ପାଠକଙ୍କ ଦୁର୍ନୀତି ପାଠ ଖୋଜୁଛି ଭିଜିଲାନ୍ସ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକଙ୍କ ଅମାପ ସମ୍ପତ୍ତିର ଚାଲିଛି ଖୋଳତାଡ଼ । ଦୁର୍ନୀତି ପାଠର ଯାଞ୍ଚ ହେଉଛି । ଆଜି ଭିଜିଲାନ୍ସ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ତାଙ୍କ ଘାଟିକିଆ ଘର, ବ୍ରହ୍ମପୁର ଅଫିସ ଓ ସମ୍ପର୍କୀୟଙ୍କ ଘର, ବଲାଙ୍ଗୀର, ଅନୁଗୁଳ, ସମ୍ବଲପୁର, ରାଜଗାଙ୍ଗପୁର, କୋରାପୁଟ, ଭୁବନେଶ୍ୱର ଅଫିସ୍ ସହ ୧୦ଟି ଜାଗାରେ ଚଢ଼ଉ କରି ଖୋଳତାଡ କରିଛି । ଏହି ସମୟରେ ବହୁ କାଗଜପତ୍ର ଜବତ କରିବା ସହ ପରିବାର ଲୋକଙ୍କୁ ପଚରାଉଚରା କରିଛି । ଏତେ ପରିମାରରେ ଟଙ୍କା, ଦାମୀ ଘର ଓ ଗାଡ଼ି ଚାକିରି ଜୀବନରେ କେମିତି ହେଲା ତାହାର ଅନୁସନ୍ଧାନ କରିଛି ଏସ୍ଆଇଟି । ଭିଜିଲାନ୍ସର ୧୨ଟି ଟିମ୍ ଏହି ଚଢ଼ଉରେ ସାମିଲ ଅଛନ୍ତି ।
୧୯୮୭ ବ୍ୟାଚ୍ର ଆଇଏଫ୍ଏସ୍ ଅଫିସର ଅଭୟ ୩୩ ବର୍ଷ ଚାକିରି କାଳରେ କେମିତି କୋଟି କୋଟି ଟଙ୍କାର ସମ୍ପତ୍ତି ଆହରଣ କଲେ, ଏହାର ଖୋଳତାଡ଼ ଚାଲିଛି । ଅଭୟଙ୍କ ଡ୍ରାଇଭରଙ୍କୁ ଭିଜିଲାନ୍ସର ସେଲ୍ କର୍ମଚାରୀମାନେ ଦେଢ଼ ଘଣ୍ଟା ଧରି ଜେରା କରିଥିଲେ । ତାଙ୍କ ଘରୁ ମିଳିଥିବା ଟଙ୍କା ବିଷୟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି । ହେଲେ ସେ ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ । ତେଣୁ ତାଙ୍କୁ ପୁଣି ଜେରା କରାଯିବ ବୋଲି ଭିଜିଲାନ୍ସ ସ୍ପଷ୍ଟ କରିଛି । ବୁଧବାର ଦିନ ଅଭୟଙ୍କ ପୁତୁରା ଭିଜିଲାନ୍ସରେ ହାଜର ହେବେ ବୋଲି ସୂଚନା ମିଳିଛି ।
ଖାଲି ଡ୍ରାଇଭର ନୁହେଁ ଏସଆଇଟି ଆଜି ବନ ବିଭାଗର ତିନିଜଣ ଅଧିକାରୀ (ଜଣେ ଡିଏଫଓ, ଦୁଇଟି ଏସିଏଫ୍)ଙ୍କୁ ଜେରା କରିଛି । ତା’ଛଡା ବିମାନ ଟିକେଟ୍ (ଚାର୍ଟାର୍ର ଫ୍ଲାଇଟ୍), ହୋଟେଲ ଇତ୍ୟାଦି ବୁକିଂ ହୋଇଥିବା ଟ୍ରାଭେଲ ଏବଂ ଟୁର୍ ଅପରେଟରଙ୍କୁ କାଗଜପତ୍ର ମଗାଯାଇଛି । ଅଭୟଙ୍କ ବାସଭବନ ଏବଂ ଆପାର୍ଟମେଣ୍ଟରେ ଲାଗିଥିବା ସିସିଟିଭି ହାର୍ଡଡିକ୍ସ ଜବତ କରିଛି ଭିଜଲାନ୍ସ । ଉକ୍ତ ସିସିଟିଭିରୁ ଭିଜିଲାନ୍ସକୁ ଅନେକ ତଥ୍ୟ ମିଳିବ ବୋଲି ଜଣାପଡିଛି । ତା’ଛଡା ଭୁବନେଶ୍ୱର ଏବଂ ପୁନେରେ ତାଙ୍କ ପୁଅର ତିନୋଟି ବ୍ୟାଙ୍କ ଆକାଉଣ୍ଟରେ ଜମା ରହିଛି ୯.୪୮ କାଟି ଟଙ୍କା । ଏହି ଟଙ୍କାକୁ ଛାଡିଲେ ବାକି ୫.୨୯ କାଟି ଟଙ୍କା ବିଭିନ୍ନ ମାଧ୍ୟମରେ ଟ୍ରାନ୍ସଫର କରାଯାଇଛି । ମୋଟ ୧୪.୭୭ କୋଟି ଟଙ୍କାର ହିସାବ ପାଇଛି ଭିଜିଲାନ୍ସ । ଜମି ରେକର୍ଡ ଏବଂ ପାଠପଢ଼ା ଖର୍ଚ୍ଚର ମଧ୍ୟ ଯାଞ୍ଚ କରାଯାଉଛି । ରାଜ୍ୟ ଫୋରେନସିକ୍ ଲାବୋରେଟାରୀର ଅଧିକାରୀମାନେ ଜବତ ହୋଇଥିବା ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ଅନ୍ୟାନ୍ୟ ଉପକରଣର ଫୋରେନସିକ୍ ଯାଞ୍ଚ ଆରମ୍ଭ କରିଛନ୍ତି ।
ପାଠକଙ୍କ ଦୁର୍ନୀତିର ପାଠ ଖୋଜିବାକୁ ଯାଇ ଅନୁଗୁଳ ବନଖଣ୍ଡ କାର୍ଯ୍ୟାଳୟରେ ମଙ୍ଗଳବାର ତନାଘନା କରିଥିଲା ଭିଜିଲାନ୍ସ ଟିମ୍ । ଅନୁଗୁଳ ଭିଜିଲାନ୍ସର ୪ ଜଣିଆ ଟିମ୍ ବନଖଣ୍ଡ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାଗଜପତ୍ର ଯାଞ୍ଚ ସହ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ମାଗିଥିଲେ । ସେଠାରେ ଥିବା କର୍ମଚାରୀଙ୍କୁ ଜେରା କରିଥିଲେ । ୧୯୯୩ ଅକ୍ଟୋବର ମାସରୁ ଡିସେମ୍ବର ୧୯୯୪ ପର୍ଯ୍ୟନ୍ତ ଅନୁଗୁଳ ବନଖଣ୍ଡ ଅଧିକାରୀ ଭାବେ ଅଭୟ ଅବସ୍ଥାପିତ ଥିବାରୁ ଭିଜିଲାନ୍ସ ଟିମ୍ ତାଙ୍କର ବ୍ୟକ୍ତିଗତ ଫାଇଲ୍ ଅନୁଧ୍ୟାନ କରିଥିଲେ । ଉକ୍ତ ଫାଇଲର ନକଲ ମଧ୍ୟ ଭିଜିଲାନ୍ସ ସଂଗ୍ରହ କରିଛି । ଏହି ୧୪ ମାସର କାର୍ଯ୍ୟକାଳ ମଧ୍ୟରେ ଅଭୟଙ୍କ ଦରମା ସଂକ୍ରାନ୍ତୀୟ ଟିକିନିଖି ତଥ୍ୟ ହାସଲ କରିଛି । ଏହାସହ ଅନୁଗୁଳର କେଉଁ କେଉଁ ବ୍ୟାଙ୍କ୍ରେ ଅଭୟଙ୍କ କିମ୍ବା ତାଙ୍କ ପରିବାର, ସମ୍ପର୍କୀୟଙ୍କ ନାମରେ ଆକାଉଣ୍ଟ୍ ଅଛି, ତାହା ଜାଣିବାକୁ ସମସ୍ତ ବ୍ୟାଙ୍କ୍କୁ ଚିଠି କରା ଯାଇଥିବା ଜଣାପଡ଼ିଛି ।
ବଲାଙ୍ଗିରରେ ମଧ୍ୟ ଏସ୍ଆଇଟିର ଏକ ଟିମ ବିଭିନ୍ନ ସ୍ଥାନରେ ଖୋଳତାଡ଼ ଆରମ୍ଭ କରିଛି । ଭିଜିଲାନ୍ସ ପକ୍ଷରୁ ବଲାଙ୍ଗିର ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟ (କେନ୍ଦୁପତ୍ର ଡ଼ିଭିଜନ), ଓଡ଼ିଶା ବନ ଉନ୍ନୟନ ନିଗମ କାର୍ଯ୍ୟାଳୟ ସମେତ ଡାକ ଘର, ଜୀବନ ବୀମା ନିଗମ କାର୍ଯ୍ୟାଳୟ ଓ ସମସ୍ତ ବ୍ୟାଙ୍କକୁ ବିଭାଗ ପକ୍ଷରୁ ତଥ୍ୟ ମଗାଯାଇଛି । ଶ୍ରୀ ପାଠକଙ୍କ ସମେତ ତାଙ୍କ ପତ୍ନୀ ପୁଷ୍ପା ପାଠକ, ପୁଅ ଆକାଶ ଏବଂ ଝିଅ ଜୁହିଙ୍କ ନାଁରେ ଥିବା ଆକାଉଣ୍ଟ, ଫିକ୍ସ ଡିପୋଜିଟ, ଋଣ, ଜମା, ଲକର ଓ ଆର୍ଥିକ ଦେଣନେଣ ସମ୍ପର୍କରେ ସୂଚନା ମଗାଯାଇଛି ।
ବଲାଙ୍ଗୀରରେ ଅଭୟ ୨୦୧୪ ମସିହା ଫେବ୍ରୁଆରୀ ୭ତାରିଖରୁ ୨୦୧୭ ଜୁନ ୧୧ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ବନ ସଂରକ୍ଷକ କାର୍ଯ୍ୟାଳୟ(କେନ୍ଦୁପତ୍ର ଡିଭିଜନ) ଦାୟିତ୍ୱରେ ଥିଲେ । ତେଣୁ ସେଠାରେ ତାଙ୍କ ରହଣି ସମୟରେ ନିଜ କିମ୍ବା ସମ୍ପର୍କୀୟଙ୍କୁ ପ୍ରୋତ୍ସାହନ ଦେଇ କରା ଯାଇଥିବା କୌଣସି କାର୍ଯ୍ୟର ସୂଚନା, ସମ୍ପତ୍ତି ସୂଚନା, ତାଙ୍କ ସମୟରେ ହୋଇଥିବା କାର୍ଯ୍ୟର ବିବରଣୀ ତଥା ବ୍ୟକ୍ତିଗତ ଫାଇଲ, ମାସିକ ଦରମା ଫାଇଲ, ଅନ୍ୟ ବାବଦକୁ ପାଉଥିବା ଭତ୍ତାର ବିବରଣୀ, ଜିପିଏଫ ଆଦିର ସୂଚନା ମାଗିଥିଲେ ।
