କଟକ,(ବି.ବି.ନୁ୍ୟଜ୍): ଜନ୍ମରୁ ହାତ ପାପୁଲିରେ ନଥିଲା ବୁଢ଼ା ଆଙ୍ଗୁଠି । ଫଳରେ ହାତମୁଠା କରି ଖେଳଣା ଧରିବାଠାରୁ ଆରମ୍ଭ କରି ଛୋଟମୋଟ ଜିନିଷ ଧରିବାରେ ଅସୁବିଧା ହେଉଥିଲା । ଶିଶୁକ ନ୍ୟାର ଏପରି ଜନ୍ମଗତ ତ୍ରୁଟିକୁ ନେଇ ଚିନ୍ତାରେ ରହୁଥିଲେ ବାପାମା’ । ମାତ୍ର ଏସ୍ସିବି ମେଡିକାଲ କଲେଜ୍ ଓ ହସ୍ପିଟାଲର ପ୍ଲାଷ୍ଟିକ୍ ସର୍ଜରୀ ବିଶେଷଜ୍ଞଙ୍କ ସମୟପଯୋଗୀ ପଦକ୍ଷେପ ଯୋଗୁଁ କୁନି ଝିଅ ‘ସ୍ମୃତି’ର ପାପୁଲିରେ ଲାଗିଛି ନୂଆ ବୁଢ଼ା ଆଙ୍ଗୁଠି । ଏକ ଜଟିଳ ଅପରେସନ୍ ମାଧ୍ୟମରେ ସ୍ମୃତିର ଡାହାତ ହାତ ପାପୁଲିରେ ଥିବା ବୁଢ଼ା ଆଙ୍ଗୁଠିକୁ ଅଭାବକୁ ପୂରଣ କରାଯାଇଛି । ଜଟିଳ ମାଇକ୍ରୋସ୍କୋପ୍ ସର୍ଜରୀ ମାଧ୍ୟମରେ ପାପୁଲିରୁ ବିଶି ଆଙ୍ଗୁଠିକୁ ସ୍ଥାନାନ୍ତର କରାଯାଇ ବୁଢ଼ା ଆଙ୍ଗୁଠି ଭାବେ ଲଗାଯାଇଛ । ଫଳରେ ୧୫ ମାସର ଶିଶୁ କନ୍ୟାର ଡାହାଣ ହାତ ପାପୁଲିରେ ବୁଢ଼ା ଆଙ୍ଗୁଠି ନଥିବା ସମସ୍ୟା ଦୂର ହୋଇଛି । ଏଣିକି ଶିଶୁ କନ୍ୟା କୌଣସି ଜିନିଷ ଧରିବାରେ ସମସ୍ୟା ହେବ ନାହିଁ ।
ମିଳିଥିବା ସୂଚନାନୁସାରେ, ଦେଓଗଡ଼ ଚତାବର ଅଞ୍ଚଳର ସୁରେନ୍ଦ୍ର ପ୍ରଧାନଙ୍କ ବର୍ଷେ ୩ ମାସର ଝିଅ ସ୍ମୃତିରେଖା ପ୍ରଧାନଙ୍କର ଜନ୍ମରୁ ଡାହାଣ ହାତ ପାପୁଲିରେ ବୁଢ଼ା ଆଙ୍ଗୁଠି ନଥିଲା । ଫଳରେ ସେ ଶିଶୁ କନ୍ୟା ଡାହାଣ ହାତ ଅପେକ୍ଷା ବାମ ହାତକୁ ଅଧିକ ବ୍ୟବହାର କରୁଥିଲା । ଝିଅର ଏପରି ସମସ୍ୟାକୁ ଦେଖି ପରିବାର ଲୋକେ ଚିନ୍ତାରେ ଥିଲେ । ଶିଶୁ କନ୍ୟାର ଜନ୍ମଗତ ତ୍ରୁଟିକୁ ସୁଧାରିବା ପାଇଁ ପରିବାର ଲୋକେ ୧୨ ଦିନ ତଳେ ଏସ୍ସିବି ଡାକ୍ତରଖାନାରେ ପହଞ୍ଚିଥିଲେ । ଏଠାରେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ସ୍ମୃତିରେଖାକୁ ଉକ୍ତ ବିଭାଗରେ ଭର୍ତ୍ତି କରାଯାଇଥିଲା । ଶିଶୁ କନ୍ୟାର ଶରୀରରେ ପରୀକ୍ଷା ନିରୀକ୍ଷା ପରେ ୬ ଦିନ ତଳେ ତାର ଅପରେସନ୍ ହୋଇଥିଲା । ୪ ମାସ ତଳେ ଏସ୍ସିବି ପ୍ଲାଷ୍ଟିକ୍ ସର୍ଜରୀ ବିଭାଗକୁ ସରକାର ଯୋଗାଇ ଦେଇଥିବା ମାଇକ୍ରୋସ୍ପୋପ୍ ମେସି୍ନ ଯୋଗେ ଶିଶୁ କନ୍ୟାର ପାପୁଲିରେ ଜଟିଳ ମାଇକ୍ରୋସ୍କୋପ୍ ସର୍ଜରୀ କରାଯାଇଥିଲା । ବିଶି ଆଙ୍ଗୁଠିକୁ ମାଇକ୍ରୋ ସର୍ଜରୀ ମାଧ୍ୟମରେ ବୁଢ଼ା ଆଙ୍ଗୁଠି ଜାଗାରେ ଅବସ୍ଥାପିତ କରଯାଇଥିଲା । ୬ ଦିନ ତଳେ ଜଟିଳ ଅପରେସନ୍ ଦ୍ୱାରା ଅବସ୍ଥାପିତ ହୋଇଥିବା ଉକ୍ତ ବୁଢ଼ା ଆଙ୍ଗୁଠିରେ ଏବେ ରକ୍ତ ସଞ୍ଚାଳନ ଠିକ୍ ହେବା ସହ ସ୍ନାୟୁକୋଷଗୁଡ଼ିକ ମଧ୍ୟ ଠିକ୍ ଭାବେ କାମ କରୁଥିବାର ଡାକ୍ତର କହିଛନ୍ତି । ୩ ମାସ ବେଳକୁ ଉକ୍ତ ବୁଢ଼ା ଆଙ୍ଗୁଠି ଆହୁରି ଅଧିକ କାର୍ଯ୍ୟକ୍ଷମ ହୋଇପାରିବ ବୋଲି ଡାକ୍ତରମାନେ ଆଶାବ୍ୟକ୍ତ କରିଛନ୍ତି । ଶିଶୁ କନ୍ୟାର ଅପରେସନ୍ ପାଇଁ ଗଠିତ ଟିମ୍ରେ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗ ପକ୍ଷରୁ ବିଭାଗୀୟ ପ୍ରଫେସର ବିଭୂତି ଭୂଷଣ ନାୟକ, ଡାକ୍ତର ଆଶିଷ ପ;ନାୟକ, ଡାକ୍ତର ମହେଶ ମଣ୍ଡଳ, ଡାକ୍ତର ଚନ୍ଦନ, ଡାକ୍ତର ରୋଜାଲିନ୍, ଡାକ୍ତର ସଞ୍ଜୀବ ଓ ଡାକ୍ତର କମଲ ପ୍ରମୁଖ ସାମିଲ୍ ହୋଇ ଜଟିଳ ମାଇକ୍ରୋସ୍କୋପ୍ ସର୍ଜରୀ କରାଇଥିଲେ ।
Comments are closed, but trackbacks and pingbacks are open.