ଭଞ୍ଜନଗର, (ବି.ବି.ନ୍ୟୁଜ୍): ପୁଣି ଅଜଣା ଜନ୍ତୁ ଆତଙ୍କ । ମେଣ୍ଢାକୁ ଅଧା ଖାଇ ଛାଡ଼ି ଦେଇ ଚାଲିଯାଇଥିବାବେଳେ ନିକଟରେ ଦିଶୁଛି ପାଦ ଚିହ୍ନ । ଏଭଳି ଦେଖିବାକୁ ମିଳିଛି ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର କୁପାଟି ଗ୍ରାମରେ । ଏ ହେଉଛି ଗୁରୁବାର ରାତିର ଘଟଣା । ଖବର ଶୁକ୍ରବାର ଜଣାପଡ଼ିବା ପରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଗ୍ରାମବାସୀ ଡିଏଫ୍ଓ ଅଭୟ ଦଳାଇ ଗାଲେରୀ ବନାଞ୍ଚଳ ଅଧିକାରୀ ବିଜୟ ମିଶ୍ରଙ୍କୁ ଘଟଣା ସଂପର୍କରେ ଜଣାଇଥିଲେ । ବଦାଙ୍ଗୀ ବନପାଳ ଶରତ ଚନ୍ଦ୍ର ମହାନ୍ତି ଅଧାଖିଆ ମେଣ୍ଢାକୁ ଜବତ କରିବାସହ ବ୍ୟବଚ୍ଛେଦ କରାଇଛନ୍ତି । ଏପଟେ ଦୁଇ ଦିନ ହେଲା ବନ ବିଭାଗ କର୍ମଚାରୀଙ୍କ ନିଦ ହଜାଇ ଦେଇଛି ଅଜଣା ଜନ୍ତୁ । ବନ ବିଭାଗ ପକ୍ଷରୁ ଯନ୍ତା ପକାଯାଇ ରାତିସାରା ଅନିଦ୍ରା ରହୁଥିଲେ ମଧ୍ୟ ଜନ୍ତୁ ପଡ଼ୁନି । ସୋମବାର ସିସି କ୍ୟାମେରା ଲଗାଯିବା ନେଇ ନିଷ୍ପତ୍ତି ନିଆଯାଇଛି ।
ଗତବର୍ଷ କଟକ ନିଆଳି ସମେତ ଭଞ୍ଜନଗରରେ ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଥିଲା । ଏବେ ପୁଣି ଏହାର ପୁନରାବୃତ୍ତି ହୋଇଛି । ଗତ ଗୁରୁବାର ରାତିରେ କୁପାଟି ଗ୍ରାମର ଜୟ ଗୌଡ଼ଙ୍କ ଗୁହାଳରୁ ଗୋଟିଏ ମେଣ୍ଢା ଟେକି ନେଇ ଅଜଣା ଜନ୍ତୁ ଗୁହାଳ ଠାରୁ କିଛି ଦୂରରେ ଅଧା ଖାଇ ଚାଲିଯାଇଛି । ସକାଳୁ ଏଭଳି ଘଟଣା ଦେଖି ଜୟ ବନ ବିଭାଗକୁ ଖବର ଦେଇଥିଲେ । ଡିଏଫଓ, ଗାଲେରୀ ବନାଞ୍ଚଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଅଜଣା ଜନ୍ତୁଟି ମେଣ୍ଢାର ପଛଭାଗଟି ସଂପୂର୍ଣ୍ଣ ଖାଇଦେଇଛି । ହେଲେ ମୁଣ୍ଡ ଠାରୁ ଆରମ୍ଭ କରି ଆଗର ୨ଟି ଗୋଡ ଓ କିଛି ଅଂଶ ଛାଡିଦେଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଅଜଣା ଜନ୍ତୁ ମେଣ୍ଢାକୁ ଯେଉଁଠି ଅଧା ଖାଇଛି ସେଇଠି ରକ୍ତ ଛିଟା ପଡ଼ିନାହିଁ । ପାଦ ଚିହ୍ନରୁ ହେଟା ବାଘ ବୋଲି ଅନୁମାନ କରାଯାଉଛି । ପାଦଚିହ୍ନକୁ ପରୀକ୍ଷା ପାଇଁ ପଠାଯାଇଛି । ଗତବର୍ଷ ଅଜଣା ଜନ୍ତୁ ଏହି ବନଖଣ୍ଡର ବଡପଥରା, କୁପାଟି ଓ ନିଧିଆବେରଣା ଆଦି ଗ୍ରାମରେ ମେଣ୍ଢା ଖାଇଥିଲା । ସେତେବେଳେ ଏହା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ଆଉ ଜଙ୍ଗଲ ବିଭାଗ ପ୍ରତ୍ୟେକ ମେଣ୍ଢା ମୃତ୍ୟୁ ପାଇଁ ୨ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ । ଏବେ ପୁଣିଥରେ ଅଜଣା ଜନ୍ତୁ ଆତଙ୍କ ବନ କର୍ମଚାରୀଙ୍କ ଆଖିରୁ ନିଦ ଛଡାଇ ନେଇଛି । କୁପାଟି ଗ୍ରାମ ମୁଜାଗଡ଼ ବନାଞ୍ଚଳରେ ଯାଉଥିବାବେଳେ ଗାଲେରୀ ବନାଞ୍ଚଳ କର୍ମଚାରୀମାନେ ରାତି ଅନିଦ୍ରା ହୋଇ ଯନ୍ତା ପକାଇ ଜଗିରହୁଛନ୍ତି । ସୋମବାର ଜୟଙ୍କ ଗୁହାଳ ନିକଟରେ ଯନ୍ତା ବସାଇବା ସହ ଏକ ମେଣ୍ଢା ରଖାଯିବ ବୋଲି ବନ ବିଭାଗ ନିଷ୍ପତ୍ତି ନେଇଛି ।
Comments are closed, but trackbacks and pingbacks are open.