ପୁଣି ଚେନ୍ନାଇରୁ ଡଙ୍ଗାରେ ଫେରିଲେ ୩୯ ଜଣ

Get real time updates directly on you device, subscribe now.

ଚିକିଟି, (ବି.ବି.ନୁ୍ୟଜ୍): ସୋମବାର ଅପରାହ୍ନରେ ପୁଣି ଚେନ୍ନାଇରୁ ସମୁଦ୍ର ପଥରେ ଫେରିଲେ ୩୯ ଜଣ ମତ୍ସ୍ୟଜୀବୀ । ଗତ ୨୩ ତାରିଖରୁ ଚେନ୍ନାଇ ଉପକୂଳରୁ ଏମାନେ ଏକ ଇଞ୍ଜିନ୍ଚାଳିତ ଡଙ୍ଗାରେ ଯାତ୍ରାରମ୍ଭ କରିଥିଲେ । ପ୍ରାୟ ୫ଦିନ ଏଗାର ଶହ କିଲୋମିଟର ଜଳପଥ ଅତିକ୍ରମ କରି ସୋମବାର ଅପରାହ୍ନରେ ଆନ୍ଧ୍ର-ଓଡ଼ିଶା ଉପକୂଳ ପାତିସୁନାପୁର ସମୁଦ୍ରତଟରେ ପହଞ୍ଚିଛନ୍ତି । ସେମାନଙ୍କ ମଧ୍ୟରେ ୮ ଜଣ ଆନ୍ଧ୍ରପ୍ରଦେଶର ହୋଇଥିବା ବେଳେ ଓଡ଼ିଶାର ୩୧ ଜଣ ମତ୍ସ୍ୟଜୀବୀ ରହିଛନ୍ତି । ଆନ୍ଧ୍ରପ୍ରଦେଶର କତପଲାମ, ଡକାପାଲମ, କବଟପାଲମ ଓ ଡଙ୍କୁରୁର ୮ ଜଣ ମତ୍ସ୍ୟଜୀବୀ ଆନ୍ଧ୍ର ଉପକୂଳରେ ଓହ୍ଲାଇଥିଲେ । ଅବଶିଷ୍ଟ ୩୧ ଜଣ ଓଡ଼ିଶା ଉପକୂଳ ସମୁଦ୍ରତଟରେ ପହଞ୍ଚିଥିଲେ । ପାତିସୁନାପୁରରେ ୧୫ ଜଣ ଓ ରାମେୟାପାଟଣାରେ ୧୬ ଜଣ ଓହ୍ଲାଇଥିଲେ । ସେହି ୧୬ ଜଣଙ୍କ ମଧ୍ୟରେ ରଙ୍ଗେଇଲୁଣ୍ଡା ବ୍ଲକ୍ ମାର୍କଣ୍ଡି ଗ୍ରାମର ୩ ଜଣ ଓ ଦିଗିପୁରର ଜଣେ ଅଛନ୍ତି । ଏହି ୪ ଜଣ ସମୁଦ୍ରତଟରେ ଓହ୍ଲାଇ ଚାଲି ଚାଲି ନିଜ ଗ୍ରାମକୁ ଯାଇଥିଲେ । ସେମାନଙ୍କ ତାଙ୍କ ଗ୍ରାମରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ଡଙ୍ଗାରେ ମତ୍ସ୍ୟଜୀବୀ ଚେନ୍ନାଇରୁ ଫେରୁଥିବା ପୂର୍ବ ସୂଚନା ପାଇ ଚିକିଟି ବିଡିଓ ଏବଂ ତହସିଲଦାର ସୋମବାର ସକାଳେ ରାମେୟାପାଟଣାରେ ଉପସ୍ଥିତ ଥିଲେ । ଜଳପଥରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନ୍ରେ ରଖିବା ପାଇଁ ବନେ୍ଦାବସ୍ତ କରିଥିଲା ପ୍ରଶାସନ । ରାମେୟାପାଟଣା ଗ୍ରାମକୁ ଫେରିଥିବା ଲୋକଙ୍କୁ ଓଡିଆର୍ପି କମୁ୍ୟନିଟି କେନ୍ଦ୍ର ଓ ପାତିସୁନାପୁରକୁ ଆସିଥିବା ଲୋକଙ୍କୁ ସେହି ଗ୍ରାମର ଓଡିଆର୍ପି କମୁ୍ୟନିଟି କେନ୍ଦ୍ରରେ ରଖିବା ବ୍ୟବସ୍ଥା କରାଯାଇଛି ।
ପୁରୁଣା ଡଙ୍ଗାକୁ ପ୍ରାୟ ୨ ଲକ୍ଷ ଟଙ୍କାରେ କିଣି ଚେନ୍ନାଇରୁ ଯାତ୍ରା କରିଥିଲେ ୩୯ ମତ୍ସ୍ୟଜୀବୀ । ଜଳପଥରେ ଯାତ୍ରା କରିବା ପୂର୍ବରୁ ଖାଇବା ପିଇବା ଯୋଗାଡ଼ କରିଥିଲେ । ଡଙ୍ଗାରେ ରନ୍ଧନ ଗ୍ୟାସ୍ ଷ୍ଟୋଭ୍, ଚାଉଳ, ଡାଲି, କିରାସିନି, ପନିପରିବା ଓ ପିଇବା ପାଣି ଧରି ବାହାରିଥିଲେ । ଯାତ୍ରା କାଳରେ ଡଙ୍ଗାରେ ରୋଷଇ କରି ଖାଉଥିବା କହିଛନ୍ତି ଫେରନ୍ତା ଯାତ୍ରୀ । ଘଟଣାସ୍ଥଳରେ ଚିକିଟି ବିଡିଓ, ତହସିଲଦାର, ଗୋଳନ୍ଥରା ଥାନା ଅଧିକାରୀ, ମେରାଇନ ଥାନା ଅଧିକାରୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ବିଜୁ ଯୁବ ବାହିନୀ ସଂଯୋଜକ, ମେଡିକାଲ ଟିମ, ମତ୍ସ୍ୟଜୀବୀ ସଂଘ ଉପସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ । ଏଠାରେ ପହଞ୍ଚିଥିବା ଲୋକଙ୍କ ନାମ, ଠିକଣା ପଞ୍ଜୀକରଣ ହୋଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କ୍ୱାରେଣ୍ଟାଇନ୍ରେ ରଖାଯାଇଥିବା କହିଛନ୍ତି ଚିକିଟି ବିଡିଓ ଫାଲଗୁନୀ ମାଝି ।
ଦୁଇ ଦିନ ତଳେ ଚେନ୍ନାଇରୁ ଗୋଟିଏ ଡଙ୍ଗାରେ ଆନ୍ଧ୍ରପ୍ରଦେଶ, ଓଡ଼ିଶାର ୩୮ ଜଣ ମତ୍ସ୍ୟଜୀବୀ ଆସିଥିଲେ । ସେମାନଙ୍କ ମଧ୍ୟରେ ପାତିସୁନାପୁରର ୨୪ ଜଣ, ଏକସିଙ୍ଗିର ୩ ଜଣ, ଗୋପାଳପୁର ୨ ଜଣ ଓ ଆନ୍ଧ୍ରପ୍ରଦେଶର ୯ଜଣ ଥିଲେ । ସେମାଙ୍କୁ ପାତିସୁନାପୁର କ୍ୱାରେଣ୍ଟାଇନ୍ରେ ରଖାଯାଇଛି । ସୋମବାର ସେମାନଙ୍କ ସ୍ୱାବ୍ ପରୀକ୍ଷା ପାଇଁ ଆମ୍ବୁଲାନ୍ସସ ଯୋଗେ ବ୍ରହ୍ମପୁର ସିଟି ହସ୍ପିଟାଲ୍କୁ ନିଆଯାଇଛି । ଚିକିଟି ତହସିଲଦାର ହରପ୍ରସାଦ ଭୋଇ ଓ ବିଡିଓ ଫାଲଗୁନି ମାଝି ସକାଳେ ପାତିସୁନାପୁରରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରୟ ଭାଉସାହେବ, ଏସ୍ପି ପିନାକ ମିଶ୍ର ଓ ସଦର ଏସ୍ଡିପିଓ ଜୟନ୍ତ ମହାପାତ୍ର ମଧ୍ୟ ସେଠାରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି ।
ସୋମବାର ଚେନ୍ନାଇରୁ ତୃତୀୟ ପର୍ଯ୍ୟାୟରେ ୩୯ ଜଣ ଫେରିବା ପରେ ଗତ ସପ୍ତାହକ ମଧ୍ୟରେ ପ୍ରାୟ ୧୦୪ ଜଣ ଜଳପଥରେ ଡଙ୍ଗା ଯୋଗେ ଆନ୍ଧ୍ର-ଓଡ଼ିଶା ଊପକୂଳରେ ପହଞ୍ଚିଛନ୍ତି । ପ୍ରଥମେ ଗତ ୧୯ ତାରିଖରେ ୨୭ ଜଣ, ୨୫ ତାରିଖରେ ୩୮ ଓ ଏବେ ୩୯ ଜଣ ଫେରିଛନ୍ତି । ସମସ୍ତେ ବୃତ୍ତିରେ ମତ୍ସ୍ୟଜୀବୀ, ଚେନ୍ନାଇ ମାଛଧରା ବନ୍ଦରରେକାମ କରୁଥିଲେ । ଲକ୍ଡାଉନ୍ ପରେ ସଡ଼କ, ରେଳ ଓ ଆକାଶମାର୍ଗରେ ଯୋଗାଯୋଗ ବନ୍ଦ ହୋଇଥିଲା । ରାଜ୍ୟ ସୀମା ମଧ୍ୟ ସିଲ୍ କରିଥିଲା ପ୍ରଶାସନ । କେବଳ ଗୋଟିଏ ମାତ୍ର ବିକଳ୍ପ ଜଳପଥ ଖୋଲା ରହିଥିଲା । ଏଣୁ ସେହି ବାଟ ଦେଇ ଏବେ ମତ୍ସ୍ୟଜୀବୀମାନେ ନିଜ ଗାଁକୁ ଫେରିବାରେ ଲାଗିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons