ପିଆଜ ହୋଲ୍ସେଲ କମିଲା, ଖୁଚୁରା କମୁନି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନାସିକ୍ରୁ ଆସୁଥିବା ବଡ଼ ନାଲି ପିଆଜର ହୋଲସେଲ୍ ଦର ୮୦ଟଙ୍କା ରହିଛି । ଆଇଗିଣିଆ କୁବେରପୁରୀ ମଣ୍ଡିରେ ଗତକାଲିଠାରୁ ଏହି ଦରରେ ପିଆଜ ବିକ୍ରି ହେଉଛି । କିନ୍ତୁ ଆଇଗିଣିଆରୁ ଖଣ୍ଡଗିରି ଆସିବା ବେଳକୁ ଏହି ଦର ୧୦୦ଟଙ୍କାରେ ବିକ୍ରି ହେଉଛି । ପିଆଜର ଏଭଳି ବେଲଗାମ ଦର ବୃଦ୍ଧି ପଛରେ କିଏ ବୋଲି ପ୍ରଶ୍ନ ଛିଡା ହୋଇଛି ।
କୁବେରପୁରୀ ବ୍ୟବସାୟୀ ମହାସଂଘ ସମ୍ପାଦକ ଶକ୍ତିଶଙ୍କର ମିଶ୍ର କହିଛନ୍ତି, ମାସନ୍ତ ପାଇଁ ଆଜି ମଣ୍ଡି ବନ୍ଦ ରହିଛି । ଗତକାଲି ୧୫୦ଟନ୍ ପିଆଜ ଆମଦାନୀ ହୋଇଥିଲା । ନାସିକ୍ରୁ ଆସିଥିବା ଏହି ପିଆଜ ୮୦ରୁ ୮୫ଟଙ୍କାରେ ବିକ୍ରି ହୋଇଥିଲା । ଆଗକୁ ଦର ଆହୁରି କମିବ । ଖୁଚୁରା ବଜାର ଦର ଉପରେ ନିୟନ୍ତ୍ରଣ ରଖିଲେ ଗ୍ରାହକମାନେ ଆଶ୍ୱସ୍ତି ପାଇପାରିବେ ବୋଲି ସେ କହିଛନ୍ତି ।
କେନ୍ଦ୍ର ସରକାରଙ୍କ ଆଗ୍ମାର୍କ ନେଟ୍ରେ ପ୍ରଦତ୍ତ ଦୈନିକ ଦର ଚାର୍ଟ ଅନୁସାରେ, ଗତକାଲି ନାସିକ୍ରେ ହୋଲସେଲ ଦର ଥିଲା ୭୫ଟଙ୍କା । ଛୋଟ ପିଆଜର ଦର ଥିଲା ୪୮ଟଙ୍କା । ଏହା ଭୁବନେଶ୍ୱର ହୋଲସେଲ ମାର୍କେଟ୍ରେ ଆସି ପହଞ୍ଚିଲାବେଳକୁ ବଡ଼ ପିଆଜ ୮୦ରୁ ୮୫ଟଙ୍କା ଓ ଛୋଟ ପିଆଜ ୬୦ରୁ ୬୫ଟଙ୍କାରେ ବିକ୍ରି ହେଉଛି । ହୋଲସେଲ୍ ଦୋକାନୀରୁ ଖୁଚୁରା ଦୋକାନୀ ଏହି ଦରରେ ପିଆଜ କିଣି ଛକ, ବଜାର ଓ ଗଳିକନ୍ଦିରେ ବିକୁଛନ୍ତି । କିନ୍ତୁ ଖୁଚୁରା ବଜାରରେ ଏହି ଦର ସିଧା ୧୦୦ଟଙ୍କାରେ ପହଞ୍ଚି ଯାଉଛି ।
ଯୋଗାଣ ବିଭାଗର ନିୟମ ଅନୁସାରେ ଖୁଚୁରା ଦୋକାନୀ ମନଇଚ୍ଛା ଦରବୃଦ୍ଧି କରି ପାରିବେନି । ହୋଲସେଲ ବଜାରରୁ ଯେତିକି ଟଙ୍କାରେ କିଣିବେ, ସେହି ଦରରେ କିଲୋ ପିଛା ସର୍ବାଧିକ ୪ଟଙ୍କା ମିଶାଇ ବିକ୍ରି କରିବେ । କିନ୍ତୁ ଖୁଚୁରା ଦୋକାନୀଙ୍କ ମନମାନି ପାଇଁ ପିଆଜ ଦର ବୃଦ୍ଧିରେ ରୋକ୍ ଲାଗିପାରୁନି । ପିଆଜ ଦର ବେଲଗାମ୍ ବିକ୍ରି ହେଉଥିଲେ ବି ଏହା ଉପରେ ଯୋଗାଣ ବିଭାଗର ନିୟନ୍ତ୍ରଣ ନାହିଁ । ଖୁଚୁରା ଦୋକାନୀଙ୍କୁ ଜଗିବାକୁ କେହି ନାହାନ୍ତି ।
ସରକାରୀ ଖାତାକଲମରେ ଖୁଚୁରା ଦୋକାନୀଙ୍କ ଦର ଯାଞ୍ଚ କରାଯାଉଛି ବୋଲି ଯୋଗାଣ ବିଭାଗ କହୁଛି । କିନ୍ତୁ ବାସ୍ତବରେ ଏହା କରାଯାଉନି । ଏବେ ପିଆଜ ଆମଦାନୀ ବଢ଼ିଲାଣି । ଏଣୁ ସ୍ୱାଭାବିକ ଭାବେ ଦର କମିବା କଥା । କିନ୍ତୁ ସରକାରୀ ଅପାରଗତା ପାଇଁ ପିଆଜ ଦର କମିବାର ନାଁ ଧରୁନି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons