ପୁଣି ବାଘ ଚମଡ଼ା ଜବତ, ୨ ଶିକାରୀ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୁଣି ଜବତ ହୋଇଛି ବାଘ ଚମଡ଼ା । କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାସ୍କ୍ ଫୋର୍ସ(ଏସ୍ଟିଏଫ୍) ପୁଣି ଏକ ବାଘ ଚମଡ଼ା ଜବତ କରିବା ସହ ୨ ଶିକାରୀଙ୍କୁ ଗିରଫ କରିଛି । ସେମାନେ ହେଲେ ନୂଆପଡ଼ା ଖରିଆରର ସବର୍ବାନ୍ ସିଂହ ଓ ସିନାପଲ୍ଲୀର ସମନସିଂହ ମାଝି । ଏନେଇ ଏସ୍ଟିଏଫ୍ ଥାନା କେସ୍ ନଂ-୮/୨୧ରେ ଏକ ମାମଲା ରୁଜୁ କରିଛି । ୨ ଶିକାରୀଙ୍କୁ ଏସ୍ଟିଏଫ୍ ସିନାପାଲି ଜେଏମ୍ଏଫ୍ସିଙ୍କ କୋର୍ଟରେ ହାଜର କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ଜବତ କଲାରାପତରିଆ ବାଘ ଚମଡ଼ାକୁ ପରୀକ୍ଷା ପାଇଁ ଡେରାଡୁନ୍ ସ୍ଥିତ ୱାଇଲ୍ଡ ଲାଇଫ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆକୁ ପଠାଯିବ ବୋଲି ଏସ୍ଟିଏଫ୍ ପକ୍ଷରୁ କୁହାଯାଇଛି । ଗତ ୮ ତାରିଖରେ ଏସଟିଏଫ୍ କେନ୍ଦୁଝରରୁ ବାଘ ଚମଡ଼ା ଓ ହାତୀ ଦାନ୍ତ ଜବତ କରିବା ସହ ୩ ତସ୍କରଙ୍କୁ ଗିରଫ କରିଥିଲା ।
ଏସ୍ଟିଏଫ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ବାଘ ଶିକାର ବଢ଼ି ଚାଲିଥିବାବେଳେ ଏଥିରେ ରୋକ ଲଗାଇବାକୁ ଏସ୍ଟିଏଫ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଛି । ନୂଆପଡ଼ାରେ ବାଘ ଶିକାରୀ ମାତିଥିବା ଖବର ମିଳିବା ପରେ ଏସ୍ଟିଏଫ୍ର ଏକ ଟିମ୍ ନୂଆପଡ଼ାରେ ଡେରା ପକାଇଥିଲା । ସବର୍ବାନ ଓ ସମନସିଂହ ଏକ କଲରାପତରିଆ ବାଘ ଛାଲ ଡିଲ୍ ପାଇଁ ଯୋଜନା କରୁଥିବା ଏସ୍ଟିଏଫ୍ ଟିମ୍ ଜାଣିବାକୁ ପାଇଥିଲା । ଦୁଇ ଶିକାରୀ ଗତକାଲି ସନ୍ଧ୍ୟାରେ ସିନାପାଲି ଥାନା ଅନ୍ତର୍ଗତ ପଳାସପଦା ଛକରେ ବେପାରୀଙ୍କୁ ଅପେକ୍ଷା କରିଥିଲାବେଳେ ଏସ୍ଟିଏଫ୍ ଟିମ୍ ଚଢ଼ଉ କରି ୨ ଜଣଙ୍କୁ କାବୁ କରିଥିଲା । ୨ ଜଣଙ୍କ ଠାରୁ ଗୋଟିଏ ବାଘ ଛାଲ ଓ ଅନ୍ୟନ୍ୟ ସାମଗ୍ରୀ ଜବତ ହୋଇଥିଲା । ତେଣୁ ଏସ୍ଟିଏଫ୍ ୨ ଜଣଙ୍କୁ ଗିରଫ କରିଥିଲା । ତେବେ ଜେରାବେଳେ ସେମାନେ କେଉଁଠାରୁ ବାଘ ଛାଲ ଆଣିଲେ ଓ ସେମାନେ ନିଜେ ଶିକାର କରିଛନ୍ତି ବା କାହା ଦ୍ୱାରା ଶିକାର କରାଇଛନ୍ତି ସେ ନେଇ କୌଣସି ସୂଚନା ଦେଇ ନଥିଲେ । ରାଜ୍ୟରେ ବଢ଼ି ଚାଲିଛି ବାଘ ଶିକାର । କେତେବେଳେ ଗୁଳିକରି ତ ଆଉ କେତେବେଳେ ଫାସ ବସାଇ ବାଘ ଶିକାର କରୁଛନ୍ତି । ଗତ ଦେଢ଼ ବର୍ଷ ଭିତରେ ୨୦ଟି କଲରାପତରିଆ ବାଘ ଛାଲ ଜବତ ହେଲାଣି । ଗତବର୍ଷ ମେ’ ମାସ ୯ ତାରିଖରେ ମୟୂରଭଞ୍ଜ କରଞ୍ଜିଆ ରେଞ୍ଜରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଥିଲା । ଜୁନ୍ ୭ରେ ନୟାଗଡ଼ ଦଶପଲ୍ଲା ରେଞ୍ଜରୁ ୨ଟି ଓ ଜୁନ୍ ୧୨ ତାରିଖରେ ଖୋର୍ଦ୍ଧା ରଣପୁର ରେଞ୍ଜରୁ ୨ଟି ଚମଡ଼ା ଜବତ ହୋଇଥିଲା । ସେପ୍ଟେମ୍ବର ୩ରେ ମୟୂରଭଞ୍ଜ ରାଇରଙ୍ଗପୁର ଡିଭିଜନରୁ ଗୋଟିଏ, ସେହିମାସ ୧୩ରେ ନବରଙ୍ଗପୁରରୁ ୩ଟି ଓ ଗଞ୍ଜାମ ବ୍ରହ୍ମପୁର ଡିଭିଜନ ବାଲିପଡ଼ାରୁ ଗୋଟିଏ, ୧୯ରେ ନୂଆପଡ଼ା ଖରିଆର ଡିଭିଜନରୁ ଗୋଟିଏ ବାଘ ଚମଡ଼ା ଜବତ ହୋଇଥିଲା । ସେହିପରି ଅକ୍ଟୋବର ୧୩ରେ ସୋନପୁରରୁ ଗୋଟିଏ, ୨୦ରେ ମୟୂରଭଞ୍ଜ ରାଇରଙ୍ଗପୁର ଡିଭିଜନରୁ ଗୋଟିଏ, ୨୧ରେ କନ୍ଧମାଳ ସୁଦ୍ରୁକୁମ୍ପା ରେଞ୍ଜ ଗୁଡ଼ାରୀରୁ ଗୋଟିଏ ଚମଡ଼ା ଜବତ ହୋଇଥିଲା । ନଭେମ୍ବର ୧୮ରେ ଭୁବନେଶ୍ୱର କାଳୀମନ୍ଦିର ନିକଟରୁ ଗୋଟିଏ, ୨୫ରେ ବରଗଡ଼ ଭଟିଲି ଛକରୁ ଗୋଟିଏ ଓ ଡିସେମ୍ବର ୬ ତାରିଖରେ ଢେ଼ଙ୍କାନାଳ କପିଳାସରୁ ୨ଟି କଲରାପତରିଆ ବାଘ ଚମଡ଼ା ଜବତ ହୋଇଥିଲା । ଚଳିତ ଫେବ୍ରୁଆରୀ ୮ରେ କେନ୍ଦୁଝରରୁ ଏକ ବାଘ ଚମଡା ଜବତ ହୋଇଥିଲା । ସେହିପରି ୩ଟି କଲରାପତରିଆଙ୍କର ଅନ୍ୟାନ୍ୟ କାରଣରୁ ମୃତୁ୍ୟ ଘଟିଛି । ଏପ୍ରିଲ ୬ରେ ମହାନଦୀ ୱାଇଲ୍ଡ ଲାଇଭ୍ ଡିଭିଜନରେ ଏକ ଆହତ କଲରାପତରିଆର ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ଘଟିଥିବା ବେଳେ ସମ୍ବଲପୁର ବର୍ମା ଡିଭିଜନରେ ଜୁନ୍ ୨୪ ତାରିଖରେ ଏକ କଲରାପତରିଆର ମୃତଦେହ ଜବତ ହୋଇଥିଲା । ସୁନ୍ଦରଗଡ଼ ହେମଗିରି ରେଞ୍ଜରେ ଅଗଷ୍ଟ ୬ ତାରିଖରେ ଟ୍ରେନ୍ ଧକ୍କାରେ ଏକ କଲରାପତରିଆ ବାଘର ମୃତୁ୍ୟ ଘଟିଥିଲା ।
ତେବେ ଉପରୋକ୍ତ ହିସାବ କେବଳ ବାଘ ଚମଡ଼ା ଜବତ ଘଟଣାରୁ ଜଣାପଡ଼ିଛି । ଏଥିରୁ ଯେଉଁଭଳି ବାଘ ଶିକାର ଚାଲିଛି ସେଥିରେ ଓଡ଼ିଶା ଜଙ୍ଗଲରୁ ବାଘ ବଂଶ ଲୋପ ପାଇଯିବ ବୋଲି ମତପ୍ରକାଶ ପାଇଛି । ଯାହାକୁ ନେଇ ପରିବେଶପ୍ରେମୀ ଚିନ୍ତାପ୍ରକଟ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons