ ୯୯ ଯାତ୍ରୀ ଏବଂ ୮ କ୍ରିଉ ସଦସ୍ୟ ଥିଲେ। ଏ ପର୍ୟ୍ୟନ୍ତ ମୃତାହତକୁ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ହେଲେ ପାକିସ୍ତାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଅନୁଯାୟୀ ଏହି ଦୁର୍ଘଟଣାରେ କୌଣସି ଯାତ୍ରୀ ବଞ୍ଚିବାର ସମ୍ଭାବନା ବହୁତ କମ ରହିଛି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନାହିଁ।
ପିଆଇଏର ମୁଖପାତ୍ର ଅବଦୁଲ ସତାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ଦେଇଛନ୍ତି। ବିମାନ ଏ-୩୨୦ ୯୯ ଜଣ ଯାତ୍ରୀଙ୍କୁ ନେଇ ଲାହୋରରୁ କରାଚି ଯାତ୍ରା କରୁଥିଲା। କୁହାଯାଉଛି ଯେ, ଅବତରଣର ଗୋଟିଏ ମିନିଟ୍ ପୂର୍ବରୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରୁ ଦୁର୍ଘଟଣାସ୍ଥଳରୁ ଧୂଆଁ ଉଠୁଥିବା ଦେଖିବାକୁ ମିଳୁଛି। ଆମ୍ବୁଲାନ୍ସ ଓ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।ସୂଚନା ଅନୁଯାୟୀ ବିମାନଟି ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଖସି ପଡିଛି। ଏଥିରେ ଅତିକମରେ ୪ ରୁ ୫ କୋଠା କ୍ଷତିଗ୍ରସ୍ତ ହୋଇଛି। ଅନେକ ଗାଡି ଧ୍ଵଂସ ହୋଇ ଯାଇଛି। ବିମାନ ଖସି ପଡିବାରୁ ଯାତ୍ରା କରୁଥିବା ଯାତ୍ରୀଙ୍କ ବ୍ୟତୀତ ତାରି ତଳେ ସ୍ଥାନୀୟ ଅଞ୍ଚଳର ଅନେକଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି।
ବିମାନ କ୍ରାଶ ହେବା ମାତ୍ରେ ଘରଗୁଡିକରେ ନିଆଁ ଲାଗି ଯାଇଛି ଏବଂ ଜୋରଦାର ବିସ୍ଫୋରଣ ଘଟିଛି। ଦୁର୍ଘଟଣାସ୍ଥଳରୁ ଏତେ ଧୂଆଁ ଉଠୁଛି ଯେ ଦେଖିବା ମୁସ୍କିଲ ହୋଇ ପଡିଛି। ପାକିସ୍ତାନର ଫାୟର ବ୍ରିଗେଡ୍‌ର ଗାଡି ନିଆଁକୁ ଆୟତ୍ତ କରିବାରେ ଜୁଟିଛନ୍ତି। ଗଳି ସଂକୀର୍ଣ୍ଣ ହୋଇଥିବା କାରଣରୁ ଅଗ୍ନିଶମ ଗାଡିକୁ ଉଦ୍ଧାରକାର୍ୟ୍ୟରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍‌ ଲକ୍‌ଡାଉନ୍ କାରଣରୁ ଦେଶରେ ଘରୋଇ ଉଡାଣ ବନ୍ଦ ରହିଥିଲା। ଗତ ଶନିବାରଠୁ ବିମାନ ଚଳାଚଳ ଆରମ୍ଭ ହୋଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons