କେନ୍ଦୁଝର,(ବି.ବି.ନୁ୍ୟଜ୍): ବୈତରଣୀ ନଦୀର ଜଳସ୍ତର ସାମାନ୍ୟ ହ୍ରାସ ପାଇଥିଲେ ସୁଦ୍ଧା କୂଳ ଖାଉଛି ବନ୍ୟାଜଳ । ଏଭଳିସ୍ଥିତିରେ ନଦୀ ପାର ହେବା ଦୂରର କଥା ନଦୀ ପାଣିକୁ ଗୋଡ଼ ବଢାଇବା ବିପଦ । ହେଲେ କେନ୍ଦୁଝର ବାଂଶପାଳ ବ୍ଲକ୍ ଫୁଲଝର ପଞ୍ଚାୟତ କେନ୍ଦୁଘାଟିବାସୀ ପେଟ ଚିନ୍ତାରେ ବିପଦ ମୁଣ୍ଡାଇବାକୁ ବାଧ୍ୟ ହୋଇଛନ୍ତି । ୧୦ ଦିନ ହେଲା ପଞ୍ଚାୟତ କର୍ତ୍ତୃପକ୍ଷ ଏଠାକାର ଗରିବ, ଖଟିକିଆ ଆଦିବାସୀଙ୍କୁ ରେସନ୍ ଚାଉଳ ନେବା ପାଇଁ ଡକାଇଥିଲେ । ହେଲେ ଲୋକମାନେ ନଦୀ ବଢି ଯୋଗୁଁ ଆଣି ପାରିନଥିଲେ । ଏଣେ ସେପ୍ଟେମ୍ବର ୧ରୁ ଆଉ ଏକ ଲଘୁଚାପ ଆସୁଥିବା ନେଇ ଘୋଷଣା ହୋଇଥିଲା । ଅନ୍ୟ ଉପାୟ ନପାଇ ସୋମବାର ହୁଲି ଡଙ୍ଗାରେ ଉଛୁଳା ବୈତରଣୀ ପାର ହୋଇ ୨ ମାସର ରେସନ୍ ଚାଉଳ ସଂଗ୍ରହ କରିଛନ୍ତି କେନ୍ଦୁଘାଟି ଗ୍ରାମର ୩୦୦ରୁ ଅଧିକ ହିତାଧିକାରୀ । ମହିଳା, ପୁରୁଷ ବୃଦ୍ଧବୃଦ୍ଧା ଅଖା, ବୁରା ତଥା ସାଇକେଲ ଧରି ହୁଲି ଡଙ୍ଗାରେ ନଦୀ ପାର କାଶିଆ ରାସ୍ତା ଦେଇ ଚାଉଳ ପାଇଁ ଫୁଲଝର ପଞ୍ଚାୟତକୁ ଯାଇଥିଲେ । ପାଦେ ପାଦେ ବିପଦ ରହିଥିଲେ ସୁଦ୍ଧା ଜୀବନକୁ ବାଜି ଲଗାଇ ଗୋଟିଏ ଡଙ୍ଗାରେ ଥରକୁ ୪/୫ଜଣ ଲେଖାଏଁ ଏହିଭଳି ୨ଟି ହୁଲି ଡଙ୍ଗା ସାହାଯ୍ୟରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ୨ ମାସର ଖାଦ୍ୟ ସଂଗ୍ରହ କରିଛନ୍ତି । ଡଙ୍ଗା ପାର ହେବା ସମୟରେ କିଛି ଲୋକଙ୍କ ସାଇକେଲ ପଡି ଯାଇ ନଦୀ ପାଣିରେ ଭାସି ଯାଇଥିବାବେଳେ ତଳମୁଣ୍ଡରୁ ବହୁ କଷ୍ଟରେ ଆଣିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।
ଫୁଲଝର ପଞ୍ଚାୟତର ଏକ ବିଚ୍ଛିନ୍ନ ଗାଁ କେନ୍ଦୁଘାଟି । ମୁହାଣ କୁଦର ମୁଣ୍ଡା ସାହି, ପୁରୁଣା ମୁଣ୍ଡା ସାହି, କଟାଡିହ ମୁଣ୍ଡା ସାହି ଏବଂ କେନ୍ଦୁଘାଟି ଏହି ୪ ଗୋଟି ପଡାକୁ ନେଇ ଏହି କେନ୍ଦୁଘାଟି ଗାଁ । ଏଠାରେ ୯୦ ଟି ପରିବାର ଦୀର୍ଘ ବର୍ଷ ହେଲା ସ୍ଥାୟୀ ଭାବେ ରହି ଆସୁଥିବାବେଳେ ଲୋକସଂଖ୍ୟା ୮ ଶହରୁ ଅଧିକ । ଏଠାକାର ଲୋକେ ଦୈନନ୍ଦିନ ଜୀବନରେ ମୁଖ୍ୟତଃ ଫୁଲଝର ଏବଂ ଝୁମ୍ପୁରା ଉପରେ ନିର୍ଭର କରିଥାଆନ୍ତି । ଗାଁରୁ ଫୁଲଝର ଏବଂ ଝୁମ୍ପୁରା ଯିବା ପାଇଁ ସେମାନଙ୍କୁ ମଲଦା ପଞ୍ଚାୟତର କାଶିଆ ରାସ୍ତା ଦେଇ ଯିବାକୁ ପଡେ । ହେଲେ ଗାଁକୁ ୨ ପାଶ୍ୱର୍ରୁ ଘେରି ରହିଥିବା ବୈତରଣୀ ନଦୀ ସେମାନଙ୍କ ଯାତାୟାତରେ ବାଧା ସୃଷ୍ଟି କରିଥାଏ । ନଦୀପାର ହୋଇ ଖାଦ୍ୟ ସାମଗ୍ରୀ ତଥା ରେସନ୍ ଜିନିଷ ସଂଗ୍ରହ କରନ୍ତି । ତେବେ ବର୍ଷାଦିନେ ଗାଁଟି ସମ୍ପୂର୍ଣ୍ଣ ରୂପେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଏ ।
ପିଢି ପରେ ପିଢି ବୈତରଣୀ ନଦୀର ବେକେ ବେକେ ପାଣି ପାର ହୋଇ ଗାଁରୁ ବାହାରକୁ ଯିବାକୁ ପଡୁଛି କେନ୍ଦୁଘାଟି ଗ୍ରାମର ଲୋକଙ୍କୁ । ବର୍ଷା ୩ ମାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଏକ ପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି ଏଠାକାର ୪ ସାହିର ଆଦିବାସୀ ପ୍ରଜା । ଏଥି ପାଇଁ କେନ୍ଦୁଘାଟି -କାଶିଆ ମଧ୍ୟରେ ରହିଥିବା ବୈତରଣୀ ନଦୀ ଉପରେ ପୋଲ ନିର୍ମାଣ କରିବା ପାଇଁ ବିଭିନ୍ନ ସ୍ତରରେ ଦାବି କରି ଆସୁଛନ୍ତି ଗ୍ରାମବାସୀ ।
Comments are closed, but trackbacks and pingbacks are open.