ପ୍ୟାରିସ: ଫ୍ରାନ୍ସରେ ରାଫେଲ ଚୁକ୍ତିର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଏଥିପାଇଁ ଜଣେ ମାଜିଷ୍ଟେ୍ରଟଙ୍କୁ ନିଯୁକ୍ତି ଦିଆଯାଇଛି । ସେ ଗତ ଜୁନ ୧୪ ତାରିଖରୁ ତଦନ୍ତ ଆରମ୍ଭ କରିଛନ୍ତି । ଭାରତ ଓ ଫ୍ରାନ୍ସ ମଧ୍ୟରେ ହୋଇଥିବା ଏହି ଚୁକ୍ତିରେ ଦୁର୍ନୀତି ଓ ପକ୍ଷପାତିତା ହୋଇଥିବା ଅଭିଯୋଗ ହୋଇଛି । ଫ୍ରାନ୍ସ ସରକାରଙ୍କର ନ୍ୟାସନାଲ ଫାଇନାନ୍ସିଆଲ ପ୍ରସିକୁ୍ୟଟର (ପିଏନ୍ଏଫ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ତଦନ୍ତ କରାଯାଉଥିବା ଫ୍ରାନ୍ସର ଇନ୍ଭେଷ୍ଟିଗେଟିଭ ୱେବସାଇଟ୍ ମିଡିଆପାର୍ଟ ରିପୋର୍ଟ ପ୍ରକାଶ କରିଛି ।
ରିପୋର୍ଟରେ କୁହାଯାଇଛି, ରାଫେଲ ଚୁକ୍ତିର ତଦନ୍ତ କରିବାକୁ ୨୦୧୮ରେ ଶେରପା ନାମକ ଫ୍ରାନ୍ସରେ କାର୍ଯ୍ୟ କରୁଥିବା ଏକ ଏନ୍ଜିଓ ପିଏନଏଫଙ୍କ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିଥିଲା । କିନ୍ତୁ ପିଏନ୍ଏଫ ଏହାର ତଦନ୍ତ କରିନଥିଲା । ସେତେବେଳେ ପିଏନ୍ଏଫ୍ ଅର୍ଥନୈତିକ ଅପରାଧିକ ଶାଖାର ମୁଖ୍ୟ ଇଲିଆନ୍ ହୁଲେଟ ରାଫେଲ ଚୁକ୍ତିର ତଦନ୍ତକୁ ରୋକି ଦେଇଥିଲେ । ତେବେ ବର୍ତ୍ତମାନ ପିଏନ୍ଏଫ୍ର ନୂଆ ମୁଖ୍ୟ ଜାନ-ଫ୍ରାଙ୍କୋଇସ ବୁହାର୍ଟ ଏହାର ତଦନ୍ତ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଗତ ଏପ୍ରିଲରେ ମିଡିଆପାର୍ଟ ପ୍ରକାଶ କରିଥିଲା ଯେ ରାଫେଲ ବିମାନ ଯୋଗାଇବା ଲାଗି ଭାରତ ସରକାରଙ୍କ ସହ ଚୁକ୍ତି କରିଥିବା ଦାସଲ୍ଟ ଆଭିଏସନ ଜଣେ ଭାରତୀୟ ମିଡିଲମ୍ୟାନ୍ (ମଧ୍ୟସ୍ଥ)ଙ୍କୁ ପ୍ରାୟ ୧ ନିୟୁତ ୟୁରୋ ଲାଞ୍ଚ ଦେଇଥିଲେ । ଅନ୍ୟପକ୍ଷରେ ଏଭଳି ରିପୋର୍ଟକୁ ଦାସଲ୍ଟ ଆଭିଏସନ ଖଣ୍ଡନ କରିଥିଲା । କମ୍ପାନି ଦର୍ଶାଇଥିଲା ଯେ ଉକ୍ତ ଚୁକ୍ତିରେ କୌଣସି ପ୍ରକାର ଆଇନ ଉଲ୍ଳଂଘନ କରାଯାଇନାହିଁ ।
ମିଡିଆପାର୍ଟ ରିପୋର୍ଟ ପ୍ରକାଶ ପାଇବା ପରେ ରାଫେଲ ଚୁକ୍ତିକୁ ନେଇ ଭାରତରେ ପୁଣି ରାଜନୀତି ସରଗରମ ହୋଇଛି । କଂଗ୍ରେସ ଏହି ଚୁକ୍ତିର ଜେପିସି (ଯୁଗ୍ମ ସଂସଦୀୟ କମିଟି) ତଦନ୍ତ ଦାବି କରିଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେୱାଲ ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ରାଫେଲ ଚୁକ୍ତିରେ ଯେଉଁ ଦୁର୍ନୀତି, ସ୍କାଣ୍ଡାଲ, ଜନତାଙ୍କ ଟଙ୍କାର ଅପବ୍ୟୟ ଓ ଦେଶ ବିରୋଧୀ କାର୍ଯ୍ୟ କରାଯାଇଛି ତାହା ଏବେ ସାମ୍ନାକୁ ଆସିଛି । କଂଗ୍ରେସ ଓ ଦଳର ସାଂସଦ ରାହୁଲ ଗାନ୍ଧୀ ପୂର୍ବରୁ ଯେଉଁ ଅଭିଯୋଗ ଆଣିଥିଲେ ତାହା ସତ ହୋଇଛି । ସେ ଆହୁରି କହିଛନ୍ତି ଯଦି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସୁଆ ହଲାନେ୍ଦ ଓ ବର୍ତ୍ତମାନର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଭୂମିକାର ତଦନ୍ତ କରାଯାଇପାରୁଛି ତେବେ ଭାରତରେ ତ+ାଳୀନ ପ୍ରତିରକ୍ଷା ମନ୍ତ୍ରୀ ଓ ଚୁକ୍ତି ସହ ଜଡ଼ିତ ଭାରତୀୟ କମ୍ପାନି ବିରୋଧରେ କାହିଁକି ତଦନ୍ତ କରା ନଯିବ । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ଜେପିସି ତଦନ୍ତ ନିଦେ୍ର୍ଧଶ ଦେବାକୁ ସେ ଦାବି କରିଛନ୍ତି ।
ଅନ୍ୟପକ୍ଷରେ କଂଗ୍ରେସର ଏଭଳି ଦାବି ଉପରେ ବିଜେପି କଡ଼ା ଜବାବ ରଖିଛି । ବିଜେପି ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ଯେ କଂଗ୍ରେସ ମିଥ୍ୟା ଓ ଅପପ୍ରଚାରକୁ ଆଦରି ନେଇଛି । ତେଣୁ ରାଫେଲ ରାଜିନାମା ଉପରେ ପୁଣିଥରେ ମିଛକଥା କହୁଛି । ଯଦି ଫ୍ରାନ୍ସର ଏକ ଏନ୍ଜିଓ ଅଭିଯୋଗ ଆଣିଲା ଏବଂ ସେଠାକାର ଅର୍ଥନୈତିକ ଅପରାଧ ଶାଖା ତାର ତଦନ୍ତ କଲା ତା ଅର୍ଥ ନୁହେଁ ଯେ ଦୁର୍ନୀତି ହୋଇଛି । ଦେଶକୁ ଦୁର୍ବଳ କରିବା ଲାଗି ଏହା କଂଗ୍ରେସର ପ୍ରୟାସ । ରାହୁଲ ଯେଭଳି ବ୍ୟବହାର କରୁଛନ୍ତି ସେଥିରୁ ଜଣାପଡୁଛି କିଛି ପ୍ରତିସ୍ପର୍ଦ୍ଧା କମ୍ପାନି ତାଙ୍କୁ ମୋହରା ବନାଇଛନ୍ତି । ଏହି ପ୍ରସଙ୍ଗରେ ସେ ଆରମ୍ଭରୁ ହିଁ ମିଛ କହୁଛନ୍ତି । ସେ ଉକ୍ତ କମ୍ପାନିର ଏଜେଣ୍ଟ ସାଜିଛନ୍ତି । କିମ୍ବା ଗାନ୍ଧୀ ପରିବାରର କେହି ଏହି କମ୍ପାନି ପାଇଁ କାମ କରୁଛନ୍ତି । ପାତ୍ର ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ରାଫେଲ ଚୁକ୍ତିରୁ ଗାନ୍ଧୀ ପରିବାରକୁ କୌଣସି କମିଶନ ମିଳିନାହିଁ । ତେଣୁ କଂଗ୍ରେସ ଏଭଳି ଅଭିଯୋଗ ଆଣୁଛି ।
ସୂଚନାଯୋଗ୍ୟ, ୨୦୧୬ ସେପ୍ଟେମ୍ବର ୨୩ରେ ଭାରତ ସରକାର ୫୯,୦୦୦ କୋଟି ଟଙ୍କା ମୂଲ୍ୟରେ ଫ୍ରାନ୍ସରୁ ୩୬ଟି ରାଫେଲ ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି ସ୍ୱାକ୍ଷର କରିଥିଲେ । ଭାରତ ସରକାର ଓ ଫ୍ରାନ୍ସର ରାଷ୍ଟ୍ରାୟତ୍ତ ବିମାନ ନିର୍ମାଣକାରୀ ସଂସ୍ଥା ଦାସଲ୍ଟ ଆଭିଏସନ ମଧ୍ୟରେ ଏହି ଚୁକ୍ତି ହୋଇଥିଲା । ଇତିମଧ୍ୟରେ ଭାରତକୁ କେତେକ ରାଫେଲ ବିମାନ ମିଳି ସାରିଥିବା ବେଳେ ଆଉ କିଛି ରାଫେଲ ବିମାନ ମିଳିବା ବାକି ରହିଛି ।
ଅନ୍ୟପକ୍ଷରେ ଏହି ଚୁକ୍ତି ଉପରେ କଂଗ୍ରେସ ଆପତ୍ତି ଉଠାଇଥିଲା । କଂଗ୍ରେସ କହିଥିଲା ଯେ ୟୁପିଏ ସରକାର ବେଳେ ବିମାନ ଗୋଟାକୁ ୫୨୬ କୋଟି ଟଙ୍କାରେ କିଣିବା ଲାଗି ବୁଝାମଣା ହୋଇଥିଲା । କିନ୍ତୁ କେନ୍ଦ୍ରର ମୋଦି ସରକାର ପ୍ରତି ବିମାନକୁ ୧,୬୭୦ କୋଟି ଟଙ୍କାରେ କିଣିବାକୁ ଚୁକ୍ତି କରିଛନ୍ତି । ଏଥିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି । ଏପରିକି ୨୦୧୯ ଲୋକସଭା ନିର୍ବାଚନ ବେଳେ ମଧ୍ୟ ଏହି ପ୍ରସଙ୍ଗ କଂଗ୍ରେସ ଉଠାଇଥିଲା । କିନ୍ତୁ ସରକାର ଏହାକୁ ଖଣ୍ଡନ କରିଥିଲେ । ଶେଷରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚôଥିଲା । ମାତ୍ର ସୁପି୍ରମକୋର୍ଟ ଉକ୍ତ ମାମଲାକୁ ଖାରଜ କରିବା ସହ ସରକାରଙ୍କୁ କ୍ଲିନ୍ଚିଟ୍ ଦେଇଥିଲେ ।


Comments are closed, but trackbacks and pingbacks are open.