ଜମ୍ମୁ: ପାକିସ୍ତାନ ଦ୍ୱାରା ଜମ୍ମୁ-କାଶ୍ମୀର ସଂଲଗ୍ନ ନିୟନ୍ତ୍ରଣ ରେଖା ନିକଟରେ ରବିବାର କରାଯାଇଥିବା ଗୁଳିଗୋଳା ମାଡ଼ରେ ୧୦ ଦିନର ଏକ ଶିଶୁ କନ୍ୟା ସମେତ ତିନି ଜଣ ବ୍ୟକ୍ତି ଆହତ ହୋଇଥିଲେ । ଆଜି ଚିକିତ୍ସାଧୀନ ଅବସ୍ଥାରେ ଉକ୍ତ ଶିଶୁର ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି । ଗତକାଲି ପାକ୍ ସେନା ପୁଞ୍ଚ ଜିଲା ସଂଲଗ୍ନ ଶାହପୁର ଏବଂ ସୁଜିୟାନ ସେକ୍ଟରରେ ପ୍ରବଳ ଗୁଳିଗୋଳା ବର୍ଷଣ କରିଥିଲା । ପାକ୍ ସେନା ଏଥିପାଇଁ ସ୍ୱୟଂଚାଳିତ ଅସ୍ତ୍ର ସହ ମୋର୍ଟାର ବି ବ୍ୟବହାର କରିଥିଲା । ସିଏ ସୋମବାର ମଧ୍ୟ ଏହି ଅଞ୍ଚଳରେ ପୁଣି ଗୁଳିଗୋଳା ମାଡ଼ କରିଛି । ଉପରୋକ୍ତ ଦୁଇ ସେକ୍ଟର ସହ ମେନ୍ଧର , ମାନକୋଟ ଓ କ୍ରିଷ୍ଣାଘାଟି ସେକ୍ଟରରେ ବି ସିଏ ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଭାରତୀୟ ସେନା ଏହାର କଡ଼ା ଜବାବ ଦେଉଥିବାର ସୂଚନା ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ପାକ୍ ସେନା ଦ୍ୱାରା ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଯୋଗୁ ଗତ କିଛି ଦିନ ଭିତରେ ତିନି ଜଣ ଯବାନ ସହିଦ ହୋଇସାରିଲେଣି । ଜୁଲାଇ ୨୨ରେ ରାଜୌରି ଜିଲାର ସୁନ୍ଦରବନି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିଥିଲା । କିନ୍ତୁ ଏଥିରେ ଜଣେ ଯବାନ ସହିଦ ହୋଇଥିଲେ ।
Comments are closed, but trackbacks and pingbacks are open.