ମାଲକାନଗିରି,(ବି.ବି.ନୁ୍ୟଜ୍): ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରିଲାନି । ଶେଷରେ ଖଟିଆରେ ବୋହି ମେଡିକାଲ ନେବାବେଳେ ଅଧା ବାଟରେ ମହିଳା ଏକ ଶିଶୁକନ୍ୟା ପ୍ରସବ କଲେ । କୋରୁକୋଣ୍ଡା ବ୍ଲକ ନୀଳାକାମ୍ବେରୁ ପଂଚାୟତ ପାଡଲପୁଟ ଆଦିବାସୀ ଗାଁରେ ଶୁକ୍ରବାର ଏହି ଦୃଶ୍ୟ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଗାଁର ଧନ ମୁଦୁଲିଙ୍କ ପନôୀ ଦେବକୀ(୨୭)ଙ୍କର ସକାଳୁ ପ୍ରସବ ବେଦନା ହୋଇଥିଲା । ତାଙ୍କୁ ମେଡିକାଲ ନେବାକୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ସୂଚନା ମୁତାବକ ଗାଡି ଆସିଥିଲା । କିନ୍ତୁ ଗାଁରେ ପହଞ୍ଚି ପାରି ନଥିଲା । ଗାଁ ରାସ୍ତାଟି କାଦୁଅରେ ଭର୍ତ୍ତି ହୋଇଥିବାରୁ ସମସ୍ୟା ହୋଇଥିଲା । ଏଣେ ଦେବକୀଙ୍କର ଯନ୍ତ୍ରଣା ବଢୁଥିବାରୁ ପରିବାର ଲୋକେ ମ୍ରିୟମାଣ ହୋଇ ପଡିଥିଲେ । ଅନ୍ୟ ଉପାୟ ନପାଇ ସ୍ୱାମୀ ଧନ ପରିବାର ଓ ଗାଁର କିଛି ଲୋକଙ୍କ ସହାୟତାରେ ଏକ ଖଟିଆ ଯୋଗାଡ କରିଥିଲେ । ଦେବକୀଙ୍କୁ ଖଟିଆରେ ଶୁଆଇ ଡାକ୍ତରଖାନା ଅଭିମୁଖେ ବୋହିଥିଲେ । ଜଙ୍ଗଲ ଭିତର ଦେଇ ପାହାଡିଆ ରାସ୍ତାରେ ଚାଲିବା ଆରମ୍ଭ କରିଥିଲେ । ବାଲିମେଳା ଡାକ୍ତରଖାନାରେ ଦେବକୀଙ୍କୁ ଭର୍ତ୍ତି କରିବାକୁ ପରିବାର ଲୋକେ ସ୍ଥିର କରିଥିଲେ । କିନ୍ତୁ ଅଧା ବାଟରେ ଦେବକୀ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ । ଖବର ପାଇ ଆଶା ଦିଦି ଘଟଣାସ୍ଥଳରେ ପହଞ୍ଚି ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିଛି ସମୟ ପରେ ଆମ୍ବଲାନ୍ସ ପହଂଚି ଥିଲା । ଆଶାଙ୍କ ସହାୟତାରେ ଦେବକୀଙ୍କୁ ବାଲିମେଳା ହସ୍ପିଟାଲକୁ ନିଆଯାଇଥିଲା । ଡାକ୍ତରଖାନାରେ ପହଂଚିବା ପରେ ମହିଳା ଓ ନବଜାତକୁ ଡାକ୍ତର ଚିକିତ୍ସା କରିଥିଲେ । ଉଭୟେ ସୁସ୍ଥ ଥିବା ଡାକ୍ତର କହିଛନ୍ତି । ସୂଚନାଯୋଗ୍ୟ, କେବଳ ଏହି ଘଟଣା ନୁହେଁ, ଜିଲ୍ଲାରେ ବର୍ଷସାରା ଏଭଳି ଦୃଶ୍ୟ ଦେଖିବାକୁ ମିଳେ ।


Comments are closed, but trackbacks and pingbacks are open.