ଦାରିଙ୍ଗବାଡ଼ି,(ବି.ବି.ନୁ୍ୟଜ୍): ଶନିବାର ଶିକାର କରିବାକୁ ବାପା ଓ ପୁଅ ମିଶିକି ଜଙ୍ଗଲକୁ ଯାଇଥିଲେ । ଦିନକ ପରେ ବାପା ମୃତଦେହ କାନେ୍ଧଇ ଗାଁରେ ପହଞ୍ଚିଥିଲେ । ଏହା ଦେଖି ପରିବାର ଲୋକ ଏବଂ ଗ୍ରାମବାସୀ ଆଚମ୍ବିତ ହୋଇ ଯାଇଥିଲେ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ବି.ଡକେବାଡ଼ିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତକ କ୍ରିଷ୍ଣା ନାୟକ (୨୮) । ଆଜି ଥାନାରେ ଅଭିଯୋଗ ହୋଇଛି । ଗୁଳି ଫୁଟି ପୁଅର ମୃତୁ୍ୟ ହୋଇଥିବା ବାପା ଗୌତ୍ତମ ନାୟକ ପୁଲିସ ଆଗରେ ବୟାନ ଦେଇଛନ୍ତି । ମାତ୍ର ଗୁଳି କିପରି ଫୁଟିଲା ସେ କଥା ଜଣାପଡ଼ି ନଥିବା ଆଇଆଇସି କୌଶିକ ମାଝି କହିଛନ୍ତି । ଏହା ହତ୍ୟା ନା ଦୁର୍ଘଟଣା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡ଼ିବ ବୋଲି ଆଇଆଇସି କହିଛନ୍ତି ।
ଗୌତ୍ତମ ଥାନାରେ ପୁଲିସ ଆଗରେ କହିବା ଅନୁଯାୟୀ, ଗୌତ୍ତମ ଓ ପୁଅ କ୍ରିଷ୍ଣା ଏବଂ ଗ୍ରାମର ଅନ୍ୟ ଦୁଇ ଜଣ ରାଜେନପାଙ୍ଗା ଜଙ୍ଗଲକୁ ଶିକାର କରିବାକୁ ବାହାରିଥିଲେ । ୪ ଜଣଙ୍କ ମଧ୍ୟରୁ କ୍ରିଷ୍ଣାଙ୍କ ପାଖରେ କେବଳ ଗୋଟିଏ ବନ୍ଧୁକ ରହିଥିଲା । ଜଙ୍ଗଲ ମଧ୍ୟରେ ରୋଷେଇ କରିବାକୁ ଗ୍ରାମର ଅନ୍ୟ ଦୁଇଜଣ ରହିଥିବାବେଳେ ବାପା, ପୁଅ ଜଙ୍ଗଲ ଆହୁରି ଭିତରକୁ ଶିକାର କରିବାକୁ ଯାଇଥିଲେ । କ୍ରିଷ୍ଣା ବନ୍ଧୁକ ଧରି ଆଗରେ ଯାଉଥିବାବେଳେ ବାପା କିଛି ଦୂର ପଛରେ ଯାଉଥିଲେ । ହଠାତ୍ ଗୁଳି ଫାଟିବା ଶଦ୍ଧ ଶୁଣିବା ମାତ୍ରେ କ୍ରିଷ୍ଣା ତଳେ ପଡି ଯାଇଥିଲେ । ଗୌତ୍ତମ ଦୌଡ଼ି ଯାଇ ଦେଖିବା ବେଳେ ପୁଅର ମୃତୁ୍ୟ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ପୁଅର ପେଟରେ ଗୁଳି ବାଜିଛି । ରବିବାର ମୃତଦେହ କାନେ୍ଧଇ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଗାଁରେ ଶୋକାକୁଳ ପରିବେଶ ରହିଥିଲା । କ୍ରିଷ୍ଣାଙ୍କ ଦୁଇଟି ପିଲା ରହିଥିବା ବେଳେ ସ୍ତ୍ରୀ ୭ ମାସ ଗର୍ଭବତୀ ରହିଛି । ଘଟଣା ସମ୍ପର୍କରେ ସୋମବାର କ୍ରିଷ୍ଣାଙ୍କ ସ୍ତ୍ରୀ ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଅପମୃତୁ୍ୟ ମାମଲା ରୁଜୁ କରି ଆଇଆଇସି କୌଶିକ ମାଝି, ଏସ୍ଆଇ ଅନିଲ ମାଝି ଗାଁରେ ପହଞ୍ଚି ମୃତଦେହ ଜବତ କରିଛି । ପୁଲିସ କ୍ରିଷ୍ଣାଙ୍କ ବାପାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା କହିଛି । ଗୁଳି କିପରି ବାଜିଲା, କେଉଁ ପରିସ୍ଥିତିରେ ବାଜିଛି ଓ କେଉଁ ସ୍ଥାନରେ ଏହି ଘଟଣା ଘଟିଛି, ଆଉ କିଏ ଥିଲେ କି ନାହିଁ ଏନେଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ କହିଛନ୍ତି ।
Comments are closed, but trackbacks and pingbacks are open.