ପାତ୍ରପୁର,(ବି.ବି.ନୁ୍ୟଜ୍): ଦାଦନ ଖଟିବାକୁ ଯାଇ ଲକ୍ଡାଉନ ଯୋଗୁଁ ଅଟକି ଥିବା ଚାରିଜଣ ଦଳିତ ଯୁବକ ପାଞ୍ଚ ଦିନ ଚାଲି ଚାଲି ଗ୍ରାମରେ ପହଞ୍ଚିଛନ୍ତି । ପାତ୍ରପୁର ବ୍ଳକ ଖାରିଆଗୁଡା ପଞ୍ଚାୟତ ଗୁରୁଙ୍ଗି ଗ୍ରାମର ଏହି ଯୁବକ ହେଲେ ଚନ୍ଦନ ନାଇକ, ସନ୍ତୋଷ ନାଇକ,ସୁନୀଲ ନାଇକ ଓ ଶଙ୍କର ନାଇକ ବୋଲି ଜଣାପଡ଼ିଛି । ଏହିଚାରି ଜଣ ଦେଢ ମାସ ପୂର୍ବେ କାମ କରିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ । ରାଜମଣ୍ଡି୍ରଠାରୁ ପ୍ରାୟ ୨୦ କିଲୋମିଟର ଦୂର ଏକ ସୂତା କାରଖାନାରେ କାର୍ଯ୍ୟ କରୁଥିଲେ । ତେବେ ଗତ ମାସରେ ଲକ୍ଡାଉନ ଘୋଷଣା ପରେ କାରଖାନା ବନ୍ଦ ହୋଇଗଲା । କିଛିଦିନ ପର୍ଯ୍ୟନ୍ତ ହାତରେ ଥିବା ଅର୍ଥରେ ଖାଦ୍ୟ ସଂଗ୍ରହ କରି ରହିବା ପରେ ଫେରିବା ବାଟକୁ ଚାହିଁ ରହିଥିଲେ । ତେବେ କାରଖାନା ମାଲିକଙ୍କ ଠାରୁ ବକେୟା ମଜୁରି ମିଳିନଥିବା ଯୋଗୁଁ ଗ୍ରାମକୁ ଫେରିବା ପାଇଁ ନିଷ୍ପତ୍ତି ନେଲେ । ଗତ ରବିବାର ସନ୍ଧ୍ୟାରେ ଗ୍ରାମ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଶୁକ୍ରବାର ପାତ୍ରପୁର ବ୍ଲକ ଜୟନ୍ତୀପୁର ନିକଟରେ ପହଞ୍ଚି ଆଗକୁ ଯିବା କଷ୍ଟ ହେଉଥିବା ନେଇ ଘରକୁ ଜଣାଇଥିଲେ । ଘରଲାକ ପଞ୍ଚାୟତରେ ଜଣାଇଥିଲେ । ଏହି ଖବର ଜଣାପଡିବା ପରେ ଦୁଇ ଜଣ ଗଣମାଧ୍ୟମ ପ୍ରତିନିଧି ପ୍ରଶାସନକୁ ଜଣାଇବା ସହ ଜୟନ୍ତୀପୁରର ଜଣେ ଯୁବକଙ୍କୁ ଖାଦ୍ୟପେୟ ଯୋଗାଇ ଦେବାକୁ କହିଥିଲେ । ବ୍ଲକ ଯୁବ ବିଜେଡି ସଭାପତି ଜେ. ଧର୍ମା ରେଡି ତୁରନ୍ତ ସେହି ଯୁବକମାନଙ୍କୁ ଖାଦ୍ୟ ଦେଇଥିଲେ । ତେବେ ପ୍ରଶାସନ ଏହି ଯୁବକମାନଙ୍କୁ ଆଣି ଖାରିଆଗୁଡ଼ା କ୍ୱାରେଣ୍ଟାଇନକୁ ନେଇ ରଖିବା ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.