ପିଓକେରେ ସକ୍ରିୟ ଆତଙ୍କୀ ଲଞ୍ଚ ପ୍ୟାଡ୍

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତ ସରକାର ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରିବା ପରେ ପାକିସ୍ତାନ କିଛି ବଡଧରଣର ଅଘଟଣ ଘଟାଇବାକୁ ଯୋଜନା କରୁଛି । ସେଥିପାଇଁ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ନିଷ୍କ୍ରିୟ ରହିଥିବା ୧୨ରୁ ଅଧିକ ଆତଙ୍କୀ ଶିବିରକୁ ପୁଣି ସକ୍ରିୟ କରିଛି । ଜମ୍ମୁ-କାଶ୍ମୀରର ଅନ୍ତର୍ଜାତୀୟ ସୀମା (ଆଇବି) ନିକଟରେ ଏହି ଆତଙ୍କୀ ଶିବିର ରହିଛି । ଗତ ଏକ ସପ୍ତାହ ହେଲା ସେଠାରେ ଆତଙ୍କୀଙ୍କ ଗତିବିଧି ବଢ଼ି ଯାଇଥିବା ଦେଖିବାକୁ ମିଳିଛି । ଭାରତୀୟ ଗୁଇନ୍ଦା ବିଭାଗ ଏଭଳି ସୂଚନା ଦେଇଛି ।
ଆତଙ୍କବାଦୀ ଶିବିର ବନ୍ଦ କରିବା ସହ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ପ୍ୟାରିସ ଠାରେ ଥିବା ଅନ୍ତର୍ଜାତୀୟ ସଂସ୍ଥା ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) ଚଳିତବର୍ଷ ମେ’ମାସ ପର୍ଯ୍ୟନ୍ତ ସମୟ ଦେଇଥିଲା । ସେଥିପାଇଁ ମେ’ମାସ ପୂର୍ବରୁ ପାକିସ୍ତାନ ଏସବୁ ଆତଙ୍କୀ ଶିବିରକୁ ନିଷ୍କ୍ରିୟ କରିଥିଲା । ମାତ୍ର ଏବେ ପିଓକେର କୋଟଲି, ରାୱଲକୋଟ୍, ବାଘ ଓ ମୁଜାଫରାବାଦ ଅଞ୍ଚଳରେ ଥିବା ସେହିସବୁ ଆତଙ୍କୀ ଶିବିରକୁ ପାକିସ୍ତାନୀ ସେନା ପୁଣିଥରେ ସକ୍ରିୟ କରିଛି । ଭାରତୀୟ ଗୁଇନ୍ଦା ବିଭାଗ ଏଭଳି ସୂଚନା ଦେବା ପରେ ସୀମାରେ ସେନା ଓ ବାୟୁସେନାକୁ ହାଇଆଲର୍ଟରେ ରଖାଯାଇଛି । ଦୁଇଦିନ ତଳେ ପାକିସ୍ତାନ ସଂସଦରେ ସେଠାକାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଥିଲେ ଯେ ଭାରତ ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ କରିଥିବାରୁ ଯଦି ପୁଲୱାମା ଭଳି ଆକ୍ରମଣ ଘଟେ ତେବେ ପାକିସ୍ତାନ ଦାୟୀ ହେବ ନାହିଁ । ଇମ୍ରାନଙ୍କ ଏଭଳି ବୟାନରୁ ପାକିସ୍ତାନ ପୁଣିଥରେ ବଡଧରଣର ଆକ୍ରମଣ ଘଟାଇବାକୁ ଷଡଯନ୍ତ୍ର ରଚୁଥିବା ସ୍ପଷ୍ଟ ହୋଇଛି ।
ଇମ୍ରାନଙ୍କ ଏଭଳି ବୟାନରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ହିଜବୁଲ ମୁଜାହିଦ୍ଦିନ, ଜୈସ୍-ଇ-ମହମ୍ମଦ ଓ ଲସ୍କର-ଇ-ତୋଇବା ସକ୍ରିୟ ହୋଇଉଠିଛନ୍ତି । ସେମାନଙ୍କୁ ପାକିସ୍ତାନୀ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ପୂର୍ଣ୍ଣ ସହଯୋଗ କରୁଛନ୍ତି । ଯାହାଫଳରେ ଏହି ଆତଙ୍କୀ ସଙ୍ଗଠନଗୁଡିକ ପିଓକେରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡକୁ ସଦସ୍ୟମାନଙ୍କୁ ପଠାଇଛି । ଗୁଇନ୍ଦା ବିଭାଗ ରିପୋର୍ଟ ଅନୁସାରେ କୋଟ୍ଲି ଠାରେ ଥିବା ଫଗୁଶ ଓ କୁନ୍ଦ କ୍ୟାମ୍ପ ଏବଂ ମୁଜାଫରାବାଦରେ ଥିବା ସବାଇ ନଳା ଓ ଅବଦୁଲ ବିନ ମାସୁଦ କ୍ୟାମ୍ପରେ ୧୫୦ ଆତଙ୍କୀ ଏବେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଲସ୍କର-ଇ-ତୋଇବା, ଜୈସ୍-ଇ-ମହମ୍ମଦ ଓ ତାଲିବାନ ଆତଙ୍କୀ । ପିଓକେରେ ରହିଥିବା ସବୁ ଆତଙ୍କୀ ଶିବିରର ତାଲିକା ମଧ୍ୟ ଗୁଇନ୍ଦା ବିଭାଗ ଭାରତୀୟ ସୁରକ୍ଷା ବାହିନୀକୁ ପ୍ରଦାନ କରିଛି ।
ଅନ୍ୟପକ୍ଷରେ ପରିସ୍ଥିତିକୁ କିଭଳି ମୁକାବିଲା କରାଯାଇପାରିବ ସେ ନେଇ ବର୍ତ୍ତମାନ ଜମ୍ମୁ-କାଶ୍ମୀର ଗସ୍ତରେ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଉଚ୍ଚସ୍ତରୀୟ ବୈଠକରେ ବରିଷ୍ଠ ସେନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବୈଠକରେ ଗୁଇନ୍ଦା ବିଭାଗ ମୁଖ୍ୟ ଅରବିନ୍ଦ କୁମାର, ଜମ୍ମୁ-କାଶ୍ମୀର ପୁଲିସ ଡିଜି ଦିଲବାଗ ସିଂହ ଓ ସେନାର ତୁଙ୍ଗ ଅଧିକାରୀ ଉପସ୍ଥିତ ଥିଲେ । ସୁରକ୍ଷା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୧୫ ଦିନ ହେଲା ପାକିସ୍ତାନୀ ସେନା ସୀମାରେ ଗୁଳିଗୋଳା ମାଡ଼ କରୁଛି । ତା’ଭିତରେ କିଛି ପାକିସ୍ତାନୀ ଆତଙ୍କୀ ସୀମାର ବିଭିନ୍ନ ସ୍ଥାନରେ ଭାରତକୁ ଅନୁପ୍ରବେଶ କରିବା ଲାଗି ଅପେକ୍ଷା କରିଛନ୍ତି । ସେମାନଙ୍କ ପ୍ରୟାସକୁ କିଭଳି ବିଫଳ କରାଯିବ ସେ ନେଇ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ରଣନୀତି ପ୍ରସ୍ତୁତ କରାଯାଇଛି । ଚଳିତ ସପ୍ତାହରେ ନିୟନ୍ତ୍ରଣ ରେଖାର କେରନ ସକ୍ଟେରରେ ବାଟ୍ର ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ପଣ୍ଡ କରିଥିଲା । ସୁରକ୍ଷା ବାହିନୀର ଗୁଳିରେ ୫ ଜଣ ବାଟ୍ ସଦସ୍ୟ ନିହତ ହୋଇଥିଲେ । ବାଟ୍ ଟିମ୍ରେ ଉଭୟ ପାକିସ୍ତାନୀ ସ୍ୱତନ୍ତ୍ର ସେନା ଓ ଆତଙ୍କୀମାନେ ସାମିଲ ଅଛନ୍ତି । ଗତ ସପ୍ତାହକ ଭିତରେ ବାଟ୍ ଆତଙ୍କୀମାନେ ଭାରତୀୟ ସୀମାରେ ଅନୁପ୍ରବେଶ କରିବା ଲାଗି ୪ଥର ଉଦ୍ୟମ କରିଥିବା ବେଳେ ସେମାନଙ୍କ ଉଦ୍ୟମକୁ ସୁରକ୍ଷାବାହିନୀ ପକ୍ଷରୁ ବିଫଳ କରିଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons