ବ୍ରହ୍ମପୁର/ପୋଲସରା, (ବି.ବି.ନୁ୍ୟଜ୍): ଗଞ୍ଜାମ ଜିଲ୍ଲାରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ପାଳଗଦାରେ ଖେଳୁଥିବା ବେଳେ ନିଆଁ ଲାଗି ୪ ଶିଶୁ ଜଳି ଯାଇଛନ୍ତି । ପୋଲସରା ବ୍ଲକ୍ ମାଳତେନ୍ତୁଳିଆ ପଞ୍ଚାୟତର ଖଇରଚଟା ଗ୍ରାମରେ ରବିବାର ସକାଳ ୯ଟାରେ ଘଟିଛି ଏଭଳି ମର୍ମନ୍ତୁଦ ଘଟଣା । ମୃତକଙ୍କ ମଧ୍ୟରେ ୩ ଜଣ ପୁଅ ଓ ଜଣେ ଝିଅ ଅଛି । ମୃତକ ହେଲେ ଦୀପକ ଗୌଡ଼(୭) ପିତା ଜୟସେନ, ସାଇରାମ ଜାନି(୫) ପିତା ସନ୍ତୋଷ ଓ ଇତିଶ୍ରୀ ଜେନା(୬) ପିତା ସୁକାନ୍ତ, ଆଲୋକ ଜେନା(୬) ପିତା ରତ୍ନାକର । ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ରାତିରେ ଆଲୋକର ମୃତୁ୍ୟ ଘଟିଛି । ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ମୃତକ ପରିବାର ପ୍ରତି ସମବେଦନା ଜଣାଇବା ସହିତ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଆହତଙ୍କ ଚିକିତ୍ସା ସରକାର ବହନ କରିବେ ବୋଲି କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶିଶୁଙ୍କ ମୃତୁ୍ୟରେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଆଜି ଥିଲା ରବିବାର । ସ୍କୁଲ ଛୁଟି । ସକାଳ ପ୍ରାୟ ୯ଟା । ଘର ପାଖରେ ଥିବା ଏକ ଅର୍ଦ୍ଧନିର୍ମିତ ପାଇଖାନା ଉପରେ ବାଉଁଶ ଓ ନଡ଼ା ଥୁଆ ହୋଇଥିଲା । ସେଇ ଘର ଭିତରେ ପାଳରେ ଘର କରି ପିଲାମାନେ ବୋହୂବୋହୂକା ଖେଳ ଖେଳୁଥିଲେ । ଏକ ଚୁଲି କରି ରୋଷେଇ ମଧ୍ୟ କରୁଥିଲେ । ହଠାତ୍ ଚୁଲିରୁ ପାଳକୁ ନିଆଁ ଲାଗି ଯାଇଥିଲା । ନିଆଁ ସଂସ୍ପର୍ଶରେ ଆସିଥିଲେ ୪ ଶିଶୁ । ସେଠାରୁ ବାହାରି ପାରି ନଥିଲେ । ଦେହରେ ନିଆଁ ଲାଗି ଯିବାରୁ ପିଲାମାନେ ଚିକ୍ରାର କରିଥିଲେ । କିନ୍ତୁ ଘରର ବାଡ଼ିପଟ ହୋଇଥିବାରୁ କେହି ହଠାତ୍ ଜାଣିପାରି ନଥିଲେ । ଧୂଆଁ ବାହାରିବା ସହିତ ପିଲାଙ୍କ ଚିକ୍ରାର ଶୁଣି ଗ୍ରାମର କିଛି ଲୋକ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ପୋଲସରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଦମକଳ ବାହିନୀ ପହଞ୍ଚିଥିଲା । ଖବର ପାଇ ବିଧାୟକ ଶ୍ରୀକାନ୍ତ ସାହୁ ଘଟଣାସ୍ଥଳରେ ପହଞ୍ଚି ପିଲାଙ୍କୁ ଉଦ୍ଧାର କାର୍ଯ୍ୟରେ ସହାୟତା କରିଥିଲେ । ତୁରନ୍ତ ଚିକିତ୍ସା ନିମନ୍ତେ ୫ ହଜାର ଟଙ୍କା ଲେଖାଏଁ ଦେଇଥିଲେ । ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଥିଲେ । ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଥିବା ଡାକ୍ତର କହିଛନ୍ତି । ଏମ୍କେସିଜି ହସପିଟାଲ୍ ଶିଶୁ ରୋଗ ବିଶେଷଜ୍ଞ ସୁନିଲ ଅଗ୍ରୱାଲ୍ କହିଛନ୍ତି ଯେ ଡାକ୍ତରଖାନା ଆସିବା ସମୟରେ ୨ ମୃତ ଶିଶୁ ଥିଲେ । ଆଉ ଜଣେ ଶିଶୁଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ହୋଇଛି । ସଙ୍କଟାପନ୍ନ ଅବସ୍ଥାରେ ଅନ୍ୟ ଜଣେ ଶିଶୁଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତୁ୍ୟ ଘଟିଛି ।
Comments are closed, but trackbacks and pingbacks are open.