ମାଲକାନଗିରି/ମାଥିଲି,(ବି.ବି.ନ୍ୟୁଜ): ନଦୀ ଭିତରେ ପଶି ଜଳସ୍ତର ମାପୁଥିବା ବେଳେ ଭାସିଯାଇଛନ୍ତି ଜାତୀୟ ରାଜପଥ ବିଭାଗର ଜଣେ କର୍ମଚାରୀ । ତାଙ୍କ ନାଁ ସୌଭାଗ୍ୟ ମହାରଣା । ସନ୍ଧ୍ୟା ପର୍ଯ୍ୟନ୍ତ ତାଙ୍କ ପତ୍ତା ମିଳିନି । ପୁଲିସ୍ ଓ ଅଗ୍ନିଶମ କର୍ମଚାରୀମାନେ ବହୁ ଖୋଜାଖୋଜି କରିଥିଲେ ହେଁ ତାଙ୍କୁ ଖୋଜି ପାଇନାହାନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ଜାତୀୟ ରାଜପଥର ମାଲାକନଗିରି- ଜୟପୁର ମଧ୍ୟରେ ଥିବା ପାଙ୍ଗାମା ନଦୀରେ ।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳେ ଜାତୀୟ ରାଜପଥ ନିର୍ମାଣ ସଂସ୍ଥାର ୪ ଜଣ ସର୍ଭେ କର୍ମଚାରୀ ପାଙ୍ଗାମା ନଦୀ ନିକଟରେ ପହଞ୍ଚିଥିଲେ । ଜଳସ୍ତର ମାପୁଥିଲେ । ଜଳର ଗଭୀରତା ଜାଣିବା ଲାଗି ଶ୍ରୀ ମହାରଣା ନଦୀ ଭିତରକୁ ପଶିଥିଲେ । ମାପ କରୁଥିବାବେଳେ ହଠାତ୍ ତାଙ୍କ ଗୋଡ ଖସି ଯାଇଥିଲା । ପ୍ରଖର ସ୍ରୋତରେ ସେ ଭାସି ଯାଇ ନିଖୋଜ ହୋଇଯାଇଥିଲେ । ଏହା ଦେଖି କୂଳରେ ଥିବା ଅନ୍ୟ ସହକର୍ମୀମାନେ ଡାକ ପକାଇଥିଲେ । ସେମାନଙ୍କ ଚି+ାର ଶୁଣି ପାଙ୍ଗାମା ଅଞ୍ଚଳର କେତେକ ଯୁବକ ପହଞ୍ଜି ଖୋଜାଖୋଜି କରିଥିଲେ । ପରେ ପରେ ମାଥିଲି ଅଗ୍ନିଶମ ବିଭାଗ ଓ ଥାନାକୁ ଖବର ଦିଆଯାଇଥିଲା । ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ତିନୋଟି ଟିମ୍ରେ ବିଭକ୍ତ ହୋଇ ନଦୀ ଭିତରେ ଖୋଜାଖୋଜି କରିଥିଲେ । ସକାଳ ୯ଟା ୧୫ରୁ ତଲାସୀ ଜାରି ରହିଥିଲେ ହେଁ ସନ୍ଧ୍ୟା ପର୍ଯ୍ୟନ୍ତ ସୌଭାଗ୍ୟଙ୍କ ସନ୍ଧାନ ମିଳିନଥିଲା । ପାଙ୍ଗମା ନଦୀ ପୋଲଟି ଅନେକ ବର୍ଷ ତଳେ ନିର୍ମାଣ ହୋଇଥିଲା । ପୋଲଟି ଅତ୍ୟନ୍ତ ତଳୁଆ ଥିବାରୁ ବର୍ଷା ହେଲେ ନଦୀ ଜଳ ପୋଲ ଉପରେ ପ୍ରବାହିତ ହେଉଥିଲା । ଫଳରେ ମାଲକାନଗିରିରୁ ଜୟପୁର ମଧ୍ୟରେ ଯାତାୟତ ବନ୍ଦ ହୋଇଯାଉଥିଲା । ଏହାକୁ ଆଖିରେ ରଖି ଜିଲ୍ଲାପାଳଙ୍କ ଅନୁରୋଧକ୍ରମେ ରାଜ୍ୟ ସରକାର ଏଠାରେ ଏକ ନୂତନ ପୋଲ ନିର୍ମାଣ ଲାଗି ନିଷ୍ପତ୍ତି ନେଇଥିଲେ । ନଷ୍ପତ୍ତି ଅନୁସାରେ ବିଭାଗୀୟ କର୍ମଚାରୀମାନେ ମାପ କରିବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।
Comments are closed, but trackbacks and pingbacks are open.