ପିଲାଙ୍କ ପାଠପଢ଼ା ପାଇଁ ଆସିଲା ‘ମଧୁ ଆପ୍’

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ପିଲାଙ୍କ ପାଠପଢ଼ା ହେବ ଆହୁରି ସହଜ । ଏଥିପାଇଁ ଆସିଲା ‘ମଧୁ ଆପ୍’ । ଛାତ୍ରଛାତ୍ରୀମାନେ ସ୍ମାର୍ଟ ଫୋନ୍ରେ ଏହି ଆପ୍ ଡାଉନଲୋଡ୍ କରି ଭିଡିଓ ଦ୍ୱାରା ଶ୍ରେଣୀରେ ପଢ଼ାଯାଉଥିବା ପାଠକୁ ସହଜରେ ବୁଝିପାରିବେ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଆରମ୍ଭ କରିଥିବା ଏହି ଅତ୍ୟାଧୁନିକ ଆପ୍କୁ ଆଜି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ନାମିତ ଏହି ‘ମଧୁ ଆପ୍’ ମାଧ୍ୟମରେ ପିଲାଙ୍କୁ ସହଜରେ ପାଠ ପଢ଼ାଯାଇପାରିବ । ବିଭିନ୍ନ ପ୍ରଶ୍ନର ଅଭ୍ୟାସ ମଧ୍ୟ କରି ହେବ । ମାତୃଭାଷା ଓଡ଼ିଆରେ ପ୍ରସ୍ତୁତ ହୋଇଛି ଏହି ଆପ୍ । ଏହା ମାଧ୍ୟମରେ ଶ୍ରେଣୀ ଗୃହ ପାଠପଢ଼ା ଭଳି ବାତାବରଣର ଅନୁଭୂତି ପାଇପାରିବେ ଛାତ୍ରଛାତ୍ରୀ । ଗଣିତ, ବିଜ୍ଞାନ ଆଦି ପାଠର ସରଳ ସମାଧାନ ପାଇଁ ବାଟ ଦେଖାଇବ ଏହି ଆପ୍ । ସ୍ମାର୍ଟ ଫୋନ୍ରେ ଗୁଗୁଲ୍ ପ୍ଲେ-ଷ୍ଟୋରକୁ ଯାଇ ଉକ୍ତ ଆପ୍କୁ ଡାଉନଲୋଡ୍ କରି ଏହାର ଫାଇଦା ନେଇପାରିବେ ଛାତ୍ରଛାତ୍ରୀ । ପଞ୍ଚମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଏହା ସହାୟକ ହେବ । ପାଠ୍ୟକ୍ରମ ଶେଷ ହେବା ପରେ ‘ମଧୁ ଆପ୍’ରେ ପ୍ରଶ୍ନୋତ୍ତର ଅଭ୍ୟାସ କରିବାର ସୁବିଧା ମଧ୍ୟ ରଖାଯାଇଛି । ଛାତ୍ରଛାତ୍ରୀମାନେ ନିଜେ ପ୍ରଶ୍ନ ପଢ଼ି, ତା’ର ଉତ୍ତର ଲେଖିପାରିବେ । ଏହା ପରେ ଉତ୍ତର ଠିକ୍ କିମ୍ବା ଭୁଲ୍ ଅଛି ଜାଣିପାରିବେ ।
ଏହି ଭିଡିଓ କନ୍ଫରେନ୍ସିଂ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ଶତାଧିକ ଛାତ୍ରଛାତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ‘ମଧୁ ଆପ୍’ ବାବଦରେ କଥା ହୋଇଥିଲେ । ମୁଖ୍ୟମନ୍ତ୍ରୀ କହିଲେ, ପିଲାମାନଙ୍କ ପାଇଁ ଶିକ୍ଷାର ବିକଳ୍ପ ନାହିଁ । ତେଣୁ ଭଲ ପାଠ ପଢ଼ି ଦେଶର ଗୌରବ ବଢ଼ାଇବା ପାଇଁ କାମ କରିବା ଦରକାର । ଓଡ଼ିଆ ଜାତି ପାଇଁ ଉକ୍ରଳ ଗୌରବ ମଧୁ ବାବୁଙ୍କ ତ୍ୟାଗ ଅତୁଳନୀୟ । ମଧୁ ବାବୁ ସମସ୍ତଙ୍କ ପାଇଁ ପ୍ରେରଣା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର୍.ବାଲାକ୍ରିଷ୍ଣନ, ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଅଧ୍ୟକ୍ଷ ଡ. ବିଜୟ କୁମାର ସାହୁ ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons