ନୂଆଦିଲ୍ଲୀ: ପାକ୍ ଅଧିକୃତ କାଶ୍ମୀରର ରାଜଧାନୀ ମୁଜାଫରାବାଦରେ ବୁଧବାର ବି ବିକ୍ଷୋଭ ଜାରି ରହିଛି । ପିପୁଲସ ନ୍ୟାସନାଲ ଆଲାଏନ୍ସ ସହ ଜଡିତ ସାମ୍ବାଦିକ ଓ ରାଜନୈତିକ କର୍ମୀମାନେ ଆଜି ଆନେ୍ଦାଳନ କରିଛନ୍ତି । ସେମାନେ ପାକ୍ ସେନା ଓ ସରକାର ଏଇ ଅଞ୍ଚଳକୁ ନିଜ କବ୍ଜାରୁ ମୁକ୍ତ କରନ୍ତୁ ବୋଲି ଦାବି କରିଛନ୍ତି । ସୋମବାର ରାତିରୁ ଏଭଳି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ ବେଳେ ପାକିସ୍ତାନୀ ପୁଲିସ ଆନେ୍ଦାଳନକାରୀଙ୍କୁ ଦମନ କରିବାକୁ ଉଦ୍ୟମ କରିବାରୁ ବ୍ୟାପକ ହିଂସାକାଣ୍ଡ ଘଟିଥିଲା । ଏହାଯୋଗୁ ଦୁଇ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିଲାବେଳେ ୮୦ରୁ ଅଧିକ ଆହତ ହୋଇଥିଲେ । ବୁଧବାର ବି ଆନେ୍ଦାଳନ ଜାରି ରହିବାକୁ ପ୍ରଶାସନ ଦ୍ୱାରା ମୁଜାଫରାବାଦରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି । ପୁଲିସ ଦ୍ୱାରା ମଧ୍ୟ ଆନେ୍ଦାଳନକାରୀଙ୍କ ଉପରକୁ ଟିୟରଗ୍ୟାସ୍ ସେଲ୍ ମାଡ଼ କରାଯାଇଛି ଏବଂ ସେମାନଙ୍କ ଉପରେ ଲାଠିଚାର୍ଜ କରାଯାଇଛି ।
ସୂଚନାଯୋଗ୍ୟ ଯେ, ୧୯୪୭ ମସିହା ଅକ୍ଟୋବର ୨୨ରେ ପାକିସ୍ତାନ ଜମ୍ମୁ-କାଶ୍ମୀରର କିଛି ଅଂଶ ଉପରେ କବ୍ଜା କରିଥିଲା । ପରେ ସିଏ ଏହାର ଗୋଟିଏ ଅଂଶ ଚୀନ୍କୁ ଦେଇଥିଲାବେଳେ ଆଉ ଏକ ଅଂଶ ଗିଲଗିଟ୍-ବାଲତିସ୍ତାନକୁ ପିଓକେରୁ ଅଲଗା କରିଦେଇଛି । ପାକ୍ ସେନା ଉଭୟ ପିଓକେ ଏବଂ ଗିଲଗିଟ୍-ବାଲତିସ୍ତାନର ଲୋକଙ୍କ ଉପରେ ଅତ୍ୟାଚାର କରୁଛି । ସେମାନଙ୍କ ସହିତ ବି ସରକାର ପକ୍ଷପାତ କରୁଛନ୍ତି । ଏଠାକାର ଅନେକ ଲୋକଙ୍କୁ ପାକ୍ ସେନା ଗାୟବ କରିଦେଉଛି ଏବଂ ହତ୍ୟା କରୁଛି । ଅନେକଙ୍କୁ ମିଛ ମାମଲାରେ ଛନ୍ଦି ଜେଲରେ ଭର୍ତ୍ତି କରାଯାଇଛି । ଏସବୁକୁ ବିରୋଧ କରି ସ୍ଥାନୀୟ ଲୋକେ ବିଭିନ୍ନ ସମୟରେ ଆନେ୍ଦାଳନ କରିଆସୁଛନ୍ତି ।
Comments are closed, but trackbacks and pingbacks are open.