୨୦୦୮ରୁ ୨୦୧୩ ମସିହା ମଧ୍ୟରେ ବ୍ରହ୍ମପୁରରେ ଡିଏଫ୍ଓ ଏବଂ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍ଡିସି) ସାଧାରଣ ପରିଚାଳକ ଭାବେ କାର୍ଯ୍ୟରତ ଥିଲେ ଅଭୟକାନ୍ତ । ସେ ୨୦୦୮ ମସିହାରେ ବ୍ରହ୍ମପୁରରେ ବନ ଉନ୍ନୟନ ନିଗମର ଜେନେରାଲ ମ୍ୟାନେଜର ଦାୟିତ୍ୱରେ ଥିବା ବେଳେ ବଲାଙ୍ଗିର ଶାଖାର ଅତିରିକ୍ତ ଦାୟିତ୍ୱ ସମ୍ଭାଳିଥିଲେ । ତେଣୁ ଭିଜିଲାନ୍ସ ଟିମ ବ୍ରହ୍ମପୁର ଯାଇ ସମାନ ଢଙ୍ଗରେ କାଗଜପତ୍ର ମାଗିଛି । ଏହାପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବଲାଙ୍ଗିରସ୍ଥିତ ମୁଖ୍ୟ ଡାକଘର, ଏଲଆଇସି କାର୍ଯ୍ୟାଳୟ ଏବଂ ସେ ଦରମା ପାଉଥିବା ଏଡିବି ବ୍ୟାଙ୍କ ସମେତ ଅନ୍ୟାନ୍ୟ ବ୍ୟାଙ୍କର ମୁଖ୍ୟ ପରିଚାଳକଙ୍କୁ ଚିଠି କରିଛି । ପାଠକଙ୍କ ନାମରେ ଚାରାରୋପଣ ଦୁର୍ନୀତି ଅଭିଯୋଗ ଉଠିଥିବାରୁ ସେ ବାବଦରେ ଓଏଫ୍ଡିସି କାର୍ଯ୍ୟାଳୟରେ ତନାଘନା କରିବା ସହ ପାଠକ ଏଠି ଡିଏଫ୍ଓ ଥିବା ସମୟରେ କୌଣସି ଅନିୟମିତତା ଘଟିଥିଲା କି ସେ ବାବଦରେ ତଥ୍ୟ ସଂଗ୍ରହ ପାଇଁ ଚେଷ୍ଟା କରିଛି ଏସ୍ଆଇଟି ।
ସେହିଭଳି ସମ୍ବଲପୁରରେ ଅଭୟଙ୍କ ଲିଙ୍କରେ ରେଡ୍ ହୋଇଛି । ସମ୍ବଲପୁର ଭିଜିଲାନ୍ସର ସ୍ୱତନ୍ତ୍ର ଟିମ୍ ପକ୍ଷରୁ ପୂର୍ବରୁ ପାଠକ ଚାକରି କରୁଥିବା ଆରସିସିଏଫ ଅଫିସରେ ଚଢ଼ଉ କରାଯାଇଛି । ପାଠକଙ୍କ ସମ୍ପତ୍ତିକୁ ନେଇ ବିଭିନ୍ନ ବ୍ୟାଙ୍କକୁ ନୋଟିସ୍ ଜାରି ହୋଇଛି ।
ସେହିପରି ଶ୍ରୀ ପାଠକ ୨୦୦୬ ଜୁନରୁ ୨୦୦୮ ପର୍ଯ୍ୟନ୍ତ କୋରାପୁଟରେ ଆର୍ସିସିଏଫ୍ ଭାବେ କାମ କରିଥିଲେ । ତେଣୁ ଭିଜିଲାନ୍ସ ଟିମ ଏଠାରେ ଥିବା ଏସ୍ବିଆଇ, ଆଇଓବି, କେସିସି ଏବଂ ୟୁକୋ ବ୍ୟାଙ୍କ ଶାଖାରେ ଶ୍ରୀ ପାଠକଙ୍କ ସମୟରେ ହୋଇଥିବା ଅର୍ଥ ଦେଣନେଣ କାରବାରର କାଗଜପତ୍ର ଯାଞ୍ଚ କରିଛନ୍ତି । ପରେ ସ୍ଥାନୀୟ ଜୀବନବୀମା ଏବଂ ଡାକ କାର୍ଯ୍ୟାଳୟରେ ପହଞ୍ଚି ଅଧିକାରୀମାନେ ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons