ନୂଆଦିଲ୍ଲୀ: ଆକାଶ ଛୁଇଁଛି ପିଆଜ ଦର । କିଲୋ ପିଛା ଏହି ଅତ୍ୟାବଶ୍ୟକ ସାମଗ୍ରୀର ଦର ୧୦୦ ଟଙ୍କା ପର୍ଯ୍ୟନ୍ତ ଗଲାଣି । ଏହା ଏବେ ସାଧାରଣ ଖାଉଟିଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଥିବାବେଳେ ହାତ ଟେକି ଦେଇଛନ୍ତି ସରକାର । ଦର ନିୟନ୍ତ୍ରଣ ଆମ ହାତରେ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଖାଦ୍ୟ ଏବଂ ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶ୍ୱାନ । ପିଆଜ ଦର କେବେ ଖସିବ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଏହା କହିଛନ୍ତି ।
ତେବେ ଦରବୃଦ୍ଧିକୁ ରୋକିବା ପାଇଁ ସରକାର ସବୁ ପ୍ରକାର ପଦକ୍ଷେପ ନେଉଥିବା ପାଶ୍ୱାନ କହିଛନ୍ତି । ପୂର୍ବରୁ ସେ ଖାଦ୍ୟ ଏବଂ ଖାଉଟି ବ୍ୟାପାର ବିଭାଗର ବରିÂ ଅଧିକାରୀମାନଙ୍କୁ ଭେଟି ପିଆଜର ଚାହିଦା, ଯୋଗାଣ ଏବଂ ଦର ସ୍ଥିତିକୁ ସମୀକ୍ଷା କରିଥିଲେ । ଏହି ପରିପ୍ରେକ୍ଷୀରେ ଉଭୟ ବିଭାଗର ସଚିବମାନେ ମଧ୍ୟ ଉପସ୍ଥିତ ଥିଲେ ।
ପାଶ୍ୱାନ କହିଛନ୍ତି ଯେ, ଯୋଗାଣ ଏବଂ ଚାହିଦା ଅନୁସାରେ ଦରରେ ଉତ୍ଥାନ ପତନ ହୋଇଥାଏ । ସମ୍ପ୍ରତି ଚାହିଦା ଏବଂ ଯୋଗାଣରେ ତାଳମେଳ ନ ଥିବାରୁ ଦର ବଢ଼ୁଛି । କିନ୍ତୁ ଉପଲବ୍ଧତା ବଢ଼ାଇବା ସହ ଦର ନିୟନ୍ତ୍ରଣ ପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି ।
ସ୍ଥିତିକୁ ନେଇ ଆମେ ଚିନ୍ତିତ । ଏଥିରୁ ବାହାରିବା ପାଇଁ ଆମେ ସାଧ୍ୟମତେ ଚେଷ୍ଟା କରୁଛୁ । ଅନେକ ପଦକ୍ଷେପ ଆମେ ନେଲୁଣି । ଦର ନିୟନ୍ତ୍ରଣ କରିବା ପାଇଁ ସରକାର ୧ ଲକ୍ଷ ଟନ୍ ପିଆଜ ଆମଦାନି କରିବା ପାଇଁ ନିଷ୍ପତ୍ତି ନେଇଥିବା ପାଶ୍ୱାନ କହିଛନ୍ତି ।
ରାଷ୍ଟ୍ରାୟତ୍ତ ଏମ୍ଏମ୍ଟିସି ପିଆଜ ଆମଦାନି କରିବ ଏବଂ ସମବାୟ ସଂସ୍ଥା ନାଫେଡ୍ ଏହାକୁ ଘରୋଇ ବଜାରରେ ଯୋଗାଇବ । ଏହି ପିଆଜକୁ ଆମଦାନି କରି ନଭେମ୍ବର ୧୫ରୁ ଡିସେମ୍ବର ୧୫ ମଧ୍ୟରେ ବଜାରରେ ଉପଲବ୍ଧ କରିବା ପାଇଁ ଏମ୍ଏମ୍ଟିସିକୁ ନିଦେ୍ର୍ଧଶ ଦିଆଯାଇଥିବା ପାଶ୍ୱାନ କହିଛନ୍ତି ।
ତେବେ କ’ଣ ପଦକ୍ଷେପ ନିଆଯାଇଛି ତାହା ଉପରେ ସୂଚନା ଦେଇ ପାଶ୍ୱାନ କହିଛନ୍ତି ଯେ, ସରକାର ପିଆଜ ରପ୍ତାନି ଉପରେ କଟକଣା ଲଗାଇଛନ୍ତି । ମହଜୁଦ ସୀମା ନିର୍ଦ୍ଧାରଣ କରିଛନ୍ତି । କିଲୋପିଛା ୨୪.୯୦ ଟଙ୍କାରେ ବଫର ଷ୍ଟକରୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ସୂଚନାଯୋଗ୍ୟ, ଯୋଗାଣ ବାଧାପ୍ରାପ୍ତ ହେବାରୁ ମାସକ ମଧ୍ୟରେ ପିଆଜ ଦରରେ ବୃଦ୍ଧି ଘଟିଛି । ରାଜଧାନୀ ଦିଲ୍ଲୀରେ ଏହା କିଲୋ ପିଛା ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଛି । ଦେଶର ବିଭିନ୍ନ ପ୍ରାନ୍ତରେ ଏହା ୮୦ରୁ ୧୦୦ ଟଙ୍କାରେ ବିକ୍ରି ହେଉଥିବା ଜଣାଯାଇଛି ।
Comments are closed, but trackbacks and pingbacks are open.