ଢେଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ସଦର ଥାନା ବେଲଟିକିରି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ର କରି ଶନିବାର ରାତିରେ ତୁମୁଳକାଣ୍ଡ ଘଟିଛି । ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିଥିବା ବେଳେ ଗ୍ରାମରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ସାନଭାଇ ବୋମାମାଡ଼ କରିବା ପରେ ଉତ୍କ୍ଷିପ୍ତ ହୋଇ ବଡ଼ଭାଇ ଗୁଳିମାଡ଼ କରିଛି । ଏଥିରେ ସାନଭାଇ ଶରୀରରେ ଗୁଳି ବାଜି ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଚିକିତ୍ସା ନିମନ୍ତେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛନ୍ତି ।
ପୁଲିସ୍ ସୂତ୍ରରୁ ପ୍ରକାଶ ଯେ, ବେଲଟିକିରି ତଳସାହିର ମିଲୁ ବେହେରା ଓ ତାଙ୍କ ସାନଭାଇ ବିଭୁ ବେହେରାଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଆଜି ରାତି ପ୍ରାୟ ସାଢେ଼ ୧୦ଟା ବେଳେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବିଭୁ ବଡ଼ଭାଇ ମିଲୁଙ୍କ ଘର ଆଡକୁ ଲକ୍ଷ୍ୟ କରି ବୋମାମାଡ଼ କରିଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ବଡ଼ଭାଇ ମିଲୁ ଘରୁ ପିସ୍ତଲ ଆଣି ବିଭୁଙ୍କ ଉପରକୁ ଗୁଳି ଚଳାଇଥିଲେ । ଗୁଳିମାଡ଼ରେ ବିଭୁ ଗୁରୁତର ଆହତ ହେବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାଯାଇଛି । ଢେଙ୍କାନାଳ ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀହର୍ଷ ମିଶ୍ର, ଥାନା ଅଧିକାରିଣୀ ସନ୍ଧ୍ୟାରାଣୀ ବେଉରିଆଙ୍କ ନେତୃତ୍ୱରେ ପୁଲିସ ଟିମ୍ ବେଲଟିକିରିରେ ପହଞ୍ଚିଛନ୍ତି ।


Comments are closed, but trackbacks and pingbacks are open.