ମୟୂରଭଞ୍ଜ,(ଘାସିରାମ ବେହେରା):ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଟଙ୍କା ପାଇଁ ଗଲା ଜୀବନ। ଟଙ୍କା ଆଗରେ ହାରିଗଲା ମାଆର ମାତୃତ୍ୱ। ମାଆ କ୍ଷୀରର ଋଣ ପରିଶୋଧ କରିବାକୁ ଯାଇ ପିଟିପିଟି ମାଆକୁ ହତ୍ୟାକଲେ ଦୁଇପୁଅ। ଟଙ୍କା ପାଇଁ ଭୁଲିଗଲେ ମାଆର ମମତା। ଭୁଲିଗଲେ ଛୋଟ ରୁ ବଡ଼ କରିବା ଭିତରେ ପ୍ରତି ମୁହୂର୍ତ୍ତରେ ଅଳିଅଝଟ ସହି ନିଜ ପିଲାଙ୍କ ପାଇଁ ଦୁନିଆଁ ସହ ଲଢ଼ି ଚାଲିଥିବା ମାଆର ଅନାବିଳ ସ୍ନେହ ଶ୍ରଦ୍ଧାକୁ। ବଦଳି ଗଲା ସମୟ। ସେଦିନର ଛୋଟ ପିଲା ଆଜି ବଡ଼ ହୋଇଯାଇଛି। ଆଜି ତା ସଂସାର ତା ପାଇଁ ବଡ଼, ମାଆ ମୂଲ୍ୟହୀନ। ସେଇଥିପାଇଁ ତୋ କେତୋଟି ଟଙ୍କାର ଲୋଭରେ ନୃଶଂସ ପାଲଟିଗଲେ ଦୁଇଭାଇ ଆଉ ପିଟିପିଟି ହତ୍ୟାକଲେ ମାଆକୁ । ତାହା ପୁଣି କାଳିଆ ଟଙ୍କା ପାଇଁ । ଏଭଳିଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ଥାନା ଅଞ୍ଚଳରେ। ତେବେ ବଣକାଟି ପଂଚାୟତ ଅନ୍ତର୍ଗତ ସାତଭାୟା ଗାଁ ରେ ଘଟିଛି ନୃଶଂସ ହତ୍ୟାକାଣ୍ଡ। ସୂଚନା ଅନୁସାରେ ଗତକାଲି ରାତିରେ ସାତଭାୟା ଗ୍ରାମର ବିଶୁ ସିଂ ଙ୍କ ସ୍ତ୍ରୀ ତୁଳସୀ ସିଂ କିଛିଦିନ ପୂର୍ବରୁ କାଳିଆ ଯୋଜନାରେ ସହାୟତାରାଶି ଟଙ୍କା ପାଇଥିଲେ। ସେଇ କାଳିଆ ଟଙ୍କା ନେବାପାଇଁ ତୁଳସୀର ପୁଅମାନେ ଆଗରୁ କଳିଝଗଡା କରୁଥିଲେ। ଗତକାଲି ରାତିରେ ସେହି ଟଙ୍କା ପାଇଁ ଝଗଡା ସୀମା ଟପି ଯାଇଥିଲା। ସେଥିରେ ଉତ୍ୟକ୍ତ ହେଇ ଦୁଇପୁଅ ରାଜ କିଶୋର ଏବଂ ରବି ସିଂ ଏକଗଛ ଡାଳରେ ପିଟିପିଟି ନିଜ ମାଆକୁ ହତ୍ୟା କରିଥିଲେ। ଘଟଣା ସମ୍ପର୍କରେ ଖବରପାଇ ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇ ପୁଅକୁ ଅଟକରଖି ରକ୍ତଜୁଡୁବୁଡୁ ତୁଳସୀର ମୃତଦେହ ଜବତ କରି ଅଧିକ ଅନୁସନ୍ଧାନଜାରୀ ରଖିଛି। ସେହିପରି ଘଟଣାସ୍ଥଳରେ ସାଇଣ୍ଟିଫିକଟିମ ପହଂଚି ଅଧିକ ଅନୁସନ୍ଧାନ କରୁଥିବା ଦେଖିବାକୁ ମିଳିଛି।
Comments are closed, but trackbacks and pingbacks are open.