ଶ୍ରୀନଗର: ଆତଙ୍କବାଦୀ ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀରରେ ଚାଲିଥିବା ଅମରନାଥ ଯାତ୍ରାକୁ ଅଧାରୁ ବନ୍ଦ ରଖିବାକୁ ପଡ଼ିଛି । ଅମରନାଥ ଯାତ୍ରା ରାସ୍ତାରୁ ସେନା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଜବତ ସାମଗ୍ରୀ ମଧ୍ୟରେ ରହିଛି ପାକିସ୍ତାନ ନିର୍ମିତ ମାଇନ୍ । ଅମରନାଥ ଯାତ୍ରୀଙ୍କ ଉପରେ ବଡ଼ଧରଣର ଆକ୍ରମଣ କରିବା ଲାଗି ଆତଙ୍କୀମାନେ ଯୋଜନା କରିଥିବା ଏଥିରୁ ସ୍ପଷ୍ଟ ହୋଇଛି । ସୁରକ୍ଷା ବାହିନୀ ପକ୍ଷରୁ ଏହି ବିସ୍ଫୋରକ ସାମଗ୍ରୀ ଜବତ କରାଯିବା ସହ ପାକ୍ ଆତଙ୍କୀଙ୍କ ଆକ୍ରମଣ ଯୋଜନାକୁ ପଣ୍ଡ କରିଦିଆଯାଇଛି ।
ଶ୍ରୀନଗର ଠାରେ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ୧୫ ଚିନାର କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ସରବଜିତ ସିଂହ ଧିଲୋନ କହିଛନ୍ତି ଯେ ସୋପିଆନ ଜିଲ୍ଲାରେ ଆତଙ୍କୀମାନେ ଅମରନାଥ ରୁଟ୍ରେ ଯାତ୍ରୀଙ୍କୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ ଘଟାଇବା ସହ ସେମାନଙ୍କ ଉପରେ ଅତର୍କିତ ଆକ୍ରମଣ କରିବାର ଆଶଙ୍କା ଥିବା ଗୁଇନ୍ଦା ସୂଚନା ମିଳିଥିଲା । ସେହି ସୂଚନାକୁ ଆଧାର କରି ସୁରକ୍ଷା ବାହିନୀ ପକ୍ଷରୁ ତଲାସୀ କରାଯାଇଥିଲା । ତଲାସୀ ବେଳେ ବିପୁଳ ପରିମାଣ ଗୁଳିଗୋଳା ଓ ଅସ୍ତ୍ରଶସ୍ତ୍ର ମିଳିଛି । ସେଥିରେ ପାକିସ୍ତାନ ଅର୍ଡାନ୍ସ ଫ୍ୟାକ୍ଟ୍ରିରେ ନିର୍ମିତ ମାଇନ ଏବଂ ଟେଲିସ୍କୋପ ଲାଗିଥିବା ଆମେରିକା ସ୍ନାଇପର ରାଇଫଲ ଏମ୍-୨୪ ରହିଛି । ତେବେ ନିର୍ଦ୍ଦିଷ୍ଟ କେଉଁ ସ୍ଥାନରୁ ଏସବୁ ସାମଗ୍ରୀ ମିଳିଛି ତାହାର ସେ କୌଣସି ସୂଚନା ଦେଇ ନଥିଲେ । କହିଥିଲେ ସମ୍ପୃକ୍ତ ରୁଟ୍ରେ ତଲାସୀ ଜାରି ରହିଛି । ସେ କହିଛନ୍ତି ଏଲ୍ଓସି (ନିୟନ୍ତ୍ରଣ ରେଖା)ରେ ପରିସ୍ଥିତି ଶାନ୍ତ ରହିଥିଲା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ଆଇଇଡି ବିସ୍ଫୋରଣର ଭୟ ଲାଗି ରହିଛି । ଏଲ୍ଓସିରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଘଟଣା ଯଥେଷ୍ଟ ପରିମାଣରେ ହ୍ରାସ ପାଇଛି ।
ସେହିଭଳି କେତେକ ସ୍ଥାନରୁ ଜବତ କରାଯାଇଥିବା ଆଇଇଡିର ବର୍ତ୍ତମାନ ଯାଞ୍ଚକରାଯାଉଛି । ବିଶେଷଜ୍ଞମାନେ ସେସବୁକୁ ଯାଞ୍ଚକରୁଛନ୍ତି । ସେହିସବୁ ଆଇଇଡି କେଉଁଠାରେ ନିର୍ମିତ, ତାକୁ କେଉଁଠାରୁ ଅଣାଯାଇଛି ଓ କିଏ ଆଣିଛି ତାହାର ଖୋଳତାଡ଼ ଚାଲିଛି । ନିକଟରେ ଗିରଫ ହୋଇଥିବା ମୁନା ଲାହୋରି, କାମରାନ ଓ ଉସ୍ମାନ ଭଳି କିଛି ଆତଙ୍କୀଙ୍କୁ ଏହି ଆଇଇଡି ଉଦ୍ଧାର କରାଯିବା ଉପରେ ପଚରାଉଚୁରା କରାଯାଉଛି । କାରଣ ଆତଙ୍କୀ ସଙ୍ଗଠନରେ ସେମାନେ ଆଇଇଡି ବିଶେଷଜ୍ଞ ଭାବେ ପରିଚିତ । କାଶ୍ମୀର ଉପତ୍ୟକାରେ ସୁରକ୍ଷା ବାହିନୀ ଉପରେ ପଥର ଫିଙ୍ଗା ଘଟଣା ୮୩ % କମିଛି । ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ଓ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଯୋଗୁ ଏସବୁ ସମ୍ଭବ ହୋଇଛି । ସବୁ ମା’ ମାନଙ୍କୁ ସେମାନଙ୍କ ପିଲାଙ୍କୁ ଢେଲାପଥର ଫିଙ୍ଗିବା ପାଇଁ ନ ଛାଡ଼ିବାକୁ ସେନା ପକ୍ଷରୁ ଅନୁରୋଧ କରାଯାଇଛି । ଆଜି ସେମାନେ ୫୦୦ ଟଙ୍କା ନେଇ ପଥର ଫିଙ୍ଗୁଛନ୍ତି । ଆସନ୍ତାକାଲି ସେମାନେ ଆତଙ୍କବାଦୀ ହେବେ । ବୋମା ଓ ବନ୍ଧୁକ ଧରିବେ । ତେଣୁ ପିଲାମାନଙ୍କୁ ନିୟନ୍ତ୍ରଣ କରିବା ଲାଗି ସେମାନଙ୍କ ପରିବାରକୁ ନିବେଦନ କରାଯାଇଛି । କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବାକୁ ପାକିସ୍ତାନ ଲଗାତାର ଭାବେ ପ୍ରୟାସ କରିଆସୁଥିବା ସେ କହିଛନ୍ତି ।
ଜମ୍ମୁ-କାଶ୍ମୀରକୁ ଅତିରିକ୍ତ ସୁରକ୍ଷା ବାହିନୀକୁ ପଠାଯିବା ଉପରେ ଏକ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟ ପୁଲିସ ଡିଜି ଦିଲବାଗ ସିଂହ କହିଛନ୍ତି ଯେ ଏହା ନିୟମିତ ଘଟଣା । ଆଗକୁ ବିଧାନସଭା ନିର୍ବାଚନ ରହିଥିବାରୁ ତାକୁ ଦୃଷ୍ଟିରେ ରଖି ଏସବୁ ପଦକ୍ଷେପ ନିଆଯାଇଛି । ତା’ଛଡ଼ା ଆତଙ୍କବାଦୀମାନେ ବଡ଼ଧରଣର ଆକ୍ରମଣ ଘଟାଇବାର ସୂଚନା ମିଳିବା ପରେ ଅଧିକ ସଂଖ୍ୟକ ଯବାନଙ୍କୁ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ମୁତୟନ କରାଯାଇଛି । ତେବେ କେତେ ସଂଖ୍ୟକ ଯବାନଙ୍କୁ ନିୟୋଜିତ କରାଯାଇଛି ତାହାର ସେ କୌଣସି ସୂଚନା ଦେଇ ନଥିଲେ । କେବଳ ଏତିକି କହିଥିଲେ ଯେ ସମଗ୍ର କାଶ୍ମୀର ଉପତ୍ୟକାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିଭଳି କାଶ୍ମୀରର ପୁଲିସ ଆଇଜି ସ୍ୱୟଂ ପ୍ରକାଶ ପାଣି କହିଛନ୍ତି ଯେ ନିକଟରେ କାଶ୍ମୀରରେ ବିଶେଷକରି ସୋପିଆନ ଓ ପୁଲୱାମା ଜିଲ୍ଲାର କେତେକ ସ୍ଥାନରେ ଆଇଇଡି ବିସ୍ଫୋରଣ ଘଟାଇବା ଲାଗି ଆତଙ୍କୀମାନେ ୧୦ ଥର ଉଦ୍ୟମ କରିଛନ୍ତି । କିନ୍ତୁ ସେମାନଙ୍କର ସବୁଥର ଉଦ୍ୟମକୁ ସୁରକ୍ଷା ବାହିନୀ ପକ୍ଷରୁ ବିଫଳ କରିଦିଆଯାଇଛି ।
ଇତିମଧ୍ୟରେ ଅମରନାଥ ଯାତ୍ରୀଙ୍କୁ ତୁରନ୍ତ ସେମାନଙ୍କ ଗସ୍ତ ଶେଷ କରିବା ସହ ରାଜ୍ୟ ଛାଡ଼ି ଚାଲିଯିବାକୁ ଜମ୍ମୁ-କାଶ୍ମୀର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ସେହିଭଳି କାଶ୍ମୀରକୁ ଆସିଥିବା ପର୍ଯ୍ୟଟକମାନଙ୍କୁ ମଧ୍ୟ ତୁରନ୍ତ ଫେରିଯିବା ଲାଗି କୁହାଯାଇଛି । ଯାତ୍ରୀଙ୍କ ଉପରେ ଆତଙ୍କୀ ଆକ୍ରମଣର ଆଶଙ୍କା ରହିଛି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ମିଳିବା ପରେ ରାଜ୍ୟ ସରକାର ଏଭଳି ପରାମର୍ଶ ଦେଇଛନ୍ତି । ରାଜ୍ୟ ଗୃହ ବିଭାଗର ମୁଖ୍ୟ ସଚିବ ସଲିନ କାବ୍ରାଙ୍କ ପକ୍ଷରୁ ଏ ସମ୍ପର୍କିତ ଆଡଭାଇଜରି ଜାରି କରାଯାଇଛି । ସେଥିରେ କୁହାଯାଇଛି ଯେ ଯାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷା ହେଉଛି ସବୁଠାରୁ ବଡ଼ ପ୍ରସଙ୍ଗ । ସେଥିପାଇଁ ଗସ୍ତ କାଣ୍ଟଛାଣ୍ଟ କରି ସୁରକ୍ଷିତ ଭାବେ ସେମାନେ ଫେରି ଆସିବାକୁ ଅନୁରୋଧ କରାଯାଇଛି ।
ଅନ୍ୟପକ୍ଷରେ କାଶ୍ମୀରକୁ ଅଧିକ ୨୮ ହଜାର ଯବାନ ପଠାଯିବା ଖବରକୁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଖଣ୍ଡନ କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଗତ ସପ୍ତାହରେ ପଠାଯାଇଥିବା ୧୦ ହଜାର ଯବାନଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଉଛି । ଆତଙ୍କବାଦୀ ଆକ୍ରମଣର ଆଶଙ୍କା ଥିବାରୁ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଆତଙ୍କବାଦୀ ଦମନ ଓ ଅମରନାଥ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଅଧିକ ଯବାନଙ୍କୁ ପଠାଯାଇଛି । ସେହିଭଳି ଆଗକୁ ସ୍ୱାଧୀନତା ଦିବସ ଥିବାରୁ ତାକୁ ଦୃଷ୍ଟିରେ ରଖି ସମଗ୍ର ଉପତ୍ୟାକାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଉଛି । କାଶ୍ମୀରରେ ବର୍ତ୍ତମାନ ପ୍ରାୟ ୧ଲକ୍ଷ ଯବାନ ନିୟୋଜିତ ଅଛନ୍ତି । କିନ୍ତୁ ସୁରକ୍ଷା ଦୃଷ୍ଟିକୋଣରୁ ଏସବୁ ବିଷୟରେ ସବିଶେଷ ତଥ୍ୟ ଦେବା ସମ୍ଭବ ନୁହେଁ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦର୍ଶାଇଛି ।
ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଦେଇ ଭାରତକୁ ୫ ଜଣ ଜୈସ୍-ଇ-ମହମ୍ମଦ ଆତଙ୍କବାଦୀ କାଶ୍ମୀରରେ ପ୍ରବେଶ କରିଛନ୍ତି । ସେମାନେ ସୁରକ୍ଷା ବାହିନୀ କିମ୍ବା ସୁରକ୍ଷା ପ୍ରତିଷ୍ଠାନ ଉପରେ ବଡଧରଣର ଆକ୍ରମଣ ଘଟାଇବାର ଆଶଙ୍କା ରହିଛି ବୋଲି ଗୁଇନ୍ଦା ବିଭାଗ ସତର୍କ କରାଇଦେଇଛି । ବିଶେଷକରି ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସ ପାଳନ ବେଳେ ସେମାନେ ଆକ୍ରମଣ କରିବାର ଆଶଙ୍କା ରହିଛି । ରିପୋର୍ଟ ମିଳିବା ପରେ ସମଗ୍ର କାଶ୍ମୀର ଉପତ୍ୟାକାରେ ସେନାକୁ ହାଇଆଲର୍ଟରେ ରଖାଯାଇଛି । ବାୟୁସେନାକୁ ସଜାଗ ରହିବା ଲାଗି କୁହାଯାଇଛି । କାଶ୍ମୀରରେ ବାୟୁସେନାର ସି-୧୭ ବିମାନ ସମେତ ଅନ୍ୟାନ୍ୟ ଜେଟ୍ ବିମାନକୁ ନିୟୋଜିତ କରାଯାଇଛି । ଯେକୌଣସି ପରିସ୍ଥିତିରେ ସିଆରପିଏଫ ଓ ଅନ୍ୟ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ତୁରନ୍ତ କାଶ୍ମୀର ଘାଟିର ବିଭିନ୍ନ ସ୍ଥାନରେ ପହଞ୍ଚାଇବା ଲାଗି ଏଭଳି ବ୍ୟବସ୍ଥା କରାଯାଇଛି । ବିଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯିବା ସହ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯାଇଛି । କାଶ୍ମୀରର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥରେ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ନିୟୋଜିତ କରାଯାଇଛି । ସମସ୍ତ ଶିକ୍ଷାନୁଷ୍ଠାନର ଗ୍ରୀଷ୍ମାବକାଶକୁ ଗତକାଲି ଠାରୁ ଆହୁରି ୧୦ ଦିନ ପାଇଁ ବଢ଼ାଇ ଦିଆଯାଇଛି ।
Comments are closed, but trackbacks and pingbacks are open.