ପାୱାରଙ୍କ ବୟାନକୁ ନେଇ ଦ୍ୱନ୍ଦ୍ୱରେ ଶିବସେନା

Get real time updates directly on you device, subscribe now.

ମୁମ୍ବାଇ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ସେ ମହାରାଷ୍ଟ୍ରରେ ସରକାର ଗଠନ କିମ୍ବା ଶିବେସନା ସହ ମେଣ୍ଟ କରିବା ବିଷୟରେ ଆଲୋଚନା କରିନାହାନ୍ତି ବୋଲି ଏନ୍ସିପି ମୁଖ୍ୟ ଶରଦ ପାୱାର ସୋମବାର ବୟାନ ଦେବା ପରେ ତାକୁ ନେଇ ଶିବସେନା ଏବେ ଦ୍ୱନ୍ଦ୍ୱରେ ପଡିଯାଇଛି । ଶିବସେନାର କିଛି ନେତା ଓ ବିଧାୟକ ଏକଥା ମଧ୍ୟ କହିଛନ୍ତି କି ପାୱାରଙ୍କ ସହ ମିଶି ସରକାର ଗଠନ କରିବା ବଦଳରେ ବରଂ ଦଳ ବିଜେପି ସହିତ ମିଶି ପୁଣିଥରେ ରାଜ୍ୟରେ ସରକାର ଗଠନ କରିବା ଉଚିତ ହେବ ।
ଶିବସେନାର ଜଣେ ବିଧାୟକ କହିଛନ୍ତି କି ପାୱାରଙ୍କ ଏଭଳି ବୟାନ ସମସ୍ତଙ୍କୁ ଚକିତ କରିଛି । ଦଳ ଏନ୍ସିପି ମୁଖ୍ୟଙ୍କ ସହ କଥାବାର୍ତ୍ତା କରିବାକୁ ଯିବା ପୂର୍ବରୁ ଅପେକ୍ଷା କରିବାର ଥିଲା କିମ୍ବା ୧୦ଥର ଭାବିବା ଉଚିତ ଥିଲା । ଏହା କି ପ୍ରକାର ରାଜନୀତି? ଶିବସେନା ହେଉଛି ଏଭଳି ଏକ ଦଳ ଯେକି ୮୦ ପ୍ରତିଶତ ସାମାଜିକ କାର୍ଯ୍ୟ ଓ ୨୦ ପ୍ରତିଶତ ରାଜନୀତି କରେ । ବରଂ ରାଜ୍ୟରେ ସରକାର ଗଠନ କରିବା ଲାଗି ଏନ୍ସିପି-କଂଗ୍ରେସଠାରୁ ଦୂରେଇ ରହି ବିଜେପି ସହ ସାମିଲ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି । ସେହିଭଳି ଅନ୍ୟ ଜଣେ ନେତା କହିଛନ୍ତି ଏନ୍ସିପି-କଂଗ୍ରେସ ସହ ଆଦୌ ଯିବାକଥା ନୁହେଁ । ବିଜେପି ସହ ଯଦି ଶିବସେନା ଯିବାକୁ ଅସହଜ ଲାଗୁଛି ତେବେ ନିଜେ ଏକା ଯାଉ । ହେଲେ ନିଜସ୍ୱ ଏଜେଣ୍ଡାକୁ ଏଭଳି ବଳି ପକା ନଯାଉ । ଆଉ ଜଣେ ନେତା କହିଛନ୍ତି କି ବିଜେପି ଲିଙ୍କ୍ରେ ପାୱାର ରହିଛନ୍ତି । ତେଣୁ ତାଙ୍କ ଦଳ ଶିବସେନା ସହ ସରକାର ଗଠନ କରିବାକୁ ପଛଘୁଞ୍ଚା ଦେଉଛି । ଏଭଳି ସ୍ଥିତିରେ ଏନ୍ସିପି-କଂଗ୍ରେସ କ’ଣ ଚାହୁଁଛନ୍ତି ଓ ସେମାନଙ୍କର ଆଭିମୁଖ୍ୟ କ’ଣ ସେକଥା ବୁଝିବା ପାଇଁ ଚାହିଁଛନ୍ତି ଶିବସେନା ମୁଖ୍ୟ ଉଦ୍ଧବ ଠାକ୍ରେ । ସେଥିପାଇଁ ସେ ଦଳର ବରିÂ ନେତା ସଞ୍ଜୟ ରାଉତଙ୍କୁ ଦାୟିତ୍ୱ ଦେଇଛନ୍ତି ବୋଲି କୁହାଯାଉଛି ।
ଗତ ସପ୍ତାହରେ ବାନ୍ଦ୍ରାରେ ଶିବସେନା, ଏନ୍ସିପି ଓ କଂଗ୍ରେସ ଗୋଟିଏ ବୈଠକରେ ଏକାଠି ହୋଇ ସରକାର ଗଠନ ପାଇଁ ସ୍ଥିର କରିଥିଲେ ଏବଂ ଏଥିପାଇଁ ସାଧାରଣ ସର୍ବନିମ୍ନ କର୍ମସୂଚୀ (ସିଏମ୍ପି) ଚିଠା ପ୍ରସ୍ତୁତ କରିଥିଲେ । ବୈଠକରେ ଶିବସେନା ନେତା ଏକନାଥ ସିନେ୍ଦ, କଂଗ୍ରେସର ପୃଥ୍ୱୀରାଜ ଚୌହାନ ଓ ଏନ୍ସିପିର ଜୟନ୍ତ ପାଟିଲ ଯୋଗଦେଇଥିଲେ । ୩ ଦଳର ମୁଖ୍ୟଙ୍କ ନିକଟକୁ ଅନୁମୋଦନ ପାଇଁ ଏହି ଚିଠା ସିଏମ୍ପି ପଠାଯିବ ବୋଲି ସେମାନେ ଘୋଷଣା କରିଥିଲେ । ରବିବାର ଏନ୍ସିପିର କୋର୍ କମିଟି ବୈଠକ ବସି ସରକାର ଗଠନ ନେଇ ଆଲୋଚନା ହେବା ପରେ ସୋମବାର ପାୱାର ନୂଆଦିଲ୍ଲୀରେ ସୋନିଆଙ୍କୁ ଭେଟିଥିଲେ । ରାଜ୍ୟର ସମ୍ପ୍ରତି ରାଜନୈତିକ ପରିସ୍ଥିତି ନେଇ ସେ ଆଲୋଚନା କରିଥିଲେ । ମାତ୍ର ପରେ ସାମ୍ବାଦିକଙ୍କୁ କହିଥିଲେ ଯେ ସୋନିଆଙ୍କ ସହ ସେ ସରକାର ଗଠନ ବିଷୟରେ କୌଣସି ଆଲୋଚନା କରିନାହାନ୍ତି । ସେହିଭଳି ଶିବସେନା ସହିତ ଏନ୍ସିପି-କଂଗ୍ରେସର ମେଣ୍ଟ ନେଇ ମଧ୍ୟ ଆଲୋଚନା ହୋଇ ନଥିବା ସେ ସ୍ପଷ୍ଟ କରିଥିଲେ ।
ପାୱାରଙ୍କ ଏଭଳି ଦ୍ୱନ୍ଦ୍ୱାତ୍ମକ ବୟାନ ସତ୍ତେ୍ୱ ରାଉତ କହିଛନ୍ତି ଯେ ସରକାର ଗଠନ ନେଇ ଏନ୍ସିପି-କଂଗ୍ରେସ ସହ ଆଲୋଚନା ଜାରି ରହିଛି । ଡିସେମ୍ବର ପ୍ରଥମ ସପ୍ତାହରେ ସରକାର ଗଠନ ହେବ । ପାୱାରଙ୍କ ବୟାନ ଉପରେ ସେ କହିଛନ୍ତି ଏନ୍ସିପି ମୁଖ୍ୟ ଯେଉଁ କଥା କହିଛନ୍ତି ତାକୁ ବୁଝିବାକୁ ଜଣଙ୍କୁ ୧୦୦ ଜନ୍ମ ନେବାକୁ ପଡିବ । ତେବେ ବିଜେପି ଚାହିଁଲେ ଶିବସେନା ସହ ମିଶି ସରକାର ଗଠନ କରିପାରିବ । କିନ୍ତୁ ବିଜେପିକୁ ୫୦:୫୦ ଫର୍ମୁଲା ଆପଣାଇବାକୁ ହେବ । ଇତିମଧ୍ୟରେ ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦ ଉପରେ ଆରଏସ୍ଏସ୍ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ନାଗପୁର ଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ କୌଣସି ଗୋଟିଏ କଥାକୁ ନେଇ ଯଦି ଦୁଇପକ୍ଷ ଲଢ଼ିବେ ତେବେ ସେମାନେ ହାରିବେ । ତାହା ସମସ୍ତେ ଜାଣନ୍ତି । ସ୍ୱାର୍ଥ ସବୁଠାରୁ ଖରାପ ଗୁଣ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ କେହି ନିଜର ସ୍ୱାର୍ଥ ତ୍ୟାଗ କରିବାକୁ ଚାହିଁନଥାନ୍ତି । ଏଥିପାଇଁ ଦେଶର ଉଦାହରଣ ନିଅ କିମ୍ବା ବ୍ୟକ୍ତିର ଉଦାହରଣ ବୋଲି ଭାଗବତ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons