ପୁଣି ଗଞ୍ଜାମରେ କରୋନା ଡର

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ): ଗଞ୍ଜାମ ଜିଲ୍ଲାକୁ ପୁଣି ଥରେ କରୋନା ଲେଉଟିଲାଣି । ଦୀର୍ଘ ଦିନ ଧରି ଜିଲ୍ଲାରେ କୋଭିଡ୍ ସଂକ୍ରମଣ ଶୂନ ଥିଲା । ଏବେ ପୁଣି ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । କରୋନା ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ରେଳ ଷ୍ଟେସନରେ ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି । ଏପଟେ ଆଜି ସଂକ୍ରମିତ ଚିହ୍ନଟ ହୋଇଥିବା ପୁରାତନ ସାଉଥକୋ ତଥା ଟାଟା ପାୱାର ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବୁ୍ୟସନ୍ ଲିମିିଟେଡ୍ (ଟିପିଏସ୍ଓଡିଏଲ୍) କାର୍ଯ୍ୟାଳୟକୁ ସାନିଟାଇଜ୍୍ କରାଯାଇଛି । ମୁୁମ୍ବାଇରୁ ଆସିଥିବା ଜଣେ ଅଧିକାରୀଙ୍କୁ କରୋନା ହୋଇଥିବା ବେଳେ ତାଙ୍କୁ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋମବାର କାର୍ଯ୍ୟାଳୟକୁ ବନ୍ଦ କରାଯାଇଥିଲା ଏବଂ ସେଠାରେ ସାନିଟାଇଜ୍ ହୋଇଛି । ଅଫିସକୁ ସର୍ବସାଧାରଣଙ୍କୁ ମଧ୍ୟ ମନା ହୋଇଛି । ସପ୍ତାହେ ପର୍ଯ୍ୟନ୍ତ କର୍ପୋରେଟ ଅଫିସ ବନ୍ଦ ରଖିବାକୁ ନୋଟିସ୍ ହୋଇଛି । ଏ ସଂପର୍କରେ କାର୍ଯ୍ୟାଳୟର କୌଣସି ଅଧିକାରୀ ସୂଚନା ଦେବାକୁ ମନା କରିଥିଲେ ବି ଜେନେରାଲ୍ ମ୍ୟାନେଜରଙ୍କ ଚିଠି ପାଇ ଆମେ ଆସିଥିଲୁ ଓ ସମଗ୍ର କାର୍ଯ୍ୟାଳୟକୁ ସାନିଟାଇଜ କରାଯାଇଛି ବୋଲି ବ୍ରହ୍ମପୁର ଅଗ୍ନିଶମ ବିଭାଗର କର୍ମଚାରୀ ଶ୍ରୀନିବାସ ବେହେରା ଓ ଅଧିକାରୀ ଉଗ୍ରସେନା ସାଇ କହିଛନ୍ତି ।
ଗତ ଗୁରୁବାରରୁ କରୋନା ପଜିଟିିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି । ରବିବାର ବ୍ରହ୍ମପୁରରୁ ୪ଜଣ ସହ ଜିଲ୍ଲାରେ ମୋଟ ୬ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ । ସୋମବାର ପୁଣି ୩ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମଙ୍ଗଳବାର ପୁଣି ୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିିଭାଗ ସୂତ୍ରରୁ ପ୍ରକାଶ । ଏବେ ଜିଲ୍ଲାରେ ୧୧ଜଣ ରୋଗୀ ଆକ୍ଟିଭ୍ ରହିଛନ୍ତି । ଜିଲ୍ଲାରେ ଏଯାବତ୍ ୨୧୯୧୪ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧୬୪୭ଜଣ ସୁସ୍ଥ ହୋଇସାରିଛନ୍ତି । ୨୪୮ଜଣଙ୍କ ମୃତୁ୍ୟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । କରୋନା ଗ୍ରାଫ୍ ଶୂନକୁ ଯିବା ପରେ ପୁଣି ଜିଲ୍ଳାରେ ୧୧ଜଣ ଆକ୍ଟିଭ୍ ପଜିଟିଭ୍ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ସତର୍କତା ଅଭାବରୁ ପୁଣି କରୋନା ଆକ୍ରାନ୍ତ ବଢ଼ିବା ଆରମ୍ଭ କରିଛି ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି ।
ଜିଲ୍ଲାରେ ୨୦୨୦ ମେ ୨ ତାରିଖରେ ଦୁଇ ପ୍ରବାସୀ ଓଡ଼ିଆ କରୋନା ପଜିଟିଭ୍ ହୋଇଥିଲେ । ଏହା ପରେ ଧୀରେ ଧୀରେ କାୟା ମେଲାଇଥିଲା ସମଗ୍ର ଜିଲ୍ଲାରେ କୋଭିଡ୍ । ଜିଲ୍ଲାରେ ୧୪୪ ଧାରା ଠାରୁ ଆରମ୍ଭ କରି ଲକ୍ ଡାଉନ୍, ସଟ୍ ଡାଉନ୍, କଣ୍ଟେନମେଣ୍ଟ ଜୋନ୍ ଆଦି କରାଗଲା । ବର୍ତ୍ତମାନ ସବୁ କଟକଣା ହଟିଯାଇଛି । ଏବେ ଲୋକ କୌଣସି ପ୍ରକାର ସତର୍କତା ଅବଲମ୍ବନ କରୁନାହାନ୍ତି । ବାହାର ରାଜ୍ୟରେ କରୋନାର ଦ୍ୱିିତୀୟ ଲହରୀ ଆରମ୍ଭ ହୋଇସାରିଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ରେଳ ଷ୍ଟେସନ୍ରେ ମହାରାଷ୍ଟ୍ର, କେରଳ, ତାମିଲନାଡୁ ଆଦି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons