ଇସ୍ଲାମାବାଦ: ଦୁଇଦେଶ ମଧ୍ୟରେ ଚଳାଚଳ କରୁଥିବା ‘ସମଝୌତା ଏକ୍ସପ୍ରେସ’ ବନ୍ଦ କରିବା ପରେ ପାକିସ୍ତାନ ଆଜି ପୁଣି ଭାରତକୁ ଚଳାଚଳ କରୁଥିବା ସାପ୍ତାହିକ ଟ୍ରେନ ‘ଥର ଏକ୍ସପ୍ରେସ’ ସେବାକୁ ମଧ୍ୟ ବନ୍ଦ କରିଦେଇଛି । ପାକିସ୍ତାନ ରେଳମନ୍ତ୍ରୀ ଶେଖ ରସିଦ ଅହମ୍ମଦ ଆଜି ଏହି ଘୋଷଣା କରିଛନ୍ତି ।
ଇସ୍ଲାମାବାଦ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅହମ୍ମଦ କହିଛନ୍ତି, ଆଜି ବିଳମ୍ବିତ ରାତିରେ ଶେଷଥର ପାଇଁ ଥର ଏକ୍ସପ୍ରେସ ଚଳାଚଳ କରିବ । ଆସନ୍ତା ସପ୍ତାହରୁ ଆଉ ଚାଲିବ ନାହିଁ । ଭାରତୀୟ ଯାତ୍ରୀମାନଙ୍କ ସୁରକ୍ଷା ଦାୟିତ୍ୱ ନେବା ପାଇଁ ଆମ ପାଖରେ ସମ୍ବଳ ନାହିଁ । କୌଣସି ଅଘଟଣ ଘଟୁ ବୋଲି ଆମେ ଚାହୁଁନା । ସେଥିପାଇଁ ଏହି ଟ୍ରେନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଆଜି ରାତି ୧୧ଟା ୫୫ରେ ଶେଷଥର ପାଇଁ ୨୦୦ ଯାତ୍ରୀଙ୍କୁ ପାଣି ବୋତଲ ସହିତ ଜିରୋ ଲାଇନରେ ଛାଡିବୁ । ବାସ୍, ଏତିକିରେ ଶେଷ । ଆଉ ନୁହେଁ । ସେ ରେଳମନ୍ତ୍ରୀ ଥିବା ପର୍ଯ୍ୟନ୍ତ ସମଝୌତା କିମ୍ବା ଥର ଆଉ ଚାଲିବ ନାହିଁ ।
ସୂଚନାଯୋଗ୍ୟ, ପ୍ରତି ଶୁକ୍ରବାର ରାଜସ୍ଥାନର ଯୋଧପୁରର ଭଗତ କି କୋଠି ଷ୍ଟେସନରୁ ପାକିସ୍ତାନର କରାଚୀକୁ ଏହି ଟ୍ରେନ ଚଳାଚଳ କରୁଛି । ଦୀର୍ଘ ୪୧ ବର୍ଷ ପରେ ୨୦୦୬ ଫେବ୍ରୁଆରୀ ୧୮ରେ ଦୁଇଦେଶ ମଧ୍ୟରେ ପୁଣିଥରେ ଥର ଏକ୍ସପ୍ରେସ ଚଳାଚଳ ଆରମ୍ଭ ହୋଇଥିଲା । ଏହି ଟ୍ରେନ ଚାଲିବା ଫଳରେ ରାଜସ୍ଥାନ ସୀମାର ପାକିସ୍ତାନ ଓ ଭାରତ ପଟେ ରହୁଥିବା ପରିବାର ସଦସ୍ୟଙ୍କ ମଧ୍ୟରେ ସୁସମ୍ପର୍କ ଗଢ଼ି ଉଠିଥିଲା ଏବଂ ପାକିସ୍ତାନରେ ବହୁବର୍ଷ ଧରି ରହିଥିବା ହିନ୍ଦୁମାନେ ମଧ୍ୟ ଭାରତକୁ ଆସିପାରୁଥିଲେ । ପରିସଂଖ୍ୟାନ ଅନୁସାରେ ଗତ ୧୩ ବର୍ଷରେ ଏହି ଟ୍ରେନ୍ରେ ୪ଲକ୍ଷରୁ ଅଧିକ ଯାତ୍ରୀ ଯିବାଆସିବା କରିଛନ୍ତି ।
ଭାରତ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିଥିବାରୁ ତାକୁ ନେଇ ପାକିସ୍ତାନ ବିବ୍ରତ ହୋଇ ଏଭଳି ଏକତରଫା ପଦକ୍ଷେପ ନେଇଛି । ପୂର୍ବରୁ ପାକିସ୍ତାନ ଭାରତ ସହିତ ସମସ୍ତ କୂଟନୈତିକ ଓ ବ୍ୟାବସାୟିକ ସମ୍ପର୍କ ଚ୍ଛିନ୍ନ କରିଥିଲା ବେଳେ ଗତକାଲି ୧୯୭୬ ମସିହାରୁ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସ ଟ୍ରେନକୁ ବନ୍ଦ କରିଦେଇଥିଲା । ଏପରିକି ସମଝୌତା ଏକ୍ସପ୍ରେସକୁ ନିଜ ଦେଶର ସୀମା (ୱାଘା)ରେ ଅଟକାଇ ଦେବା ସହିତ ଭାରତର ସୀମା (ଅଟ୍ଟାରୀ) ପର୍ଯ୍ୟନ୍ତ ଆଣିବାକୁ ମନା କରିଦେଇଥିଲା । ଫଳରେ ଭାରତ ଟ୍ରେନ ଇଞ୍ଜିନ ସହ ଡ୍ରାଇଭର ଓ ଗାର୍ଡ ପଠାଇ ସେଠାରୁ ଟ୍ରେନକୁ ଅଟ୍ଟାରୀ ସୀମାକୁ ଆଣିବା ପରେ ତାହା ନୂଆଦିଲ୍ଲୀ ଅଭିମୁଖେ ଆସିଥିଲା ।
ଅନ୍ୟପକ୍ଷରେ ପାକିସ୍ତାନର ଏଭଳି ଏକତରଫା ପଦକ୍ଷେପ ଉପରେ ଭାରତ କଡା ପ୍ରତିକ୍ର୍ରିୟା ପ୍ରକାଶ କରିଛି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ପାକିସ୍ତାନର ଏଭଳି ପଦକ୍ଷେପ ଦୁର୍ଭାଗ୍ୟଜନକ । କାଶ୍ମୀରର ବାସ୍ତବତାକୁ ପାକିସ୍ତାନ ଗ୍ରହଣ କରିବା ସହ ବିଶ୍ୱକୁ ବିଭ୍ରାନ୍ତ କରିବା ବନ୍ଦ କରୁ । ଏଭଳି କରି ପାକିସ୍ତାନ ଦୁଇଦେଶର ସମ୍ପର୍କ ଖରାପ ବୋଲି ବିଶ୍ୱ ସମୁଦାୟକୁ ବାର୍ତ୍ତା ଦେଉଛି ବୋଲି ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି । ସେ କହିଛନ୍ତି ଯେ କାଶ୍ମୀର ପ୍ରସଙ୍ଗରେ ଭାରତ ଯେଉଁ ପଦକ୍ଷେପ ନେଇଛି ସେଥିରେ ପାକିସ୍ତାନ ହତୋତ୍ସାହିତ ହୋଇଯାଇଛି । ଜମ୍ମୁ-କାଶ୍ମୀରର ବିକାଶ ହେଲେ ସେଠାକାର ଲୋକଙ୍କୁ ଆଉ ବିଭ୍ରାନ୍ତ କରିପାରିବ ନାହିଁ ବୋଲି ପାକିସ୍ତାନ ଭଲ ଭାବେ ଜାଣିଛି । ତେଣୁ ପାକିସ୍ତାନ ଏତରଫା ଭାବେ ଗୋଟିଏ ପରେ ଗୋଟିଏ ଏଭଳି ପଦକ୍ଷେପ ନେଉଛି ।
Comments are closed, but trackbacks and pingbacks are open.