ପାଟକୁରା ନିର୍ବାଚନ: ସରିଲା ପ୍ରଚାର,୨୦ରେ ଭୋଟ

Get real time updates directly on you device, subscribe now.

କେନ୍ଦ୍ରାପଡ଼ା,(ବି.ବି.ନ୍ୟୁଜ୍): ଶାନ୍ତ ପଡ଼ିଯାଇଛି ପାଟକୁରା । ଗଲା ଦୁଇ ସପ୍ତାହ ହେଲାଣି କୋଳାହଳରେ ଗହଗହ କମ୍ପୁଥିଲା ସମଗ୍ର ଇଲାକା । ଆଜି ଅପରାହ୍ନ ୫ଟାରୁ ଆନୁଷ୍ଠାନିକ ଭାବେ ପ୍ରଚାର ଶେଷ ହେବା ପରେ ନିର୍ବାଚନମଣ୍ଡଳୀ ପୂରା ନିରବି ଯାଇଛି । ସର୍ବସାଧାରଣ ସଭା, ଗାଡ଼ି ପ୍ରଚାର, ଶୋଭାଯାତ୍ରା, ରୋଡ୍ ସୋ’ ସବୁ କିଛି ଠପ୍ । ତେବେ ନିର୍ବାଚନୀ ପ୍ରଚାରରେ କଟକଣା ଲାଗିଥିଲେ ମଧ୍ୟ ଭୋଟ ଭିଡ଼ିବାକୁ ଓ ନିଜ ନିଜ ସପକ୍ଷରେ ମତ ହାତେଇବାକୁ ପ୍ରାର୍ଥୀ ଓ ସେମାନଙ୍କ ଅନୁଗତମାନେ ଗଳାବାଟ ଖୋଜିବା ଆରମ୍ଭ କରିଦେଇଛନ୍ତି । ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଓ ନିର୍ବାଚନ ଆୟୋଗଙ୍କ ନଜରକୁ ଏଡ଼ାଇ ଚାଲିଛି ଅନ୍ଧାରି ବିଜେ । ଉପହାର ବାଣ୍ଟି ଭୋଟର ହାତେଇବାକୁ ଚାଲିଛି ଭିତିରି ଉଦ୍ୟମ ।
ଆସନ୍ତା ୨୦ ତାରିଖ ଅର୍ଥାତ ଶନିବାର ଏଠାରେ ମତଦାନ ହେବ । ଭୋଟରମାନେ ତାଙ୍କ ମନ ପସନ୍ଦର ପ୍ରାର୍ଥୀଙ୍କୁ ବାଛିବେ ଯିଏ ବିଧାନସଭାରେ ଅଞ୍ଚଳର ପ୍ରତିନିଧିତ୍ୱ କରିବେ । ଏଠାରେ ଏଥର ମୁଖ୍ୟତଃ ବିଜେଡିି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ଓ ବିଜେପି ପ୍ରାର୍ଥୀ ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ମଧ୍ୟରେ ହେଉଛି ଲଢ଼େଇ । କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କ ସମେତ ଅନ୍ୟମାନେ ଏକପ୍ରକାର ଲଢ଼େଇରୁ ବାହାରି ଯାଇସାରିଛନ୍ତି । ପ୍ରକୃତ ଟକ୍କର୍ ହେଉଛି ଶ୍ରୀମତୀ ଅଗ୍ରୱାଲ ଓ ଶ୍ରୀ ମହାପାତ୍ରଙ୍କ ମଧ୍ୟରେ । ଭୋଟର କାହା ଉପରେ କେତେ ଆସ୍ଥା, ଭରସା ରଖୁଛନ୍ତି ତାହା ଜଣାପଡ଼ିବ ୨୪ରେ ଗଣତି ପରେ ।
ପାଟକୁରା ନିର୍ବାଚନମଣ୍ଡଳୀରେ ସମୁଦାୟ ୩୦୯ ଗୋଟି ବୁଥ୍ ଥିବାବେଳେ ଏଥିରେ ମୋଟ ୨ ଲକ୍ଷ ୪୪ ହଜାର ୭୪୭ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୨୭ ହଜାର ୪୩୧ ପୁରୁଷ, ୧ ଲକ୍ଷ ୧୭ ହଜାର ୩୦୬ ମହିଳା ଏବଂ ୧୦ ଜଣ କିନ୍ନର ଭୋଟର ଅଛନ୍ତି । ୨ ହଜାର ୮୫୩ ଜଣ ଭିନ୍ନକ୍ଷମ ଭୋଟର ବି ଅଛନ୍ତି । ୩୦୯ଟି ବୁଥ୍ ପାଇଁ ୩୦୯ ଜଣ ବୁଥ୍ ଲେବଲ ଅଫିସର, ୩୧ଜଣ ସୁପରଭାଇଜର, ୩୧ ଜଣ ସେକ୍ଟର ଅଫିସର, ସେକ୍ଟର ପୁଲିସ ଅଫିସର ନିଯୁକ୍ତି ପାଇଛନ୍ତି । ୬ ଜଣ ଜୋନାଲ ଅଫିସର, ୨ ଏଆରଓ ବି ନିଯୁକ୍ତି ପାଇଛନ୍ତି । ୩୦୦ରୁ ଅଧିକ ଅଧିକାରୀ, କର୍ମଚାରୀ ମୁତୟନ ଅଛନ୍ତି ନିର୍ବାଚନ ପରିଚାଳନାରେ । ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ଜଳ ଓ ପରିମଳ ସେବା ସୁନିଶ୍ଚିତ କରାଯାଇଥିବା କୁହାଯାଇଛି । ଏଥିସହ ଭିନ୍ନକ୍ଷମ ଭୋଟରଙ୍କ ନିମନ୍ତେ ର‌୍ୟାମ୍ପ୍ର ବ୍ୟବସ୍ଥା କରାଯାଇଥିବା ନେଇ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ପୁଣି ୩୦୯ଟି ବୁଥ୍ ଭିତରୁ ୧୩୮ଟି ସମ୍ୱେଦନଶୀଳ ବୋଲି ରିପୋର୍ଟ କହୁଛି । ସେଥିରୁ ୩୧ଟି ବୁଥ୍ରେ ୱେବ୍ କାଷ୍ଟିଂ, ୪୦ଟିରେ ସିସିଟିଭି, ୫ଟିରେ ମାଇକ୍ରୋ ଅବଜର୍ଭର, ୧୫ଟି ବୁଥ୍ରେ ଭିଡିଓଗ୍ରାଫି କରାଯିବ ବୋଲି ସୂଚନା ମିଳିଛି । ଆଜିଠାରୁ ବିଭିନ୍ନ ବୁଥ୍ ଲାଗି ନିୟୋଜିତ ପୁଲିଂ ଅଫିସର, କର୍ମଚାରୀମାନେ ଇଭିଏମ୍ ମେସିନ, ଭିଭିପାଟ୍, ଆବଶ୍ୟକ କାଗଜାତ୍ ଧରି କେନ୍ଦ୍ରକୁ ଯାତ୍ରା ଆରମ୍ଭ କରିଛନ୍ତି । ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀର ଡେରାବିଶ ବ୍ଲକ ଅଧୀନରେ ଥିବା ୧୪୫ଟି ବୁଥ, ମାର୍ଶାଘାଇ ବ୍ଲକ ଅଧୀନରେ ଥିବା ୩୯ଟି ବୁଥ୍ ଓ ଗରଦପୁର ବ୍ଲକ ଅଧୀନରେ ଥିବା ୧୨୫ଟି ବୁଥ୍ ଏଭଳି ମୋଟ ୩୦୯ଟି ବୁଥ୍କୁ ପୋଲିଂ ପାର୍ଟି ଯାଇଛନ୍ତି । ପ୍ରତ୍ୟେକ ବୁଥ୍କୁ ଯାଇଥିବା ପୋଲିଂ ପାର୍ଟିରେ ଜଣେ ପ୍ରିଜାଇଡିଂ ଅଫିସର, ୩ ଜଣ ପୋଲିଂ ଅଫିସର, ଜଣେ ପୁଲିସ ଯାଇଥିବା ଜଣାପଡ଼ିଛି । ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ନିର୍ବାଚନମଣ୍ଡଳୀର ସମସ୍ତ ମତଦାତାଙ୍କୁ ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି ଯେ, ମତଦାତାଙ୍କ ବାମହାତ ମଧ୍ୟମା ଅଙ୍ଗୁଳି (ମିଡିଲ୍ ଫିଙ୍ଗର)ରେ ଏଥର ଭୋଟ୍ ଦାନ ପରେ ଅଲିଭା କାଳି ଲଗାଯିବ । ଯଦି କୌଣସି ମତଦାନ କେନ୍ଦ୍ରରେ ପୁନଃ ନିର୍ବାଚନର ଆବଶ୍ୟକତା ପଡ଼େ ତେବେ ମତଦାତାଙ୍କ ଅନାମିକା ଅଙ୍ଗୁଳି (ରିଙ୍ଗ୍ ଫିଙ୍ଗର)ରେ ଅଲିଭା କାଳି ପ୍ରୟୋଗ କରାଯିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons