ଶ୍ରୀନଗର: ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରାଯିବା ପରେ ଏଥିରେ ବିବ୍ରତ ହୋଇପଡିଥିବା ପାକିସ୍ତାନ ଲଗାତାର ଭାବେ ଅସ୍ତ୍ରବିରତି ଉଲ୍ଲଂଘନ କରି ନିୟନ୍ତ୍ରଣ ରେଖା (ଏଲ୍ଓସି)ରେ ଥିବା ଭାରତୀୟ ସେନାଘାଟି ଓ ଜନବସତି ଉପରକୁ ଗୁଳିଗୋଳା ମାଡ଼ ଜାରି ରଖିଛି । ସୀମାରେ ସଜାଗ ଭାରତୀୟ ଯବାନମାନେ ତାର ମୁହଁତୋଡ ଜବାବ ବି ଦେଉଛନ୍ତି । ଆଜି ଭାରତୀୟ ସେନାର ଏଭଳି ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନର ଏକ ସେନାଘାଟି ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ପାଇଯାଇଛି ।
ସୂଚନା ଅନୁସାରେ ନିୟନ୍ତ୍ରଣ ରେଖା ଆରପଟ ଲିପା ଭ୍ୟାଲି ଅନ୍ତର୍ଗତ ପାଣ୍ଡୁ ଅଞ୍ଚଳରେ ଏହି ସେନାପୋଷ୍ଟ ରହିଥିଲା । ସେହି ପୋଷ୍ଟରୁ ପାକିସ୍ତାନୀ ସୈନିକମାନେ ଲଗାତାର ଭାବେ ଭାରତର ସୀମାବର୍ତ୍ତୀ ଜନବସତି ଓ ସେନାଘାଟି ଉପରେ ଗୁଳିଗୋଳା ବର୍ଷଣ କରୁଥିଲା । ଏଥିସହ ଉକ୍ତ ସେନାପୋଷ୍ଟକୁ ପାକିସ୍ତାନୀ ସେନା ଆତଙ୍କୀ ଲଞ୍ଚ ପ୍ୟାଡ ଭାବେ ମଧ୍ୟ ବ୍ୟବହାର କରୁଥିଲା । ସେଠାରେ ଆତଙ୍କୀମାନଙ୍କୁ ଏକାଠି କରୁଥିଲା । ଗୁଳିମାଡ଼ କରିବା ଭିତରେ ସେଠାରୁ ଆତଙ୍କବାଦୀମାନଙ୍କୁ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରୁଥିଲା । ଭାରତୀୟ ଗୁଇନ୍ଦା ସଂସ୍ଥା ପୂର୍ବରୁ ଏହି ବିଷୟରେ ଜାଣିପାରିଥିଲେ । ତେଣୁ ଭାରତୀୟ ସେନା ସେହି ପୋଷ୍ଟକୁ ଆଜି ଟାର୍ଗେଟ କରି ଉଡ଼ାଇ ଦେଇଛନ୍ତି । ତେବେ ଏଥିରେ ପାକିସ୍ତାନୀ ସେନାର ବ୍ୟାପକ କ୍ଷୟକ୍ଷତି ଘଟିଥିବାର ଅନୁମାନ କରାଯାଉଛି । କିନ୍ତୁ ଏ ସମ୍ପର୍କରେ ଅଧିକ ସୂଚନା ମିଳିପାରିନାହିଁ ।
Comments are closed, but trackbacks and pingbacks are open.