ପିଆଜ ଆମଦାନୀ ବଢ଼ିଲା, ବିକ୍ରି କମିଲା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦୀର୍ଘଦିନ ଧରି ନିଅଣ୍ଟିଆ ସ୍ଥିତି ପରେ ଏବେ ପିଆଜର ଆମଦାନୀ ବଢ଼ିଛି । ଆଜି ଗୋଟିଏ ଦିନରେ ୨୨୦ ଟନ୍ ପିଆଜ ନାସିକ୍ରୁ ଆସି ଭୁବନେଶ୍ୱରରେ ପହଞ୍ଚିଛି । କିନ୍ତୁ, ପିଆଜି ବିକ୍ରି ମାନେ୍ଦଇଛି । ପିଆଜ ଦରରେ ଅହେତୁକ ବୃଦ୍ଧି ଯୋଗୁଁ ଖାଉଟି ପିଆଜ କିଣିବାକୁ ଅମଙ୍ଗ ହେଲେଣି । ଯାହାର ସିଧାସଳଖ ପ୍ରଭାବ ହୋଲ୍ସେଲ ବଜାରରେ ପଡୁଛି । ସେପଟେ ଜାନୁଆରୀ ଶେଷ ସୁଦ୍ଧା ଆଳୁ ଦର ଖସିବ ବୋଲି ବ୍ୟବସାୟୀମାନେ ଅନୁମାନ ଲଗାଇଛନ୍ତି ।
ରାଜଧାନୀ କୁବେରପୁରୀ ବ୍ୟବସାୟୀ ମହାସଂଘର ସମ୍ପାଦକ ଶକ୍ତିଶଙ୍କର ମିଶ୍ରଙ୍କ ସୂଚନା ଅନୁସାରେ, ଆଜି ୨୦ଟି ଟ୍ରକରେ ପିଆଜ ଆସି ମଣ୍ଡିରେ ପହଞ୍ଚିଛି । ସବୁ ମାଲ୍ ମହାରାଷ୍ଟ୍ରର ନାସିକରୁ ଆସିଛି । ରାଜଧାନୀରେ ପିଆଜର ଦୈନିକ ଆବଶ୍ୟକତା ପ୍ରାୟ ଅଢେ଼ଇ ଶହ ଟନ୍ । କିନ୍ତୁ ଆମଦାନୀ ହେଉଛି ମାତ୍ର ୨୨୦ ଟନ୍ । ଲୋକଙ୍କୁ ଚାହିଦାକୁ ଦେଖିଲେ, ଏତିକି ପିଆଜ ନିଅଣ୍ଟ ହେବା କଥା । କିନ୍ତୁ, ଲଗାତାର ପିଆଜର ଦର ଉପରମୁହାଁ ହେବା ପରେ ଲୋକେ ପିଆଜ କିଣିବାକୁ ଇଚ୍ଛା କରୁନାହାନ୍ତି । ଯଦି ବି କେହି କିଣୁଛନ୍ତି, ଅଳ୍ପ ପରିମାଣର କିଣୁଛନ୍ତି । କେବଳ ହୋଟେଲ ଓ ଭୋଜିଭାତରେ ଯେତିକି ପିଆଜ ଦରକାର, ସେତିକି କିଣାହେଉଛି । ଗତ ୫ ଦିନ ହେଲାଣି, ମଣ୍ଡିରେ ବ୍ୟବସାୟୀମାନଙ୍କ ପିଆଜ ବିକ୍ରି ନହୋଇପାରି ବଳୁଛି । ଆଗରୁ ଏମିତି କେବେ ହେଉନଥିଲା ।
ଏପଟେ ଆଜି ପିଆଜର ହୋଲସେଲ୍ ଦର ୭୫-୯୦ ଟଙ୍କା ରହିଛି । ଛୋଟ ପିଆଜ ୭୫ ଟଙ୍କା ଓ ବଡ ନାଲି ପିଆଜ ୯୦ ଟଙ୍କାରେ ବିକାଯାଇଛି । ଖୁଚୁରା ବଜାରରେ ୧୦୦-୧୧୦ ଟଙ୍କାରେ ବିକାଯାଉଛି । ଏଣିକି ପିଆଜ ଦର ବୃଦ୍ଧିରେ ରୋକ ଲାଗିବ, ଦର ଧୀରେ ଧୀରେ ଖସିବ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଆଳୁ ଦରରେ ବି ସାମାନ୍ୟ ବୃଦ୍ଧି ଦେଖାଦେଇଛି । ପଶ୍ଚିମବଙ୍ଗରେ ନୂଆ ନାଗରିକତା ଆଇନକୁ ନେଇ ଲାଗିରହିଥିବା ଅସନ୍ତୋଷ ଓ ପ୍ରତିବାଦ ଯୋଗୁଁ ଆଳୁ ଟ୍ରକ ପରିବହନରେ ବାଧା ସୃଷ୍ଟି ହୋଇଛି । ଅନେକ ଟ୍ରକ ଆସି ନପାରି ବାଟରେ ଅଟକି ରହୁଛି । ଏହାଛଡ଼ା ଆଳୁ ଲୋଡିଂ ଓ ଅନ୍ଲୋଡିଂ ପାଇଁ ସମସ୍ୟା ଦେଖାଦେଇଥିବା ବ୍ୟବସାୟୀମାନେ କହିଛନ୍ତି । ଆଳୁର ହୋଲ୍ସେଲ୍ ଦର ୧୬ ଟଙ୍କାରୁ ବଢ଼ି ୨୪ ଟଙ୍କାରେ ପହଞ୍ଚିଛି । ସେପଟେ ଆଳୁ ଦର ବୃଦ୍ଧି ପଛରେ ଆଉ ଏକ କାରଣ ମଧ୍ୟ ରହିଛି । ବର୍ଷ ଶେଷ ହେବାକୁ ଥିବାରୁ ଏବେ ଶୀଳତ ଭଣ୍ଡାର ମାଲିକ ମାନେ ଗୋଦାମ ଫାଙ୍କା କରୁଛନ୍ତି । ଗୋଦାମକୁ ୧୫ ଦିନରୁ ମାସେ ଶୁଖାଇବା ପରେ ପୁଣି ଥରେ ଆଳୁ ସଂରକ୍ଷିତ କରି ରଖିବେ । ନୂଆ ଆଳୁ ଉପôାଦନ ହେବାରେ ବି ଆଉ କିଛି ସମୟ ଲାଗିବ । ଏଣୁ ପୁରୁଣା ଆଳରୁ ଅଭାବ ଆଉ ସେପଟେ ପରିବହନରେ ସମସ୍ୟା ଯୋଗୁଁ ଆଳୁ ଦର ବଢ଼ିଛି । ଜାନୁଆରୀ ୧୦ ତାରିଖ ସୁଦ୍ଧା ଆଳୁ ଦର କମିବା ଆଶା କରାଯାଉଛି ବୋଲି ଯୋଗାଣ ବିଭାଗ ମାର୍କେଟ ଇଣ୍ଟେଲିଜେନ୍ସ ଅଫିସର ଦୀପକ ଶତପଥୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons