ପୁଅକୁ ଗୁଳିକଲେ, ଟଳି ପଡ଼ିଲେ ବୋହୂ

Get real time updates directly on you device, subscribe now.

ସୋରଡ଼ା,(ବି.ବି.ନୁ୍ୟଜ୍): ଋଣ ଟଙ୍କା ସୁଝିବାକୁ ନେଇ ବାପା ପୁଅ ମଧ୍ୟରେ ଲାଗିଥିଲା ଝଗଡ଼ା । ଟଙ୍କା ଦେବାକୁ ପୁଅ ଶୁଣୁନଥିଲା । ବାପା ରାଗିଯିବା ସହ ପୁଅକୁ ମାରିବାକୁ ବନ୍ଧୁକ ଉଠାଇଲେ । ପୁଅକୁ ଲକ୍ଷ୍ୟ କରି ବାପା ଗୁଳି କରିବା ସମୟରେ ମଝିରେ ଠିଆ ହୋଇପଡ଼ିଲେ ବୋହୂ । ମୁଣ୍ଡରେ ଗୁଳି ବାଜିଥିବାରୁ ଘଟଣା ସ୍ଥଳରେ ଟଳିପଡ଼ିଥିଲେ । ଏ କୌଣସି ଫିଲ୍ମ କାହାଣୀ ନୁହେଁ । ଏ ଭଳି ଏକ ସତ୍ୟ ତଥା ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଧୀନ ବାରଭଣିଆ ଗ୍ରାମରେ । ଘଟଣା ଘଟିଛି ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ । ପୁଲିସ ରଶ୍ମିତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଅଭିଯୁକ୍ତ ବାପା ଓ ପୁଅ ଫେରାର ରହିଥିବା ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ସୂଚନା ଦେଇଛନ୍ତି ।
ଏସ୍ଡିପିଓଙ୍କ ସୂଚନା ଅନୁସାରେ ପ୍ରଫୁଲ ମଲ୍ଲିକଙ୍କ ପୁଅ ମିଟୁ ୩ ମାସ ତଳେ ରଶ୍ମିତାଙ୍କୁ ବିବାହ କରିଥିଲେ । ବିବାହ ସମୟରେ ୫୦ ହଜାର ଟଙ୍କା ବାକି ରହିଥିଲା । ଏନେଇ କେତେକ ଦୋକାନୀ ଘରକୁ ଟଙ୍କା ମାଗିବାକୁ ଆସୁଥିଲେ । ଏଥିରେ ବିରକ୍ତ ହୋଇ ପ୍ରଫୁଲ ପୁଅକୁ ୫୦ ହଜାର ଟଙ୍କା କରଜ ସୁଝିବା ପାଇଁ ବାରମ୍ବାର ମାଗୁଥିଲେ । ଏହି ଘଟଣାକୁ ନେଇ ଅନେକ ଦିନ ହେଲା ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା । ଆଜି ଏହାର ଉଗ୍ରରୂପ ତଥା ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା । ବାପା ପୁଅ ମଧ୍ୟରେ ପୁଣି ଝଗଡ଼ା ହୋଇଥିଲା । ଏଥିରେ ପ୍ରଫୁଲ ଉତ୍କ୍ଷିପ୍ତ ହୋଇ ଘରେ ଥିବା ଦେଶୀ ବନ୍ଧୁକରେ ପୁଅକୁ ଲକ୍ଷ୍ୟ କରି ଗୁଳି ମାରିଥିଲେ । ସ୍ୱାମୀକୁ ବଞ୍ଚାଇବାକୁ ଯାଇ ରଶ୍ମିତା ମଝିରେ ଠିଆ ହୋଇଯାଇଥିଲେ । ଗୁଳି ମୁଣ୍ଡରେ ବାଜିଥିବାବେଳେ ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ ରଶ୍ମିତା । ଏପଟେ ପୁଅ ଜୀବନ ବିକଳରେ ଜଙ୍ଗଲକୁ ଦୌଡ଼ି ପଳାଇଥିବାବେଳେ ବାପା ମଧ୍ୟ ତାଙ୍କୁ ଗୋଡ଼ାଇ ଜଙ୍ଗଲକୁ ଯାଇଥିବା କହିଛନ୍ତି । ବଡ଼ଗଡ଼ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଓ ଆସିକା ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ପହଞ୍ଚି ଘଟଣା ଅନୁସନ୍ଧାନ କରୁଛନ୍ତି । ଘଟଣା ଘଟିବା ସମୟରେ ଘରେ ରଶ୍ମିତାଙ୍କ ଶାଶୂ ରହିଥିଲେ । ସେମାନଙ୍କୁ ଖୋଜିବାକୁ ପୁଲିସ ଟିମ୍ ଜଙ୍ଗଲକୁ ଯାଇଥିବା କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons