ଇସଲାମାବାଦ: ପାକିସ୍ତାନୀ ସେନା ଆଜି ଅଭିଯୋଗ କରିଛି କି ଭାରତୀୟ ସେନା ଏଲଓସି ନିକଟରେ ପିଓକେର ବେସାମରିକ ନାଗରିକଙ୍କୁ ଟାର୍ଗେଟ କରି କ୍ଲଷ୍ଟର ବମ୍ ବ୍ୟବହାର କରୁଛି । ଏପରି କରି ଭାରତ ଆନ୍ତର୍ଜାତିକ ନିୟମର ଉଲ୍ଲଂଘନ କରିଛି । ଏ ପ୍ରକାର ବୋମାର ବ୍ୟବହାର ଯୋଗୁ ପିଓକେରେ କିଛି ସାଧାରଣ ଲୋକ ମୃତାହତ ହୋଇଛନ୍ତି । ପାକ୍ ସେନାର ଜନସମ୍ପର୍କ ବିଭାଗର ପ୍ରବକ୍ତା ଏ ପ୍ରକାର ବୟାନ ଦେଇଛନ୍ତି । ସେ ମଧ୍ୟ ଟ୍ୱିଟ୍ କରି କହିଛନ୍ତି କି ଭାରତ କାଶ୍ମୀରରେ ଚାଲିଥିବା ସ୍ୱାଧୀନତା ଆନ୍ଦୋଳନକୁ ଦବାଇପାରିବ ନାହିଁ । କାଶ୍ମୀର ପ୍ରସଙ୍ଗ ପାକିସ୍ତାନୀଙ୍କ ରକ୍ତରେ ଅଛି । କାଶ୍ମୀରବାସୀ ନିଜ ଉଦ୍ୟମରେ ସଫଳ ହେବେ ।
ଏହାପରେ ପାକିସ୍ତାନର ବିଦେଶ ମନ୍ତ୍ରୀ କହିଛନ୍ତି ଯେ ତାଙ୍କ ଦେଶ ଭାରତର ଏ ପ୍ରକାର ହରକତ ବିଷୟରେ ଆନ୍ତର୍ଜାତିକ ସମୁଦାୟର ଦୃଷ୍ଟି ଆକର୍ଷଣ କରିବ । ବିଶେଷ କରି ଜାତିସଂଘ ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟଙ୍କୁ ଏନେଇ ଅବଗତ କରାଇବ ।
ଏହା ଉପରେ ପ୍ରତିକ୍ରିୟା ଦେଇ ଭାରତୀୟ ସେନା କହିଛି କି ପାକ୍ ସେନାର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା । ଭାରତୀୟ ସେନା ଏଭଳି ବୋମାର ବ୍ୟବହାର କରିନାହିଁ । ଓଲଟା ପାକ୍ ସେନା ଆତଙ୍କବାଦୀମାନଙ୍କୁ ଭାରତ ଭିତରେ ପ୍ରବେଶ କରାଇବା ପାଇଁ ସବୁ ପ୍ରକାର ସହାୟତା କରୁଛି । ଭାରତୀୟ ସେନା କେବଳ ଆତଙ୍କବାଦୀ ଓ ପାକ୍ ସେନାକୁ ଟାର୍ଗେଟ କରୁଛି ।
ଉଲ୍ଲେଖଯୋଗ୍ୟ ଯେ, କ୍ଲଷ୍ଟର ବମ୍ କହିଲେ ଏକ ପ୍ରକାର ବୋମାକୁ ବୁଝାଏ ଯାହା ମଝି ଆକାଶରେ ବିସ୍ଫୋରିତ ହୁଏ । ଏହାପରେ ସେଥିରେ ଥିବା ଅନେକଗୁଡିଏ ଛୋଟ ଛୋଟ ବୋମା ବାହାରି ଚାରିଆଡେ ବିଛାଇ ହୋଇପଡେ ଏବଂ ବିସ୍ଫୋରିତ ହୁଏ । ଏହାଯୋଗୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୁଏ ।
Comments are closed, but trackbacks and pingbacks are open.